ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ବର ୟୁନିଟ-୮ ଡିଏଭି ମ୍ୟାନେଜମେଣ୍ଟ ଛାତ୍ରୀ ତାନିଆ ବାନାର୍ଜୀ
  • କଲେଜ ଅଧ୍ୟକ୍ଷ-ହଷ୍ଟେଲ ଓ୍ବାର୍ଡେନଙ୍କ କଥାରେ ରହୁନି ତାଳମେଳ
  • ଅଧ୍ୟକ୍ଷ କହିଲେ, “ଚୋରି ହୋଇଥିଲା, ସମାଧାନ ହୋଇଛି”
  • ହଷ୍ଟେଲରେ ଏମିତି ଘଟଣା ଘଟିନି: ଓ୍ବାର୍ଡେନ
  • ସିବିଆଇ ତଦନ୍ତ ଦାବି କଲେ ତାନିଆଙ୍କ ମାଆ

ଭୁବନେଶ୍ବର ୟୁନିଟ-୮ ଡିଏଭି ମ୍ୟାନେଜମେଣ୍ଟ ଛାତ୍ରୀ ତାନିଆ ବାନାର୍ଜୀଙ୍କ ଆତ୍ମହତ୍ୟାକୁ ୩ ଦିନ ପୂରିଛି। ହେଲେ ଏହି ଆତ୍ମହତ୍ୟା ଏବେ ବି ରହସ୍ୟଘେରରେ ରହିଛି। ତାନିଆ କଣ ପାଇଁ ଜୀବନ ହାରିଲେ ତାକୁନେଇ ସସ୍‌ପେନ୍ସ ଲାଗି ରହିଛି। କଲେଜ ଅଧ୍ୟକ୍ଷ ଏବଂ ହଷ୍ଟେଲ ଓ୍ବାର୍ଡନେଙ୍କ କଥାରେ ତାଳମେଳ ରହୁ ନଥିବାରୁ ପ୍ରକୃତ କାରଣ ପଦାକୁ ଆସିପାରୁ ନାହିଁ।

କସ୍‌ମେଟିକ୍‌ ଚୋରି ପାଇଁ ତାନିଆ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ବର୍ଗ ଅଭିଯୋଗ କରୁଛନ୍ତି। ଏକଥାକୁ ଆଜି ମ୍ୟାନେଜମେଣ୍ଟ କଲେଜ ଅଧ୍ୟକ୍ଷ ଏବଂ ତାନିଆଙ୍କ ରୁମ୍‌ମେଟ୍ ସ୍ବୀକାର କରିଛନ୍ତି। ହେଲେ ହଷ୍ଟେଲ ଓ୍ବାର୍ଡେନ କସମେଟିକ୍ ଚୋରି କଥାକୁ ଅସ୍ବୀକାର କରିଥିବାରୁ ଦ୍ବନ୍ଦ୍ବ ଉପୁଜିଛି।

କଲେଜ ଅଧ୍ୟକ୍ଷ ଦ୍ବାରିକାନାଥ ମିଶ୍ର କହିଛନ୍ତି, “ହଷ୍ଟେଲରେ ପିଲାମାନଙ୍କର କସ୍‌ମେଟିକ୍‌ ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ସୁପରିଟେଣ୍ଡେଣ୍ଟ ସମସ୍ୟାର ସମାଧାନ କରିଥିଲେ। ତେବେ ପୋଲିସ ଏ ସମ୍ପର୍କରେ ଆମକୁ ଯେତେବେଳେ ଯାହା ମାଗୁଛନ୍ତି ଆମେ ତଦନ୍ତରେ ସହଯୋଗ କରୁଛୁ। ଘଟଣାର ଅନୁଧ୍ୟାନ ପାଇଁ ଇଣ୍ଟରନାଲ କମିଟି ଗଠନ କରାଯାଇଛି।”

ହେଲେ ହଷ୍ଟେଲ ଓ୍ବାର୍ଡନେ୍ ଶକୁନ୍ତଳା ମହାନ୍ତି କୁହନ୍ତି, “ଆମ ହଷ୍ଟେଲରେ ଏମିତି ବିବାଦ ଘଟିନି। କସ୍‌ମେଟିକ ଚୋରି ହୋଇନି। ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ।”

୨୭ ତାରିଖ ରାତିରେ ତାନିଆଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। କସମେଟିକ୍ ଚୋରି ପାଇଁ ଏଭଳି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଥିଲା। ହେଲେ ଦିନ ଯେତିକି ଗଡ଼ୁଛି ଘଟଣା ସେତିକି ଭିନ୍ନ ମୋଡ଼ ନେଉଛି।

ଝିଅକୁ ହରାଇ ମର୍ମାହତ ହୋଇଛନ୍ତି ତାନିଆଙ୍କ ମାଆ, ବାପା। ତାଙ୍କୁ ନ୍ୟାୟ ଦିଆଯାଉ ଏବଂ ଘରୋଇ କଲେଜଗୁଡ଼ିକରେ ଘଟୁଥିବା ଏଭଳି ଅଭାବନୀୟ ଘଟଣାରେ ରୋକ୍ ଲାଗୁ ବୋଲି ସେ ଦାବି କରିଛନ୍ତି। ଏହାସହ ସିବିଆଇ ତଦନ୍ତ ଦାବି କରିବାକୁ ଉଭୟ ଦାବି କରିଛନ୍ତି।

“ଘଟଣାର ତଦନ୍ତ ଚାଲିଛି। ତଦନ୍ତ ଏବେ ପ୍ରାଥମିକ ସ୍ତରରେ ରହିଛି। ସତ୍ୟାସତ୍ୟ ଜଣାପଡ଼ିବା ପାଇଁ ସମୟ ଲାଗିବ”, ଏହା କହିଛନ୍ତି ପୋଲିସ କମିଶନର ଓ୍ବାଇ ବି ଖୁରାନିଆ।

Comment