ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ହେଲା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାରେ ପଛରେ ପଡ଼ିଛି। ହାତ ଗଣତି କୋତୋଟି ଫିଲ୍ମ ଦର୍ଶକଙ୍କୁ ଖୁସି କରିବାରେ ମଧ୍ୟ ବିଫଳ ହୋଇଛି। ଏବେ ଫିଲ୍ମ ଦୁନିଆଁରେ ସାଉଥ ସିନେମା ନିଜର ଆଧିପତ୍ୟ ଜାହିର କରିବା ଆରମ୍ଭ କରିଛି।

ଦିନେ ଭାରତୀୟ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଉଥିବା ବଲିଉଡ ସିନେମା ଏବେ ନିଜର ଦବଦବା ହରାଇବାକୁ ବସିଲାଣି। ଏବେ ସାଉଥ ଫିଲ୍ମର କ୍ରେଜ ଦର୍ଶକଙ୍କ ହୃଦୟ କିଣିବା ଆରମ୍ଭ କରିଛି। କେବଳ ଦର୍ଶକଙ୍କ ହୃଦୟ ନୁହେଁ ଭଲ ବ୍ୟବସାୟ ମଧ୍ୟ କରୁଛି ସାଉଥ ସିନେମାଗୁଡ଼ିକ।

ଚାହିଦାକୁ ଦେଖି ସାଉଥ୍ ସିନେମା ନିର୍ମାଣ କରୁଥିବା ପ୍ରଯୋଜକମାନେ ଏବେ ସେମାନଙ୍କ ଫଲ୍ମଗୁଡ଼ିକୁ ହିନ୍ଦୀରେ ଡବିଂ କରିବା ଆରମ୍ଭ କଲେଣି। ତେଣୁ ବଲିଉଡ ପାଇଁ ରିମେକର ସୁଯୋଗ ମଧ୍ୟ ନାହିଁ। ଏବେ ସାଉଥ ଫିଲ୍ମ କ୍ରେଜରେ ଦର୍ଶକ।

ବଲିଉଡରେ ରାଜ କରୁଥିବା ତିନି ଖାନ ସଲମାନ, ସାହାରୁଖ ଏବଂ ଅମୀର ଖାନଙ୍କର ଫିଲ୍ମ ପରଦାକୁ ଆସିବା ଅନେକ ଦିନ ହୋଇଗଲାଣି। ସାଉଥ ସୁପରଷ୍ଟାର ୟଶ, ଆଲୁ ଅର୍ଜୁନ, ରାମଚରଣ, ଜୁନିଅର ଏନଟିଆର, ସୂର୍ଯ୍ୟା, ପ୍ରଭାସ ଏବଂ ବିଜୟ ଏବେ ଦର୍ଶକଙ୍କ ହୃଦୟରେ ରାଜ କରିବା ଆରମ୍ଭ କରିଛନ୍ତି।

ସାଉଥ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ, ଏହାର ସିଗ୍ନେଚର ଡ୍ୟାନ୍ସରେ ପୂରା ବିଶ୍ୱ ନାଚିଲା। କୋଟି କୋଟି ରିଲ୍ସ ପ୍ରସ୍ତୁତ ହୋଇ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଧମାଲ ମଚାଇଲା। ଏପରିକି ବଲିଉଡ ଏବଂ କ୍ରିକେଟର ଅନେକ ତାରକା ‘ଶ୍ରୀବଲ୍ଲି’ ସିଗ୍ନେଚରର ଦିଓ୍ୱାନା ହୋଇଗଲେ। ‘ପୁଷ୍ପା ଝୁକେଗା ନହିଁ’ ଏବେ ବି ଟ୍ରେଣ୍ଡରେ।

ଏହା ପୂର୍ବରୁ ‘ବାହୁବଳୀ’ ଓ ‘ବାହୁବଳୀ-୨’ ବି ଢେର୍ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା। ସେତେବେଳେ ‘ବାହୁବଳୀ’ ମାଡ଼ରେ ବଲିଉଡର କେତୋଟି ଫିଲ୍ମ ମଧ୍ୟ ଫିକା ପଡ଼ିଯାଇଥିଲା। କୋଭିଡ ମହାମାରୀ ପରେ ବଲିଉଡ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ପାରିନଥିବାବେଳେ ସାଉଥର ଏକାଧିକ ସିନେମା ବକ୍ସ ଅଫିସରେ ଧୁମ୍ ମଚାଉଛି। ତା’ ସାଙ୍ଗକୁ ଶହ ଶହ କୋଟିର ବ୍ୟବସାୟ ମଧ୍ୟ କରୁଛି। 

