କପିଳାସ ଭୂୟାଁ

ରଙ୍ଗାରଙ୍ଗ ପରିବେଶରେ ଶେଷ ହୋଇଛି ୪୮ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ବା ‘ଇଫି’। ପାନାଜି ସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଫିଲ୍ମ ସହ ଜଡ଼ିତ ବହୁ ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ମଙ୍ଗଳବାର ସନ୍ଧ୍ୟାରେ ଗୋଆର ରାଜଧାନୀ ପାନାଜି ସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଏକ ଆଖି ଝଲସା ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ଶେଷ ହେଲା ୪୮ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ବା ‘ଇଫି’। ଗତ ୨୦ ନଭେମ୍ବରରୁ ଆରମ୍ଭ ହୋଇଥିଲା ଏହି ନ’ ଦିନିଆ ଚଳଚ୍ଚିତ୍ର ଉତ୍ସବ। ଶେଷ ଦିନରେ ସ୍ଵର୍ଣ୍ଣ ଓ ରୌପ୍ୟ ମୟୂର ପୁରସ୍କାର, ଜୀବନବ୍ୟାପି ଯୋଗଦାନ ପାଇଁ ଜଣେ ନିର୍ଦ୍ଦେଶକ ଓ  ଏହି ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ଵ ଆଦି ସମ୍ମାନ ପ୍ରଦାନ କରଯାଇଥିଲା। ଏହାବ୍ୟତୀତ ବିଷୟବସ୍ତୁରେ ଗାନ୍ଧୀ ଦର୍ଶନର ଶାନ୍ତି ଓ ସଂହତି ସଂଯୋଜିତ ଗୋଟିଏ ଚଳଚ୍ଚିତ୍ରକୁ ଆଇସିଟି-ୟୁନେସ୍କୋ ପୁରସ୍କାର ମଧ୍ୟ ପ୍ରଦାନ କରଯାଇଛି।

ଉତ୍ସବରେ କେନ୍ଦ୍ର ବୟନଶିଳ୍ପ ଓ ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ ଓ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଉପସ୍ଥିତ ଥିଲେ। ଏହାସହ ସୁପର ଷ୍ଟାର ସଲମାନ ଖାଁ ଓ ଅକ୍ଷୟ କୁମାର, କାଟ୍ରିନ କେଫ, ଭୂମି ପେଦେଙ୍କର, ସୁଶାନ୍ତ ସିଂ ରାଜପୁତ, ସିଦ୍ଧାର୍ଥ ମାଲହୋତ୍ରା ଓ ହୁମା କୁରେଶୀ ଆଦି ବଲିଉଡର ନାମିଦାମୀ କଳାକାର ଯୋଗ ଦେଇଥିଲେ।

ଏ ବର୍ଷର ‘ଇଫି’ ରେ ବହୁ ପରିବର୍ତ୍ତନର ସୂତ୍ରପାତ ହୋଇଥିଲା ବହୁ ଆଗରୁ। ପ୍ରତିବର୍ଷ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ଅନ୍ତର୍ଗତ ଚଳଚ୍ଚିତ୍ର ଉତ୍ସବ ନିର୍ଦ୍ଦେଶାଳୟ ବା ଡିଆଇଏଫଏଫ ‘ଇଫି’ର ଆୟୋଜନ କରିଆସୁଥିଲା। ଚଳିତବର୍ଷ ଉତ୍ସବର ମାତ୍ର ଦୁଇ ମାସ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସରେ ଏହି ଆୟୋଜନ ଦାୟିତ୍ଵ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ବା ଏନ ଏଫ ଡି ସିକୁ ହସ୍ତାନ୍ତର କରି ଦିଆଯାଇଥିଲା । ତେଣୁ ପ୍ରଥମରୁ ହିଁ  ‘ଇଫି’ର ସୂଚାରୁ ଆୟୋଜନ ହୋଇପାରିବ କି ନାହିଁ ବୋଲି ଅନିଶ୍ଚିତତା ସୃଷ୍ଟି ହୋଇଥିଲା।

