ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବିରାଟ-ଅନୁଷ୍କାଙ୍କ ବାହାଘର ଫଟୋ। ବିରାଟ-ଅନୁଷ୍କା ମଧ୍ୟ ଟ୍ୱିଟରରେ ସେମାନଙ୍କ ବାହାଘର ହୋଇଥିବା ସ୍ପଷ୍ଟ କରିଛନ୍ତି। ଉଭୟ ସେଲିବ୍ରିଟିଙ୍କ ଫ୍ୟାନ୍‌ମାନେ ସେମାନଙ୍କୁ ୱିସ୍‌ କରୁଛନ୍ତି।

୪ ବର୍ଷର ଡେଟିଂ ପରେ ବାହା ହୋଇଛନ୍ତି ବିରାଟ-ଅନୁଷ୍କା। ଇଟାଲୀର ବୋର୍ଗୋ ଫିନୋଚିତୋ ରିସୋର୍ଟରେ ଶେଷ ହୋଇଛି ବାହାଘର। ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହୋଇଛି ଏହି ହାଇପ୍ରୋଫାଇଲ୍‌ ବାହାଘର। ବିରାଟ-ଅନୁଷ୍କାଙ୍କ ବାହାଘର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଶୁଭେଚ୍ଛୁଙ୍କ ମହଲରେ ଖେଳି ଯାଇଛି ଖୁସିର ଲହରୀ। ବିରାଟ-ଅନୁଷ୍କାଙ୍କ ନୂଆ ଲାଇଫ୍‌କୁ ସମସ୍ତେ ୱିସ୍‌ କରିଛନ୍ତି।

ବିରାଟ-ଅନୁଷ୍କା ଏବେ ପରିବାରବର୍ଗଙ୍କ ସହ ଇଟାଲୀରେ ରହିଛନ୍ତି। ଇଟାଲୀର ଏହି ରିସୋର୍ଟକୁ ୧ କୋଟି ଟଙ୍କାରେ ବୁକିଂ କରିଛନ୍ତି ବିରାଟ। ଏକ ସପ୍ତାହ ପାଇଁ ହୋଇଥିଲା ଏହି ରିସୋର୍ଟ ବୁକିଂ।

ଆଉ ଦୁଇ ଦିନ ପରେ ବିରାଟ-ଅନୁଷ୍କା ଭାରତ ଫେରିବେ। ଏହାପରେ ଆରମ୍ଭ ହେବ ରିସେପ୍‌ସନ୍‌ ପ୍ରକ୍ରିୟା। ମିଳିଥା ସୂଚନା ଅନୁଯାୟୀ ବିରାଟ-ଅନୁଷ୍କା ଦୁଇଟି ସହରରେ ତାଙ୍କ ବନ୍ଧୁମାନଙ୍କୁ ଭୋଜି ଦେବେ। ୨୧ ତାରିଖରେ ଦିଲ୍ଲୀରେ ଗ୍ରାଣ୍ଡ ପାର୍ଟି ଆୟୋଜନ ହେବା ସହ ମୁମ୍ବାଇରେ ୨୬ ତାରିଖରେ ହେବ ଆଉ ଏକ ପାର୍ଟି। ବଲିଉଡର ବହୁ ନାମୀଦାମୀ କଳାକାରଙ୍କ ସମେତ କ୍ରିକେଟ ତାରକାଙ୍କୁ କରାଯିବ ନିମନ୍ତ୍ରଣ। ବଲିଉଡ କଳାକାର ମଧ୍ୟ ରିସେପ୍‌ସନ୍‌ ପାର୍ଟିରେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ। ରିସେପସନ୍‌ ପରେ ବିରାଟ ଯିବେ ଦକ୍ଷିଣ ଆଫ୍ରିକା। ସେଠାରେ ବିରାଟ ଏକ କ୍ରିକେଟ ମ୍ୟାଚ ଖେଳିବେ। ଏହି ଅବସରରେ ଅନୁଷ୍କା ମଧ୍ୟ ଦକ୍ଷିଣ ଆଫ୍ରିକା ଯାଉଛନ୍ତି। ବିରାଟ-ଅନୁଷ୍କା ଦକ୍ଷିଣ ଆଫ୍ରିକାରେ ନୂଆ ବର୍ଷ ସେଲିବ୍ରେସନ କରିବେ। ଏହାପରେ ଅନୁଷ୍କା ପୁଣି ସୁଟିଂ ସେଟ୍‌କୁ ଫେରିବେ।

ଯେଉଁ ରିସୋର୍ଟରେ ଅନୁଷ୍କା-ବିରାଟଙ୍କର ବାହାଘର ହୋଇଛି ତାହା ପ୍ରାୟତଃ ଡିସେମ୍ବରରରେ ବନ୍ଦ ରହିଥାଏ। ହେଲେ କେବଳ ଅନୁଷ୍କା-ବିରାଟଙ୍କ ବାହାଘର ପାଇଁ ଏହି ରିସୋର୍ଟ ଖୋଲା ଯାଇଛି।

ବିରାଟ ଡିସେମ୍ବର ମାସରେ ଲମ୍ବା ଛୁଟିରେ ଯାଇଛନ୍ତି। କାହାକୁ କିଛି ନଜଣାଇ ବିରାଟ ହଠାତ୍ ଡିସେମ୍ବର ୭ରେ ଗାଏବ ହୋଇ ଯାଇଥିଲେ। ତାଙ୍କ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଲା। ବିରାଟ ଅନୁଷ୍କାଙ୍କୁ ନେଇ ଇଟାଲୀ ପଳାଇଥିବା କୁହାଗଲା। ହେଲେ ଏନେଇ କିଛି ସ୍ପଷ୍ଟ ଉତ୍ତର ମିଳି ନଥିଲା। ୧୨ ତାରିଖରେ ଉଭୟଙ୍କ ବାହାଘର ହେବ ବୋଲି ଚର୍ଚ୍ଚା ହେଲା। ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିରାଟ ଅନୁଷ୍କାଙ୍କର ହୋଇଛନ୍ତି।

Comment