ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ଆରମ୍ଭ ହେବା ପୂର୍ବରୁ ଚାଷୀଙ୍କୁ ନେଇ ହଙ୍ଗାମା। ଚାଷୀଙ୍କ ପାଇଁ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କେନ୍ଦ୍ର ଉପରେ ଦୋଷ ଲଦିଛି। ଆଉ କଂଗ୍ରେସ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାଜ୍ୟପାଳଙ୍କୁ ଦେଇଛି ସ୍ମାରକପତ୍ର।

ନିର୍ବାଚନ ଆସିଲେ ଚାଷୀ ପାଲଟିଯାଏ ରାଜନୈତିକ ଦଳମାନଙ୍କର ମୋହରା। ଚାଷୀମାନଙ୍କ ପାଇଁ କିଏ କେତେ ପ୍ରତିଶ୍ରୁତି ଦେଇଯାଏ। ହେଲେ ଚାଷୀର ସମସ୍ୟା ସୁଧୁରି ପାରେନି। ଚାଷୀ ଯେଉଁ ଅବହେଳିତକୁ ସେହି ଅବହେଳିତ ହୋଇ ରହିଥାଏ। ଫସଲହାନି ହେଲେ କି ଚାଷୀ ଆତ୍ମହତ୍ୟା କଲେ ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ରାଜନୀତି କରିବାକୁ ଆଗେଇ ଆସିଛନ୍ତି। ଏହାର ପ୍ରମାଣ କିଛିଦିନ ହେଲା ଓଡ଼ିଶାରେ ଦେଖିବାକୁ ମିଳିଛି।

ଚକଡ଼ା ପୋକ ଦାଉରେ ବରଗଡ଼ ଜିଲ୍ଲା ସମେତ ଅନ୍ୟ ସ୍ଥାନରେ ଚାଷୀ ଜମିରେ ନିଆଁ ଲଗାଇଲେ। ଏପରିକି ଚାଷୀ ମଧ୍ୟ ଜୀବନ ହାରିଲେ। ଏହାକୁ ନେଇ ଆରମ୍ଭ ହେଲା ରାଜନୀତି। କେନ୍ଦ୍ର କୃଷିମନ୍ତ୍ରୀ ଓଡ଼ିଶା ଆସି ରାଜ୍ୟ ରାଜନୀତିକୁ ସରଗରମ୍ କଲେ। କଂଗ୍ରେସ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ବସି ଧାରଣା ଦେଲା। ଆଉ ରାଜ୍ୟ ସରକାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଲେ। ହେଲେ ଏସବୁ ଘଟଣା ଚାଷୀ ଆତ୍ମହତ୍ୟାକୁ ରୋକି ପାରିଲା ନାହିଁ। ଏବେ ବି ରାଜ୍ୟରେ ଚାଷୀ ଆତ୍ମହତ୍ୟା ଚାଲିଛି। ଆଉ ଏସବୁ ଭିତରେ ଚାଷୀ ରାଜନୀତି ପଶାପାଲିରେ ମୋହରା ସାଜିଛି। ଚାଷୀ ପ୍ରସଙ୍ଗକୁ ନେଇ ରାଜନୀତି ଜୋରଦାର ହୋଇଛି।

ଚାଷୀ ପାଇଁ ଆଜି ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା। ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ଗୋଟିଏ ଦିନରେ ୩ ପ୍ରମୁଖ ରାଜନୈତିକ ଦଳ ଓହ୍ଲାଇଛନ୍ତି ରାଜରାସ୍ତାକୁ। ବିଜେଡି କେନ୍ଦ୍ରକୁ ଦାୟୀ କରିଥିବା ବେଳେ ବିଜେପି-କଂଗ୍ରେସ ଦୋଷ ଲଦିଛନ୍ତି ରାଜ୍ୟ ସରକାରଙ୍କ ଉପରେ। ହେଲେ ବାସ୍ତବରେ ଚାଷୀଙ୍କ ପାଇଁ କାହାର ଦରଦ କେତେ ତାକୁନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ।

ହାତରେ ଥିଲା ପଚି ଯାଇଥିବା ଧାନକେଣ୍ଡା। ଆଉ ମୁହଁରେ ଥିଲା ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ୍। ଏଭଳି ଢଙ୍ଗରେ ପ୍ରତିବାଦ କରି ଭୁବନେଶ୍ବର ୟୁନିଟ୍-୩ ବିଜେପି ପାର୍ଟି ଅଫିସରୁ ବାହାରିଥିଲା ରାଲି। କୃଷିଋଣ ଛାଡ଼, ଚାଷୀଙ୍କୁ କ୍ଷତିପୂରଣ ଏବଂ ନକଲି କୀଟନାଶକର ତଦନ୍ତ ଦାବି କରି ବିଜେପି ନେତା ଓ କର୍ମୀ ସଚିବାଳୟ ଅଭିମୁଖେ ବାହାରିଥିଲେ।

ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଚାଷୀଙ୍କ ପ୍ରତି ସରକାର ଅବହେଳା କରୁଛନ୍ତି। ଚାଷୀଙ୍କୁ ଉଚିତ୍ ନ୍ୟାୟ ମିଳୁନି। ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ। କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ”

ଏପଟେ ଶାସକ ବିଜେଡି ମଧ୍ୟ ଚାଷୀଙ୍କ ହକ୍‌ ପାଇଁ ଓହ୍ଲାଇଛି ରାଜରାସ୍ତାକୁ। ଏମ୍‌ଏସ୍‌ପି ବୃଦ୍ଧିକୁ ଅସ୍ତ୍ର କରି ଦଳ ରାଜଭବନ ସମ୍ମୁଖରେ କରିଛି ପ୍ରତିବାଦ। ବିଜେଡିର ବରିଷ୍ଠ ନେତାମାନେ କେନ୍ଦ୍ର ବିରୋଧରେ ସ୍ଲୋଗାନ୍ ଦେଇ ବର୍ଷିଥିଲେ।

ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି, “ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଆମେ ଦାବି କରିଥିଲୁ। ହେଲେ ରାଜ୍ୟ ସରକାର ଏହାକୁ ଗ୍ରହଣ କଲେନାହିଁ। ଏମ୍‌ଏସ୍‌ପି ବୃଦ୍ଧି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜୋରଦାର କରାଯିବ।”

ସେହିପରି ମୁଖ୍ୟ ବିରୋଧୀ କଂଗ୍ରେସ ବି ପଡ଼ିନି ପଛରେ। କୃଷକ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ଚାଷୀଙ୍କ ପାଇଁ ଓହ୍ଲାଇଛି ଆନ୍ଦୋଳନକୁ। ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। କଂଗ୍ରେସ ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରିବାକୁ ଦାବି କରିଛି।

LEAVE A REPLY

Please enter your comment!
Please enter your name here