ଏହାପରେ ଅନ୍ୟ ଏକ ବିରାଟ ସଙ୍କଟ ସୃଷ୍ଟି ହୋଇଥିଲା ଯେତେବେଳେ ‘ସେକସି ଦୁର୍ଗା’ ଓ ‘ନ୍ୟୁଡ’ ନାମକ ଦୁଇଟି ଚଳଚ୍ଚିତ୍ରକୁ ଭାରତୀୟ ପାନୋରାମା ବିଭାଗରେ ସ୍ଥାନିତ କରିବା ପାଇଁ ଜୁରୀମାନେ ନିଷ୍ପତ୍ତି ନେଇସାରିଥିବା ସତ୍ତ୍ୱେ ତାହାକୁ ଶେଷ ମୂହୁର୍ତ୍ତରେ ଉତ୍ସବରେ ରଖାଗଲା ନାହିଁ । ଫଳରେ ମଲାୟାଲି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସନଲ କୁମାର ଶଶିଧରନ କେରଳ ହାଇକୋର୍ଟରେ ଏହି ନିଷ୍ପତ୍ତି ବିରୋଧରେ କେସ୍ କରିବାକୁ ବାଧ୍ୟ ହେଲେ।

ଏହାବ୍ୟତୀତ ଡି ଆଇଏଫଏଫ ହାତରୁ ‘ଇଫି’ର ଆୟୋଜନ ଦାୟିତ୍ଵ ଏନ ଏଫ ଡି ସିକୁ ହସ୍ତାନ୍ତର କରି ଦିଆଯିବା ଦ୍ଵାରା ଆମ ଦେଶରେ ଚଳଚ୍ଚିତ୍ର ନିର୍ମାଣ ଓ ଚଳଚ୍ଚିତ୍ର ଉତ୍ସବ ମାଧ୍ୟମରେ ପ୍ରସାରଣକୁ ନିଗମାଧୀନ କରିଦିଆଗଲା ବୋଲି ବହୁ ଚିନ୍ତାଶୀଳ ବ୍ୟକ୍ତି ମତ ଦିଅନ୍ତି। ନିଗମାଧୀନ କରି ଦିଆଯିବା ଫଳରେ ଭଲ ଚଳଚ୍ଚିତ୍ର ଅପେକ୍ଷା ଆଗକୁ ଲାଭଜନକ ଚଳଚ୍ଚିତ୍ର ଗୁଡିକର ନିର୍ମାଣ ଓ ପ୍ରସାରଣକୁ ଅଧିକ ଗୁରୁତ୍ଵ ଦିଆଯିବ। ଅବଶ୍ୟ ଏ ବର୍ଷର ‘ଇଫି’ର ଉଦଘାଟନ ଓ ଉଦଯାପନ ଉତ୍ସବରେ ବଲିଉଡ କଳାକାରମାନଙ୍କ ବହୁଳ ଉପସ୍ଥିତିକୁ ଲକ୍ଷ୍ୟ କଲେ ଏହି ଆଶଙ୍କା ବହୁ ପରିମାଣରେ ସତ ମନେ ହୁଏ।

ଉଲ୍ଲେଖନୀୟ କି ପୂର୍ବରୁ ଏଭଳି ପରମ୍ପରା ନଥିଲା, ବରଂ ବଲିଉଡରେ ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣକୁ ସର୍ବଦା ଅଧିକ ଗୁରୁତ୍ଵ ଦିଆଯାଉଛି। ବିଭିନ୍ନ ରାଜ୍ୟରେ ନିର୍ମାଣ ହେଉଥିବା ଭଲ ଚଳଚ୍ଚିତ୍ରଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରିବା ଓ ସେଭଳି ଫିଲ୍ମ ନିର୍ମାଣ କରିବାକୁ ଅଧିକ ଗୁରୁତ୍ଵ ଦିଆଯାଉଥିଲା। ଏବେ ସେହି ବ୍ୟବସ୍ଥାର ସମ୍ପୂର୍ଣ ପରିବର୍ତ୍ତନ କରିଦିଆଗଲା ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

