ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାଦୀୟ ଫିଲ୍ମ ‘ପଦ୍ମାବତୀ’ର ନାଁ ବଦଳିବ। କିଛି ଦୃଶ୍ୟକୁ ମଧ୍ୟ ବାଦ୍‌ ଦିଆଯିବ। ଏଭଳି ନିର୍ଦ୍ଦେଶ ଦେଇଛି ସେନ୍‌ସର୍‌ ବୋର୍ଡ। ୨୦୧୮ରେ ଫିଲ୍ମଟି ପରଦାକୁ ଆସିବ।

ସେନ୍‌ସର ବୋର୍ଡରୁ ଫିଲ୍ମ ପଦ୍ମାବତୀକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ। ଫିଲ୍ମରେ କିଛି ଦୃଶ୍ୟ ପରିବର୍ତ୍ତନ ହେବା ସହ ଖୁବଶୀଘ୍ର ଏହା ପରଦାକୁ ଆସିବ ବୋଲି ଜଣାପଡ଼ିଛି। ବିଭିନ୍ନ ଦିଗରୁ ତର୍ଜମା କରିବା ପରେ ସେନ୍ସର ବୋର୍ଡ ରିଲିଜ ପାଇଁ ଅନୁମତି ଦେଇଥିବା କୁହାଯାଉଛି। ୨୮ ତାରିଖରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରିଲିଜ ପୂର୍ବରୁ ଫିଲ୍ମର ନାଁ ଏବଂ କିଛି ଦୃଶ୍ୟରେ ପରିବର୍ତ୍ତନ କରିବାକୁ ସେନ୍‌ସର ବୋର୍ଡ ନିର୍ଦ୍ଦେଶ ଦେଇଛି।

ରିଲିଜ ପୂର୍ବରୁ ପଦ୍ମାବତୀ ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିଲା। ବିବାଦର ସମାଧାନ କରିବା ପାଇଁ ସେନ୍‌ସର ବୋର୍ଡ ପକ୍ଷରୁ ରିଭ୍ୟୁ କମିଟି ଗଠନ କରାଯାଇଥିଲା। କମିଟି ଫିଲ୍ମର ନାଁ ଏବଂ ବିବାଦୀୟ ଘୁମୁର ଗୀତ ଉପରେ ଆପତ୍ତି ଉଠାଇଥିଲେ। ଏହାକୁ ପରିବର୍ତ୍ତନ କରିବାକୁ କମିଟି ପରାମର୍ଶ ଦେଇଥିଲା। ପଦ୍ମାବତୀକୁ ୟୁ/ଏ ସାର୍ଟିଫିକେଟ ଦେବାକୁ ସେନସର ବୋର୍ଡ ରାଜି ହୋଇଛି।

ଡିସେମ୍ବର ୧୨ ତାରିଖରେ ଫିଲ୍ମଟି ରିଲିଜ ହେବାକୁ ନିଷ୍ପତ୍ତି ହୋଇଥିଲା। କରନୀ ସେନା ଏବଂ କିଛି ଅନୁଷ୍ଠାନ ଫିଲ୍ମର ନିମାଣକୁ ନେଇ ଆପତ୍ତି ଉଠାଇଥିଲେ। ରାଜସ୍ଥାନ ଚିତୋଗଡ଼ର ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ଭୁଲ୍ ଭାବେ ଉପସ୍ଥାପିତ କରିଥିବା କରନୀ ସେନା ଅଭିଯୋଗ କରିଥିଲା। ନିର୍ଦ୍ଦେଶକ ଭନ୍‌ସାଲୀ ଏବଂ ରାଣୀଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ପାଦୁକୋନଙ୍କୁ ହତ୍ୟା ଧମକ ମିଳିଥିଲା। ଜୋରଦାର ବିରୋଧ ହେବା ପରେ ରିଲି ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

Comment