ଓଡ଼ିଶାଲାଇଭ୍‍ ବ୍ୟୁରୋ

ଖରାପ ମାନର ପାଠପଢା, କମ୍‍ ଢାଞ୍ଚାଗତ ସୁବିଧା, କ୍ୟାମ୍ପସ ପ୍ଲେସମେଣ୍ଟରେ ହ୍ରାସ ଓ ଖରାପ ଫ୍ୟାକଲ୍‌ଟି କାରଣରୁ ଏମବିଏ ପଢା ତା’ର ଔଜ୍ଜଲ୍ୟ ହରାଇ ବସିଛି।

୧୯୯୧ରେ ଆର୍ଥିକ ସୁଧାର କାର୍ଯ୍ୟକ୍ରମ ଦେଶରେ ଆରମ୍ଭ ହୋଇଥିଲା। ଏହାପରେ ଘରୋଇ କ୍ଷେତ୍ର ବା ପ୍ରାଇଭେଟ ସେକ୍ଟରକୁ ବିଶେଷ ଫାଇଦା ହୋଇଥିଲା। ଏହି ସମୟଠାରୁ ବିଜନେସ ମ୍ୟାନେଜମେଣ୍ଟର ଚାହିଦା ବଢ଼ିବାକୁ ଲାଗିଲା। ଏଥିସହିତ ଯେଉଁମାନେ ଏମବିଏ ଡିଗ୍ରୀ ହାସଲ କରିଥିଲେ ସେମାନଙ୍କ ପାଇଁ ଚାକିରିର ବିପୁଳ ସୁଯୋଗ ସୃଷ୍ଟି ହୋଇଥିଲା। କମ୍ପାନିମାନେ ଏକଜିକ୍ୟୁଟିଭ୍‍ମାନଙ୍କୁ ମୋଟା ଦରମା ଦେବା ଆରମ୍ଭ କରିଥିଲେ।

ଗୋଟିଏ ସମୟରେ ଚିନ୍ତା କରାଯାଉଥିଲା ଯେ ଜୀବନରେ ଜଣେ ସଫଳ ମଣିଷ ହେବାକୁ ହେଲେ ଏମବିଏଟିଏ ନିହାତି ହେବା ଆବଶ୍ୟକ। ଏମବିଏର ଅର୍ଥ ହୋଇଉଠିଲା ଟଙ୍କା ଓ ପ୍ରତିପତ୍ତି। ଏପରିକି ଯଦି କେହି ବି କିମ୍ବା ସି ଗ୍ରେଡ ବିଜନେସ ସ୍କୁଲରେ ବି ନାମ ଲେଖାଇ ନେଇପାରିଲା ସେ ଧରି ନେଉଥିଲା ଯେ ସେ ଜୀବନରେ ସବୁ କିଛି ହାସଲ କରିଛି। କିନ୍ତୁ ଏବେ ଦୁଇ ଦଶକ ପରେ ଏହି ଚାକିରି ତା’ର ଚମକ ହରାଇବା ଆରମ୍ଭ କରିଛି।

ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ ବା ଏଆଇସିଟିଇ ଦ୍ୱାରା ପ୍ରସ୍ତୁତ ଡାଟା ଅନୁସାରେ ୨୦୧୬-୧୭ ବର୍ଷରେ ଦେଶର ଅଧା ଏମବିଏ ଗ୍ରାଜୁଏଟଙ୍କ ପାଇଁ କ୍ୟାମ୍ପସ ପ୍ଲେସମେଣ୍ଟ ହୋଇନାହିଁ। ଅନ୍ୟ ଅର୍ଥରେ ମାତ୍ର ୪୭ ପ୍ରତିଶତ ଏମବିଏ ଡିଗ୍ରୀ ଧାରୀଙ୍କୁ କିଛି ନା କିଛି ଚାକିରି ମିଳିଛି। ତା’ ପୂର୍ବ ବର୍ଷ ୫୧ ପ୍ରତିଶତ ପିଲା ନିଯୁକ୍ତି ପାଇଥିଲେ। କହିରଖିବା ଠିକ୍ ହେବ ଯେ ଏହି ତାଲିକାରେରେ ଆଇଆଇଏମ ପାସଆଉଟଙ୍କୁ ନିଆ ଯାଇନାହିଁ। ଅଣ-ଆଇଆଇଏମ କଥା ଏଠି କୁହାଯାଉଛି।

ଅନ୍ୟ ଏକ ତଥ୍ୟ ଅନୁଯାୟୀ ଦେଶରେ ପ୍ରାୟ ୫ ହଜାର ଏମବିଏ କଲେଜରୁ ୨୦୧୬-୧୭ ବର୍ଷରେ ପ୍ରାୟ ଦୁଇ ଲକ୍ଷ ଏମବିଏ ପିଲା ବାହାରିଥିଲେ। ଏଥିରୁ ମାତ୍ର ୫୦ ହଜାର ପିଲା ଚାକିରି ପାଇଥିଲେ।

ଏମବିଏ ଡିଗ୍ରୀ ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ଚାକିରି ନମିଳିବା ପଛରେ ମୁଖ୍ୟତଃ ଏହାର  ପାଠ୍ୟକ୍ରମ ଦାୟୀ ବୋଲି କୁହାଯାଉଛି। ଭାରତରେ ଏମବିଏ ପାଠ୍ୟକ୍ରମ ପୁରୁଣା ହୋଇଯାଇଛି ଏବଂ ଏଥିପାଇଁ ଏହି ଡିଗ୍ରୀର ଦବଦବା ଆଉ ପୂର୍ବଭଳି ନାହିଁ। ଆସୋଚାମ୍ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶର ଟପ୍‍ ୨୦ ପ୍ରତିଶତ ଏମବିଏ କଲେଜକୁ ଛାଡିଦେଲେ ଅନ୍ୟ ବିଜନେସ ସ୍କୁଲର ମାତ୍ର ୭ ପ୍ରତିଶତ ପିଲା ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ଖରାପ ମାନର ପାଠପଢା, କମ୍‍ ଢାଞ୍ଚାଗତ ସୁବିଧା, କ୍ୟାମ୍ପସ ପ୍ଲେସମେଣ୍ଟରେ ହ୍ରାସ ଓ ଖରାପ ଫ୍ୟାକଲ୍‌ଟି କାରଣରୁ ଏମବିଏ ପଢା ତା’ର ଔଜ୍ଜଲ୍ୟ ହରାଇ ବସିଛି।

ଏହିଭଳି ଅବସ୍ଥା ଇଞ୍ଜିନିୟରିଂ କଲେଜରେ ମଧ୍ୟ ପରିଲକ୍ଷିତ ହୋଇଛି। ମ୍ୟାକ୍କିନସିର ଏକ ରିପୋର୍ଟ ଅନୁସାରେ ଭାରତରେ ମାତ୍ର ଏକ ଚତୁର୍ଥାଂଶ ଇଞ୍ଜନିୟରିଂ ଡିଗ୍ରୀଧାରୀ ହିଁ ଚାକିରି ପାଇବା ପାଇଁ ଯୋଗ୍ୟ।

ଇତିମଧ୍ୟରେ ଏଆଇସିଟିଇ ପକ୍ଷରୁ କୁହାଯାଇଛି ଯେ ମ୍ୟାନେଜମେଣ୍ଟ ଓ ଇଞ୍ଜିନିୟରିଂ ଡିଗ୍ରୀର ପାଠ୍ୟକ୍ରମ ବଦଳାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here