କହିବାକୁ ଗଲେ ବିଗତ ବର୍ଷ ଗୁଡିକରେ ‘ଇଫି’ ରେ ବହୁ ପରିବର୍ତ୍ତନ ଘଟିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ପ୍ରତିଯୋଗିତାମୂଳକ ଉତ୍ସବ ଥିଲାବେଳେ ନବେ ଦଶକରେ ଏହାକୁ ଅଣପ୍ରତିଯୋଗିତାମୂଳକ କରିଦିଆଯାଇଥିଲା। ୨୦୦୪ ମସିହାରେ ଗୋଆକୁ ‘ଇଫି’ ସ୍ଥାନାନ୍ତରିତ ହେବା ପରେ କେବଳ ଏସିଆନ-ଆଫ୍ରିକାନ ଚଳଚ୍ଚିତ୍ର ପ୍ରତିଯୋଗିତା ବିଭାଗ ରଖାଯାଇଥିଲା। କିନ୍ତୁ ପୁରା ଉତ୍ସବକୁ ପ୍ରତିଯୋଗିତାମୂଳକ ନକରିଥିବା ଯୋଗୁ ବହୁ ବିଦେଶୀ ଫିଲ୍ମ ନିର୍ମାତା ‘ଇଫି’କୁ ଯଥେଷ୍ଟ ଗୁରୁତ୍ଵ ଦେଉନଥିଲେ। ଫଳରେ ‘ଇଫି’ କ୍ରମେ ଗୁରୁତ୍ଵ ହରାଇବାକୁ ବସିଥିଲା। ଆନ୍ତର୍ଜାତିକ ସ୍ତରରେ ‘ଇଫି’ର ଗୁରତ୍ଵ ବୃଦ୍ଧି ନିମନ୍ତେ ଏହାକୁ ପୁନର୍ବାର ପ୍ରତିଯୋଗିତାମୂଳକ କରି ଦିଆଯାଇଛି। କେବଳ ସେତିକି ନୁହେଁ, ଆନ୍ତର୍ଜାତିକ ସ୍ତରରେ ଜୀବନବ୍ୟାପି ଯୋଗଦାନ ପାଇଁ ଜଣେ ନିର୍ଦ୍ଦେଶକଙ୍କୁ ପୁରସ୍କୃତ କରିବା ସହ  ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚିତ୍ର ବ୍ୟକ୍ତିତ୍ଵ ଆଦି ସମ୍ମାନ ପ୍ରଦାନ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେ ଯାହା ବି ହେଉ, ଏ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ରବିନ କମ୍ପିଲୋଙ୍କ ନିର୍ଦ୍ଦେଶିତ ‘୧୨୦ ବିଟ୍ସ ପର ମିନିଟ’, ଫରାସୀ ଚଳଚ୍ଚିତ୍ରକୁ ସ୍ଵର୍ଣ୍ଣ ମୟୁର ଟ୍ରଫି, ମାନପତ୍ର ଓ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଏହି ଚଳଚିତ୍ରର ଅଭିନେତା ନହୁଏଲ ପେରେଜ ବିଷ୍କୟାର୍ଟଙ୍କୁ ଶ୍ରେଷ୍ଠ ଅଭିନେତା ରୂପେ ରୌପ୍ୟ ମୟୁର ଟ୍ରଫି, ମାନପତ୍ର ଓ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଜୀବନବ୍ୟାପି ଯୋଗଦାନ ପାଇଁ ଜଣେ ନିର୍ଦ୍ଦେଶକ ରୂପେ କାନାଡାର ନିର୍ଦେଶକ ଆଟୋମ ଏଗୋୟାମଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିଭଳି ୨୦୧୭ ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚିତ୍ର ବ୍ୟକ୍ତିତ୍ଵ ରୂପେ  ୭୫ ବର୍ଷ ବୟସ୍କ ଅମିତାଭ ବଚ୍ଚନଙ୍କୁ ସମ୍ମାନିତ କରାଯାଇଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

 

Comment