ଓଡ଼ିଶାଲାଇଭ୍‍ ବ୍ୟୁରୋ

ସୁଟିଂସେଟ୍‌ରେ ବର୍ଷାରେ ଓଦା ହେବାର ମଜା କିଛି ନିଆରା। ଏମିତି କିଛି ନିଆରା ଅନୁଭବ ପାଇଛନ୍ତି ଓଲିଉଡର ହଟ୍‌ ନାୟିକା ସୁପ୍ରିୟା ନାୟକ। ଫିଲ୍ମ ‘ଓନ୍‌ଲି ପ୍ୟାର୍’ ସୁଟିଂ ବେଳେ ବର୍ଷାରେ ଓଦା ହେବାର ସ୍ମୃତି ବଖାଣିଛନ୍ତି ସୁପ୍ରିୟା।

‘‘ବର୍ଷାରେ ଓଦାହୋଇ ବାବୁସାନଙ୍କ ସହ ସଟ୍‌ ଦେଲା ବେଳେ ଏକ ନିଆରା ଘଟଣା ଘଟିଥିଲା। ବର୍ଷାରେ ଓଦା ହୋଇ ଆମେ ଜଡ଼ ପାଲଟିଯାଇଥିଲୁ। ଶେଷରେ ସୁଟିଂ ସେଟ୍‌ର କର୍ମକର୍ତ୍ତା ଆମକୁ ଟାୱେଲରେ ଘୋଡେଇ ଥଣ୍ଡା ଛଡ଼ାଇଥିଲେ’’, କହିଛନ୍ତି ଓଲିଉଡ୍‌ର ହଟ୍ ନାୟିକା ସୁପ୍ରିୟା ନାୟକ।

ମୁନ୍‌ସାଇନ୍‌ ଏଣ୍ଟରଟେନମେଣ୍ଟ ବ୍ୟାନର ନିବେଦିତ ସିନେମା ‘ଓନ୍‌ଲି ପ୍ୟାର୍’ରେ ତାଙ୍କର ଓ ବାବୁସାନଙ୍କ ଅନ୍‌ସ୍କ୍ରିନ୍ କେମେଷ୍ଟ୍ରି ଦର୍ଶକଙ୍କ ମନକୁ ଛୁଇଁବାର ବିଶ୍ୱାସ ରଖିଛନ୍ତି ସୁପ୍ରିୟା। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ତାପସ୍ ସରଘରିଆ ଓ ସଂଗୀତ ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ଅଭିଜିତ୍ ମଜୁମଦାର। ତେବେ ଏଥିରେ ସୁପ୍ରିୟା ଓ ବାବୁସାନ୍‌ଙ୍କ ପ୍ରାୟ ୧୮ଟି ୱାସିଂ ସିନ୍‌ ସୁଟିଙ୍ଗ୍ ହୋଇଥିବା ବେଳେ ଏଡିଟିଂ ପରେ ଦର୍ଶକଙ୍କୁ କେତୋଟି ସିନ୍‌ ଦେଖିବାକୁ ମିଳୁଛି ତାହା ସିନେମା ରିଲିଜ୍ ହେବା ପରେ ଜଣାପଡ଼ିବ। ସିନେମାରେ ସୁଟିଂ କର୍ଣ୍ଣାଟକର କୁର୍ଗ, ବାଙ୍ଗାଲୋର ଓ ଓଡ଼ିଶାର କୋରାପୁଟଠାରେ ହୋଇଯାଇଛି।

‘‘ପ୍ରାୟ ୪୦ ଦିନ ଭିତରେ ସିନେମାର ସୁଟିଂ ସରିଯାଇଛି। ଆମେ ସମସ୍ତେ ଗୋଟିଏ ପରିବାର ପରି ବାଙ୍ଗାଲୋରରେ ରହୁଥିଲୁ। ତେଣୁ ସୁଟିଂ ସାରି ଫେରିବା ବେଳେ ମନ କଷ୍ଟ ମଧ୍ୟ ହେଉଥିଲା’’, କହିଛନ୍ତି ସୁପ୍ରିୟା।

ବାବୁସାନ୍‌ଙ୍କ ସହିତ ‘ଲଭ୍‌ ପାଇଁ କୁଛ ଭି କରେଗା’ ସିନେମା ମାଧ୍ୟମରେ ସେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। କିନ୍ତୁ ‘ଓନ୍‌ଲି ପ୍ୟାର୍’ରେ ତାଙ୍କର ମାନସିକ ରୋଗଗ୍ରସ୍ତ ଚରିତ୍ର ପାଇଁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା ବୋଲି ସେ କୁହନ୍ତି।

‘‘ତାପସ୍ ସାର୍ ମୋତେ ଏପରି ଚ୍ୟାଲେଞ୍ଜ୍ ରୋଲ୍ ପାଇଁ ଅଫର୍ ଦେଇଥିବାରୁ ମୁଁ ବହୁତ ଖୁସି। ଏଥିରେ ମୋତେ ନିଖୁଣ ଅଭିନୟ କରିବାର ସୁଯୋଗ ମଧ୍ୟ ମିଳିଛି। କୋରିଓଗ୍ରାଫର୍ ଗିରିଶ ମହାନ୍ତି ମଧ୍ୟ ମୋତେ ସୁହାଇଲା ପରି ଷ୍ଟେପ୍‌ସ ଦେଇଛନ୍ତି”, କହିଛନ୍ତି ସୁପ୍ରିୟା।

ଏହି ସିନେମାରେ ବାବୁସାନ୍‌ଙ୍କ ସହ ତାଙ୍କ ରୋମାନ୍ସ ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଦେବ ବୋଲି ତାଙ୍କର ବିଶ୍ୱାସ। ବାବୁସାନଙ୍କ ପରି କୋ-ଆକ୍ଟରଙ୍କର ସହ କାମ କରି ତାଙ୍କୁ ଅଭିନୟ କ୍ଷେତ୍ରରେ ବହୁତ କିଛି ଶିଖିବାକୁ ମିଳିଲା ବୋଲି ସେ ମନେ କରନ୍ତି।

‘ଓନ୍‌ଲି ପ୍ୟାର’ ଆସନ୍ତା ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Comment