ଓଡ଼ିଶାଲାଇଭ୍‌ ବ୍ୟୁରୋ

“କୋଣାର୍କ ନୃତ୍ୟ ମଣ୍ଡପରେ ନାଚିଲା ବେଳେ ପଛରେ ସୂର୍ଯ୍ୟ ମନ୍ଦିର ଏବଂ ସାମ୍ନା ଆକାଶରେ ଚନ୍ଦ୍ରଙ୍କୁ ଦେଖି ମୋତେ ଆତ୍ମହରା ଲାଗେ।”

“କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ ବିରାଟ ପ୍ଲାଟଫର୍ମ। ବିଶେଷକରି ଓଡ଼ିଶୀ ନୃତ୍ୟ ପାଇଁ ଏହା ଏକ ପ୍ରମୁଖ ମଞ୍ଚ। ଦେଶ ବିଦେଶର ନୃତ୍ୟ ଶିଳ୍ପୀମାନେ ଏହି ମଞ୍ଚରେ ନୃତ୍ୟ ପରିବେଷଣ କରିବା ପାଇଁ ଅପେକ୍ଷା କରି ରହିଥାନ୍ତି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡୋନା ଗାଙ୍ଗୁଲି।

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଡୋନାଙ୍କ ଓଡ଼ିଶୀ ଗ୍ରୁପ୍ ଦୀକ୍ଷାମଞ୍ଜରୀ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଡୋନା ଓ ତାଙ୍କ ସାଥୀମାନଙ୍କ ନୃତ୍ୟ ଦେଶ ବିଦେଶରୁ ଆସିଥିବା ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।

ଡୋନାଙ୍କୁ ଗ୍ରୀନ୍ ରୁମ୍‌ରେ ଭେଟିଥିଲା ଓଡ଼ିଶାଲାଇଭ୍‌ ଟିମ୍। ଡୋନା କହିଛନ୍ତି ଯେ, “ଆପଣ ଯେତେବେଳେ ଓଡ଼ିଶୀ ନୃତ୍ୟ କଥା ଚିନ୍ତା କରିବେ କୋଣାର୍କର ଚକ୍ର ଆପଣଙ୍କ ଆଖି ଆଗରେ ଆପେ ଆପେ ଦିଶିଯିବ। କୋଣାର୍କ ମନ୍ଦିର ହେଉଛି ଓଡ଼ିଶୀ ନୃତ୍ୟ ପାଇଁ ଏକ ବଡ଼ ପ୍ରେରଣା। ତେଣୁ ପୃଥିବୀର କୋଣ ଅନୁକୋଣର ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କ ପାଇଁ କୋଣାର୍କ ଉତ୍ସବ ଏକ ବିରଳ ମଞ୍ଚ। ଏହା ଏକ ଅଭିନବ ଏବଂ ଅଦ୍ୱିତୀୟ ପ୍ଲାଟଫର୍ମ।”

ଖଜୁରାହୋ ଓ କୋଣାର୍କ ଉତ୍ସବ ଏଭଳି ଜାଗା ଯେଉଁଠି ନୃତ୍ୟ ପରିବେଷଣ କରିବା ଗୌରବର ବିଷୟ। “ସେ ଦୃଷ୍ଟିରୁ ମୁଁ ବଡ଼ ଭାଗ୍ୟବାନ୍। ମୁଁ ଦ୍ବିତୀୟ ଥର ପାଇଁ ଆଜି କୋଣାର୍କ ମଞ୍ଚରେ ନୃତ୍ୟ ପରିବେଷଣ ପାଇଁ ସୁଯୋଗ ପାଇଛି। ଏହା ମୋର ଗୁରୁଙ୍କ ଆଶୀର୍ବାଦ”, କହିଛନ୍ତି ଡୋନା ଗାଙ୍ଗୁଲି।

