ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷରେ ବିରାଟଙ୍କର ହେଲେ ଅନୁଷ୍କା। ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଦୁଇ ସେଲିବ୍ରିଟି। ଇଟାଲୀର ବୋର୍ଗୋ ଫିନୋଚିତୋ ରିସୋର୍ଟରେ ବାହାଘର ହୋଇଥିବା କୁହାଯାଉଛି।

ବାହା ହେଲେ କ୍ରିକେଟିୟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା। ଇଟାଲୀର ବୋର୍ଗୋ ଫିନୋଚିତୋ ରିସୋର୍ଟରେ ଏହି ବିବାହ ସମ୍ପନ୍ନ ହୋଇଥିବା ଫିଲ୍ମ ଫେୟାର ମାଗାଜିନ୍ ସ୍ପଷ୍ଟ କରିଛି। ଏହାସହ ନ୍ୟୁଜ୍‌ ଏଜେନ୍ସୀ ଏଏନ୍‌ଆଇ କିଛି ଫଟୋ ଜାରି କରିଛି।

ବର୍ତ୍ତମାନ ବିରାଟ ଏବଂ ଅନୁଷ୍କା ଇଟାଲୀର ଟସ୍କିନ୍ ସହରରେ ଅଛନ୍ତି। ସେମାନଙ୍କ ସହ ତାଙ୍କ ପରିବାରବର୍ଗ ଏବଂ କିଛି ଶୁଭେଚ୍ଛୁ ମଧ୍ୟ ଅଛନ୍ତି।

ଯେଉଁ ରିସୋର୍ଟରେ ଅନୁଷ୍କା-ବିରାଟଙ୍କର ବାହାଘର ହୋଇଛି ତାହା ପ୍ରାୟତଃ ଡିସେମ୍ବରରରେ ବନ୍ଦ ରହିଥାଏ। ହେଲେ କେବଳ ଅନୁଷ୍କା-ବିରାଟଙ୍କ ବାହାଘର ପାଇଁ ଏହି ରିସୋର୍ଟ ଖୋଲା ଯାଇଛି।

ବିରାଟ ଡିସେମ୍ବର ମାସରେ ଲମ୍ବା ଛୁଟିରେ ଯାଇଛନ୍ତି। କାହାକୁ କିଛି ନଜଣାଇ ବିରାଟ ହଠାତ୍ ଡିସେମ୍ବର ୭ରେ ଗାଏବ ହୋଇ ଯାଇଥିଲେ। ତାଙ୍କ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଲା। ବିରାଟ ଅନୁଷ୍କାଙ୍କୁ ନେଇ ଇଟାଲୀ ପଳାଇଥିବା କୁହାଗଲା। ହେଲେ ଏନେଇ କିଛି ସ୍ପଷ୍ଟ ଉତ୍ତର ମିଳି ନଥିଲା। ୧୨ ତାରିଖରେ ଉଭୟଙ୍କ ବାହାଘର ହେବ ବୋଲି ଚର୍ଚ୍ଚା ହେଲା। ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିରାଟ ଅନୁଷ୍କାଙ୍କର ହୋଇଛନ୍ତି।  ୧୧ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଏହି ବାହାଘରରେ ବିରାଟ କୋହଲିଙ୍କ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିବା କୁହାଯାଉଛି। ଏହାସହ ସଚିନ ତେନ୍ଦୁଲକର ଏବଂ ଶାହାରୁଖ ଖାନ୍‌ ବି ଏହି ବିବାହରେ ସାମିଲ ହୋଇଥିବା କୁହାଯାଉଛି।

ଡିସେମ୍ବର ୨୧ରେ ମୁମ୍ବାଇରେ ରିସେପସନ୍‌ ହେବ ବୋଲି ଚର୍ଚ୍ଚା ହେଉଛି। ଏନେଇ ଔପଚାରିକ ଭାବେ ଘୋଷଣା ହେବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ୨୦୧୩ରୁ ବିରାଟ-ଅନୁଷ୍କାଙ୍କ  ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏକ ବିଜ୍ଞାପନ ସୁଟିଂରେ ଉଭୟଙ୍କର ଦେଖା ହୋଇଥିଲା।

Comment