ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦେଶ ମାଟିରେ ଆଉ ଜଣେ ଓଡ଼ିଆଙ୍କ ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଆ ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ରଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସେ କେନିଆ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି।

କେନିଆ ପାର୍ଲାମେଣ୍ଟରେ ଓଡ଼ିଆ ପ୍ରତିନିଧି। ଏହି ସଫଳତା ହାସଲ କରିଛନ୍ତି ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର। ପେଶାରେ ଶ୍ରୀ ମିଶ୍ର ଡାକ୍ତର ହୋଇଥିଲେ ମଧ୍ୟ କେନିଆର ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। କେନିଆର ୟୁଆସିନ୍ ଗିସୁ କାଉଣ୍ଟିର ‘କେସେସ୍‌’ ନିର୍ବାଚନମଣ୍ଡଳୀରୁ ସେ ବିଜୟୀ ହୋଇଛନ୍ତି। ଜୁବୁଲୀ ପାର୍ଟି ଟିକେଟରୁ ନିର୍ବାଚନ ଲଢ଼ି ତାଙ୍କ ପ୍ରତିଦ୍ୱନ୍ଦ୍ବୀ ଆଇଜାକ୍‌ ଟେରରଙ୍କୁ ୫ ହଜାର ୬୮୧ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି।

ଡାକ୍ତର ସ୍ବରୂପ ରଞ୍ଜନ ମିଶ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ। ଉଭୟ ୧୯୯୭ରେ କେନିଆ ଯାଇଥିଲେ। ଆଫ୍ରିକା ମହାଦେଶରେ ଏଭଳି ସଫଳା ପାଇବାରେ ଶ୍ରୀ ମିଶ୍ର ହେଉଛନ୍ତି ପ୍ରଥମ ଓଡ଼ିଆ।

ଜଗତସିଂହପୁର ଜିଲ୍ଲା ଏରସମାର ପଞ୍ଚପଲ୍ଲୀ ଅଞ୍ଚଳରେ ଡାକ୍ତର ମିଶ୍ରଙ୍କ ଘର। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଡାକ୍ତରୀ ପାସ୍ କରିବା ପରେ ସେ ମୁମ୍ବାଇ ମୁମ୍ବାଇ ଯାଇଥିଲେ। ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଜୁନିଅର କନସଲଟାଣ୍ଟ ଭାବେ ସ୍ୱରୂପ ରଞ୍ଜନ କ୍ୟାରିଅର ଆରମ୍ଭ କରିଥିଲେ।

୧୯୯୭ରେ ସେ କେନିଆ ଯାତ୍ରା କରିଥିଲେ। ସେଠାରେ ସେ ଅଧ୍ୟାପକ ବୃତ୍ତିକୁ ଆପଣାଇଥିଲେ। ସେ ଟରୋଣ୍ଟୋ ଏବଂ ଆମେରିକା ଯାଇଥିଲେ ବି ସେଠାରେ ରହିବା ପାଇଁ ତାଙ୍କ ମନ ଲାଗି ନଥିଲା। ଶେଷରେ ସେ ଆଫ୍ରିକା ଫେରି ଆସିଥିଲେ। ମେଡିହିଲ୍‌ ଗ୍ରୁପ୍ ଅଫ୍ ହସ୍ପିଟାଲ ପ୍ରତିଷ୍ଠା କରି ଲୋକଙ୍କ ସେବା କରିଥିଲେ। ଏହାସହ ସେ କେନିଆରେ ୫ଟି ପ୍ରାଥମିକ ଏବଂ ୪ଟି ଉଚ୍ଚପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରିଛନ୍ତି। କେନିଆରେ ଦୀର୍ଘ ଦିନର ସେବା ଏବଂ ଲୋକଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଡାକ୍ତର ମିଶ୍ର ସେଠାକାର ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଥିଲେ।

LEAVE A REPLY

Please enter your comment!
Please enter your name here