ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ୱିତୀୟ ବିବାହ ବାର୍ଷିକୀରେ ରୋହିତ କରିଛନ୍ତି ୨୦୮ ରନ୍। ସ୍ମରଣୀୟ ଦିନରେ ତୃତୀୟ ଥର ପାଇଁ ଏହି ରେକର୍ଡ ହାସଲ କରିବା ପରେ ରୋହିତ ତାଙ୍କ ଡବଲ୍‌ ସେଞ୍ଚୁରିକୁ ସ୍ତ୍ରୀ ରିତିକାଙ୍କୁ ଉପହାର ଦେଇଛନ୍ତି।

୨୦୧୫ ଡିସେମ୍ବର ୧୩ରେ କ୍ରିକେଟର୍ ରୋହିତ ଶର୍ମା ରିତିକାଙ୍କୁ କରିଥିଲେ ବିବାହ। ଆଜି ହେଉଛି ୨୦୧୭ ଡିସେମ୍ବର ୧୩। ରୋହିତ ଏବଂ ରିତିକା ଆଜି ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ସ୍ମରଣୀୟ ଦିନରେ ରୋହିତ ଅନନ୍ୟ ରେକର୍ଡ ହାସଲ କରିଛନ୍ତି। ମୋହାଲିର ବିନ୍ଦ୍ରା ଷ୍ଟାଡିୟମରେ ସେ କ୍ୟାରିଅରର ତୃତୀୟ ଥର ପାଇଁ ଡବଲ ସେଞ୍ଚୁରି ହାସଲ କରିଛନ୍ତି।

ରୋହିତ ଏହି ଡବଲ୍‌ ସେଞ୍ଚୁରିକୁ ସ୍ତ୍ରୀ ରିତିକାଙ୍କୁ ଉପହାର ଦେଇଛନ୍ତି। ଆଉ ରିତିକା ବି ଭାବବିହ୍ୱଳ ହୋଇ ଏହାକୁ ଗ୍ରହଣ କରିଛନ୍ତି।

୬ ବର୍ଷର ଡେଟିଂ ପରେ ବାହାଘର

ବାହାଘର ପୂର୍ବରୁ ରିତିକା ଏବଂ ରୋହିତ ପରସ୍ପରକୁ ଜାଣିଥିଲେ। ୬ ବର୍ଷ ଧରି ଡେଟିଂ ପରେ ରିତିକାଙ୍କୁ ରୋହିତ ବାହା ହୋଇଥିଲେ। ବାହାଘର ପୂର୍ବରୁ ରିତିକା ସ୍ପୋର୍ଟସ୍‌ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିରେ ମ୍ୟାନେଜର ରହିଥିଲେ। ଏକ ଇଭେଣ୍ଟରେ ରିତିକାଙ୍କ ସହ ରୋହିତଙ୍କର ଦେଖା ହୋଇଥିଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା।

ରିତିକାଙ୍କୁ ପ୍ରପୋଜ କରିବା ପାଇଁ ରୋହିତ ବୋରିବାଲି ସ୍ପୋର୍ଟସ୍‌ କ୍ଲବ ଗ୍ରାଉଣ୍ଡକୁ ଡାକିଥିଲେ। ଏହି କ୍ଲବରୁ ହିଁ ରୋହିତ ୧୧ ବର୍ଷ ତଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।

ଗ୍ୟାଲେରୀରେ ବସି ରୋହିତଙ୍କ ଖେଳ ଦେଖୁଥିଲେ ରିତିକା

ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ମୋହାଲିର ବିନ୍ଦ୍ରା ଗ୍ରାଉଣ୍ଡରେ ମ୍ୟାଚ ଖେଳୁଥିଲେ ରୋହିତ। ରୋହିତଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ ରିତିକା। ରୋହିତ ଯେତେବେଳେ ପଡ଼ିଆରେ ରହି ଗୋଟିଏ ଚୌକା କିମ୍ବା ଛକା ମାରୁଥିଲେ ସେତେବେଳେ ରିତିକା ଗ୍ୟାଲେରୀରେ ଛିଡ଼ା ହୋଇ ତାଳି ମାରୁଥିଲେ।

ପଡ଼ିଆରୁ ଫ୍ଲାଇଙ୍ଗ୍ କିସ୍‌ ଦେଲେ ରୋହିତ

ରୋହିତ ୧୩ଟି ଚୌକା ଏବଂ ୧୨ଟି ଛକା ମାରି ଶ୍ରୀଲଙ୍କା ବୋଲରଙ୍କ ନିଦ ହଜାଇ ଦେଇଥିଲେ। ୧୫୩ ବଲରେ ୨୦୮ ରନ୍ କରିବା ପରେ ରିତିକା ଭାବବିହ୍ବଳ ହୋଇଯାଇଥିଲେ। ଗ୍ୟାଲେରୀରେ ଛିଡ଼ା ହୋଇ ରିତିକା ତାଳି ମାରିବା ବେଳେ ପଡ଼ିଆରୁ ରୋହିତ ଦେଇଥିଲେ ଫ୍ଲାଇଙ୍ଗ୍ କିସ୍‌। ଖାଲି ସେତିକି ନୁହେଁ, ରିତିକା ଦେଇଥିବା ମୁଦିକୁ ମଧ୍ୟ ରୋହିତ କିସ୍‌ କରିଥିଲେ।

Comment