ଓଡ଼ିଶାଲାଇଭ୍ ବ୍ୟୁରୋ
- ତୁଟିନି ପୋଲାଭରମ୍ ବିବାଦ
- ମହେନ୍ଦ୍ରତନୟା ନଦୀରୁ ପାଣି ନେବା ପାଇଁ ଚାଲିଛି ଷଡ଼ଯନ୍ତ୍ର
- ସୀମାନ୍ତବର୍ତ୍ତୀ ମାଧିଆଖୋଲ-ଗୁଡିକୁଡି ଗାଁକୁ ଅକ୍ତିଆର ପାଇଁ ଚାଲିଛି ଯୋଜନା
- ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ
ବିଶାଖାପାଟଣା,(ଯଶୋବନ୍ତନାରାୟଣ ପାଢ଼ୀ): ପୋଲାଭରମ୍କୁ ନେଇ ଆନ୍ଧ୍ର-ଓଡ଼ିଶା ଛତିଶଗଡ଼ ମଧ୍ୟରେ ବିବାଦ ତୁଟି ନଥିବା ବେଳେ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ବିବାଦ ମୁଣ୍ଡ ଟେକିବାକୁ ଯାଉଛି। ଆନ୍ଧ୍ରପ୍ରଦେଶ ସରକାର ଏବେ ଓଡ଼ିଶାର ମହେନ୍ଦ୍ରତନୟା ନଦୀ ଉପରେ ନଜର ପକାଇଛନ୍ତି। ମହେନ୍ଦ୍ରତନୟା ନଦୀ ତଟରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଆୟୁଧ କରିବାକୁ ଚାହୁଁଛନ୍ତି।
ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ଓଡ଼ିଶା ସହ ପଡ଼ୋଶୀ ରାଜ୍ୟମାନଙ୍କର ବିବାଦ ଦେଖାଦେଇଛି। କେତେବେଳେ ଜଳ ଆବଣ୍ଟନକୁ ନେଇ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ସହ ତ ପୁଣି କେତେବେଳେ ପଶ୍ଚିମବଙ୍ଗ ସହ ବିବାଦ ଦେଖାଦେଇଛି। ହେଲେ କୌଣସି ଗୋଟିଏ ସୀମା ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏସବୁ ପୁରୁଣା ବିବାଦ ଲଟକି ରହିଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶ ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ନଜର ପକାଇଛି।
ଗଜପତି ଜିଲାର ମହେନ୍ଦ୍ରଗିରିରୁ ବାହାରିଥିବା ମହେନ୍ଦ୍ରତନୟା ନଦୀକୁ ଦଖଲ କରିବା ପାଇଁ ଆନ୍ଧ୍ରପ୍ରଦେଶ ଉଦ୍ୟମ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏଥିପାଇଁ ଆନ୍ଧ୍ରପ୍ରଦେଶ ସୁଚିନ୍ତିତ ଭାବେ ବିଭିନ୍ନ କୌଶଳ ଓ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି। ପ୍ରଥମେ ମହେନ୍ଦ୍ରତନୟା ନଦୀ ତଟରେ ଥିବା ଗଜପତି ଜିଲାର ଛୋଟଛୋଟ ଗାଁକୁ ଅକ୍ତିଆର କରିବାକୁ ଯୋଜନା କରାଯାଇଛି।
ଆନ୍ଧ୍ରକୁ ଲାଗି ରହିଥିବା ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତର ମାଧିଆଖୋଲ ଓ ଗୁଡି଼କୁଡି ଗାଁ ଦୁଇଟିକୁ ଦଖଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ଦୁଇଟି ଗ୍ରାମର ଲୋକଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାପ୍ରଶାସନ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କୁ କବଳିତ କରିବା ପାଇଁ ଉଦ୍ୟମ କରୁଛି। ମହେନ୍ଦ୍ରତନୟା ନଦୀପଠାକୁ ଦଖଲ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଏଭଳି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି।
ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲାର ବହୁ ଜଳ ସଙ୍କଟଗ୍ରସ୍ତ ଗ୍ରାମକୁ ମହେନ୍ଦ୍ରତନୟା ନଦୀରୁ ଜଳଯୋଗାଣ ପାଇଁ ଆନ୍ଧ୍ର ଉଦ୍ୟମ କରୁଛି। ତେବେ ନଦୀ ଉପରେ ନିଜର ଅଧିକାର ସାବ୍ୟସ୍ତ ନକରିବା ପର୍ଯ୍ୟନ୍ତ ତାହା ଉପରେ ପ୍ରକଳ୍ପ ନିର୍ମାଣ କରିବା ସମ୍ଭବ ନୁହେଁ। ତେଣୁ ଆନ୍ଧ୍ରପ୍ରଦେଶ ଏଭଳି ଉପାୟରେ ପ୍ରଥମେ ଅଙ୍ଗୁଳି ପ୍ରବେଶ କରି ପରେ ବାହା ଗିଳିବାକୁ ଯୋଜନା କରୁଥିବା ଜଣାପଡିଛି।
ମାଧିଆଖୋଲ ଗ୍ରାମରେ ୧୩ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନେ କେବଳ ଓଡ଼ିଆ ଭାଷା ଜାଣିଛନ୍ତି ଏବଂ ସେମାନଙ୍କୁ ଓଡ଼ିଶା ସରକାର ଭୋଟ ପରିଚୟପତ୍ର ଦେଇଛନ୍ତି। ଏହାସହ ଓଡ଼ିଶା ସରକାରଙ୍କ ତରଫରୁ ସେମାନେ ବିପିଏଲ କାର୍ଡ, ଆଧାର କାର୍ଡ ଏବଂ ଇନ୍ଦିରାଆବାସ ପାଇଛନ୍ତି।
ଏହାସତ୍ତ୍ବେ ଲୋକଙ୍କ ବିଶ୍ବାସଭାଜନ ହେବା ପାଇଁ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଏହି ଗ୍ରାମର କିଛି ଲୋକଙ୍କୁ ରାସନ କାର୍ଡ, ଇନ୍ଦିରା ଆବାସ ଓ ଘରକୁ ମାଗଣା ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଛି। ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରୟାସ ଦୀର୍ଘଦିନ ହେଲା କରି ଆସୁଥିବା ବେଳେ କିଛିଦିନ ପୂର୍ବେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଛି। ଗଜପତି ଜିଲ୍ଲାପାଳ ସୁଧାଂଶୁମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ, ରାୟଗଡ଼ ବ୍ଲକ ଓ ତହସିଲ କର୍ମଚାରୀମାନେ ମାଧିଆଖୋଲ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଆନ୍ଧ୍ରର ଏଭଳି ଷଡ଼ଯନ୍ତ୍ର ଓ ଅପଚେଷ୍ଟାକୁ ସଫଳ କରିବାକୁ ଦିଆଯିବନି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଉଛି।
ଆନ୍ଧ୍ରପ୍ରଦେଶର ଏହି ହୀନ ଉଦ୍ୟମ ଏବେ ବନ୍ଦ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ପୁଣିଥରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଏଣୁ ଏଥିପାଇଁ ଓଡିଶା ସରକାରଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ି। ସମ୍ପୃକ୍ତ ଗ୍ରାମଗୁଡ଼ିକର ଉନ୍ନତି ଉପରେ ଫୋକସ୍ ଦେବାକୁ ପଡ଼ିବ। ଗଙ୍ଗାବାଡ଼ ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ସିଧାସଳଖ ଯୋଗାଯୋଗ ବ୍ୟବସ୍ଥା ନାହିଁ। ଏଣୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।