କୋଣାର୍କ ଉତ୍ସବର ଅନନ୍ୟତା ସମ୍ପର୍କରେ ଡୋନା କହିଛନ୍ତି ଯେ, ଏହା ଏକ ବିରଳ ମଞ୍ଚ। କାରଣ ନାଟମଣ୍ଡପର ଠିକ୍ ପଛରେ ଠିଆ ହୋଇ ରହିଛି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। “ଏଭଳି ପରିବେଶ ସତରେ ଚମତ୍କାର। ଆମେ ଏଥର ସୂର୍ଯ୍ୟ ବନ୍ଦନାରୁ ଆମର ଓଡ଼ିଶୀ ପରିବେଷଣ ଆରମ୍ଭ କରିଥିଲୁ।”

“ଆମେ ଯେତେବେଳେ ନାଚୁ ଆମ ଭିତରେ ଏକ ସକରାତ୍ମକ ଚେତନା ଆସିଥାଏ। ତା ସାଙ୍ଗକୁ କୋଣାର୍କ ଭଳି ଏକ ବିରାଟ ମଣ୍ଡପ ଜଣେ ଶିଳ୍ପୀର ଚେତନାକୁ ଆହୁରି ଉଚ୍ଚକୁ ନେଇଯାଏ। ବିଶେଷକରି ଏଠାରେ ମଗ୍ନ ହୋଇ ନୃତ୍ୟ ପରିବେଷଣ କରିବା ବେଳେ ମଣ୍ଡପ ପଛରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ସାମ୍ନା ଆକାଶରେ ଚନ୍ଦ୍ରଙ୍କୁ ଦେଖି ମୋତେ ଆତ୍ମହରା ଲାଗେ। ମୁଁ ଜଣେ କବି ନୁହେଁ; ତେଣୁ ମୋ ଭାବନାକୁ ମୁଁ ଠିକ୍ ଭାବେ ବର୍ଣ୍ଣନା କରିପାରୁ ନାହିଁ”, ଓଡ଼ିଶାଲାଇଭ୍‌କୁ ଏକଥା କହିବା ବେଳେ ଡୋନା ଗାଙ୍ଗୁଲିଙ୍କ ଆଖି ଓ ମୁହଁରେ ଦିଶୁଥିଲା ଏକ ଆତ୍ମସନ୍ତୋଷର ଭାବ।

କେବଳ ନୃତ୍ୟ ବା ସଙ୍ଗୀତ ନୁହେଁ, କୋଣାର୍କ ଉତ୍ସବ ଓଡ଼ିଶା ପର୍ଯ୍ୟଟନ ବିକାଶ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ। “ଓଡ଼ିଶାର ସଂସ୍କୃତି ପ୍ରଚୀନ ଓ ଆକର୍ଷଣୀୟ। ଏଠିକାର କଳାକୃତି, ଶାଢ଼ି, ବାଲୁକା କଳା ଓ ସମୁଦ୍ରଠାରୁ ଜଗନ୍ନାଥଙ୍କ ପର୍ଯ୍ୟନ୍ତ ସବୁଥିରେ ରହିଛି ବିଶେଷ ଆକର୍ଷଣ”, କହିଛନ୍ତି ଓଡ଼ିଶୀ ନୃତ୍ୟାଙ୍ଗନା ଡୋନା ଗାଙ୍ଗୁଲି। ତେଣୁ ଓଡ଼ିଶା ପର୍ଯ୍ୟଟନ ବିକାଶ ଭଗବାନ ଓଡ଼ିଶାକୁ ଦେଇଥିବା ଏହିସବୁ ଅପୂର୍ବ ସମ୍ପଦର ଉପଯୋଗ କରିବାକୁ ଆହୁରି ଆହୁରି ପଦକ୍ଷେପ ନେବା ଆବଶ୍ୟକ ବୋଲି ଡୋନା ପରାମର୍ଶ ଦେଇଛନ୍ତି।

Comment