ନିକଟରେ ରିଲିଜ ହୋଇଥିବା ‘କେଜିଏଫ୍-୨’ ସବୁ ରେକର୍ଡ ଭାଙ୍ଗିବା ଉପରେ। ମାତ୍ର ସତ ଦିନରେ ୨୫୦ କୋଟି ବ୍ୟବସାୟ କରିଛି ଏହି ଫିଲ୍ମ। ପୂରା ଭାରତରେ ୪,୫୦୦ରୁ ଅଧିକ ସିନେମାଘରେ ୩ରୁ ଅଧିକ ସୋ’ରେ ଚାଲୁଛି ‘କେଜିଏଫ-୨’। ସବୁ ସୋ’ ହାଉସଫୁଲ୍। ଏହି ଫିଲ୍ମଟି ଏବେ ବଲିଉଡ ଭାଇଜାନଙ୍କ ଫିଲ୍ମର ରେକର୍ଡ ଭାଙ୍ଗିବାକୁ ବସିଛି। ‘କେଜିଏଫ୍-୧’ ମଧ୍ୟ ଚମତ୍କାର ବ୍ୟବସାୟ କରିଥିଲା।

ନିକଟରେ ରିଲିଜ ହୋଇଥିବା ଏସ୍ଏସ୍ ରାଜାମୌଲ୍ଲିଙ୍କ ‘ଆରଆରଆର’ ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା। ଏହି ଫିଲ୍ମଟିର ଗୀତ ଦର୍ଶକଙ୍କ ମନ ମଧ୍ୟ କିଣିଥିଲା। ସାଉଥର ମଣିରତ୍ନମ ଓ ଶଙ୍କରଙ୍କୁ ଛାଡ଼ିଦେଲେ ସର୍ବଭାରତୀୟ ସ୍ତରର ଫିଲ୍ମ ପ୍ରାୟ କେହି ନିର୍ମାଣ କରିନଥିଲେ। କିନ୍ତୁ ‘ବାହୁବଳୀ’ର ସଫଳତା ପରେ ଏବେ ‘ପୁଷ୍ପା’, ‘ଆରଆରଆର’ ଏବଂ ‘କେଜିଏଫ୍-୨’ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି।

ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ତେଲଗୁ କିମ୍ବା ତାମିଲ ଫିଲ୍ମକୁ ଟକ୍କର ଦେବା ଭଳି ହିନ୍ଦୀ ଫିଲ୍ମ ରିଲିଜ ହୋଇପାରି ନାହିଁ। ‘ଗଙ୍ଗୁବାଇ’ ଓ ‘କଶ୍ମୀର ଫାଇଲ୍ସ’ର କାହାଣୀ ଦର୍ଶକଙ୍କ ମଧ୍ୟରେ ଆଦ୍ରୁତି ଲାଭ କରିଥିଲା। କିନ୍ତୁ ବେଶୀ ସମୟ ଧରି ଏହି ଦୁଇଟି ଫିଲ୍ମ ଚାଲିପାରିନଥିଲା। କୋଭିଡ ଯୋଗୁଁ  ବିଳମ୍ବରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ‘ରାଧେ’ ନିଜର ଜଲ୍‌ବା ଦେଖାଇପାରିନଥିଲା।

ଜଣେ ବିଶିଷ୍ଟ ଚଳଚ୍ଚିତ୍ର ସମୀକ୍ଷକ କହିଛନ୍ତି, “ବଲିଉଡ ଏବେ ଅଳସୁଆ ହୋଇଗଲାଣି। ସେମାନଙ୍କ ପାଖରେ ଆଉ ଭଲ କାହାଣୀ ନାହିଁ। ପ୍ରଡ୍ୟୁସରମାନେ କମର୍ସିଆଲ ହିଟ୍ କଥା ଚିନ୍ତା କରୁନାହାନ୍ତି। ସେମାନେ ଅଭିନେତାମାନଙ୍କ କାନ୍ଧରେ ବସି ବୈତରଣୀ ପାର ହେବା କଥା ଚିନ୍ତା କରୁଛନ୍ତି”।

ଏବେ ବଲିଉଡ ସିନେମା ଅପେକ୍ଷା ତେଲଗୁ, ତାମିଲ ଏବଂ କନ୍ନଡ ଫିଲ୍ମ ଡବିଂ ହୋଇ ଛୋଟ ପରଦାରେ ପ୍ରଦର୍ଶିତ ହେଉଛି। କିଛି ବର୍ଷ ତଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବଲିଉଡ ସମାନ୍ତରାଳ ଏକ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଷ୍ଟୁଡିଓ କରିବା ପାଇଁ କହିଥିଲେ। ଏଥିରେ ବଲିଉଡର ଦବଦବା କମାଇବା ତାଙ୍କର ଉଦ୍ଦେଶ୍ୟ ଥିଲା। ସାଉଥ ଫିଲ୍ମର ରାଜ ଯୋଗୁଁ ଏବେ ବଲିଉଡର ଚମକ ଧୀରେ ଧୀରେ କମିବାକୁ ଲାଗିଲାଣି।

Tags: #Movie #Film #SouthCinema #SouthMovie #BollywoodFilm

Comment