ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହାନଦୀ ଜଳ ବିବାଦ
  • ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି
  • କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ
  • ଜାନୁୟାରୀ ୩ୟ ସପ୍ତାହ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ
  • ତଥ୍ୟ ଦେଇ ନପାରିଲେ ମେରିଟ୍ ବେସିସ୍‌ରେ ହେବ ଶୁଣାଣି

ସୁପ୍ରିମକୋର୍ଟଙ୍କ ରାୟ ଉପରେ ଆଜି ନଜର ରଖିଥିଲେ ଓଡ଼ିଶାବାସୀ। କାରଣ ମହାନଦୀ ବିବାଦର ଶୁଣାଣି ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥାନ୍ତା। ହେଲେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ୨୦୧୮ ଜାନୁୟାରୀ ତୃତୀୟ ସପ୍ତାହ ସୁଦ୍ଧା ମହାନଦୀ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ନିର୍ଦ୍ଧାରିତ ସମୟ ଭିତରେ ଯଦି କେନ୍ଦ୍ର ସରକାର ରିପୋର୍ଟ ଦାଖଲ କରିବାରେ ଅସମର୍ଥ ହୁଅନ୍ତି ତାହାଲେ ମେରିଟ୍ ବେସିସ୍‌ରେ ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଜିର ଶୁଣାଣି ବେଳେ ଓଡ଼ିଶା ସରକାର ତାଙ୍କ ପକ୍ଷ ରଖିଥିବା ବେଳେ ଛତିଶଗଡ ସରକାର ମଧ୍ୟ ତାଙ୍କ ପକ୍ଷ ରଖିଥିଲେ। କେନ୍ଦ୍ର ସରକାର ବି ସୁପ୍ରିମକୋର୍ଟରେ ତାଙ୍କ ପକ୍ଷ ରଖିଥିଲେ।

ଛତିଶଗଡ ସରକାର ମହାନଦୀ ଟ୍ରିବ୍ୟନାଲ ସପକ୍ଷରେ ଯାଇ ନଥିଲେ। ଟ୍ରିବ୍ୟୁନାଲ ଗଠନ ଅପେକ୍ଷା ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ ଗଠନ ଉପରେ ଗୁରୁତ୍ବ ଦେଇଥିଲେ। ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହୋଇ ପାରିବ ବୋଲି ଛତିଶଗଡ ସରକାର ଯୁକ୍ତି ବାଢ଼ିଥିଲେ। ହେଲେ ଓଡ଼ିଶା ନିଜ ଜିଦରେ ଅଟଳ ରହିଥିଲା। ଟ୍ରିବ୍ୟୁନାଲ ଗଠନ କରିବାକୁ ଓଡ଼ିଶା ସରକାର ଦାବି କରିଥିଲେ।

ନଭେମ୍ବର ୧୯ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଜଣାଇଥିଲେ। କିନ୍ତୁ ଗତ ୫ ତାରିଖରେ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର କୌଣସି ତଥ୍ୟ ଦେଇ ପାରି ନାହାନ୍ତି କହିଥିଲା କେନ୍ଦ୍ର। ଏଣୁ ଟ୍ରିବ୍ୟୁନାଲ ଗଠନ ଅସମ୍ଭବ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ।

କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା ଓଡ଼ିଶା। ଏହାର ଜବାବରେ ଓଡ଼ିଶା ସରକାର ଆଉ ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି।

Comment