ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ନୂତନ ବୈଦେଶିକ ସଚିବ ହେବେ ବିଜୟ କେଶବ ଗୋଖଲେ। ସେ ଜାନୁଆରୀ ୨୮ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ।

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତର ନୂତନ ବୈଦେଶିକ ସଚିବ ଭାବେ ବିଜୟ କେଶବ ଗୋଖଲେଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କ ସ୍ଥାନରେ ଶ୍ରୀ ଗୋଖଲେ ଦାୟିତ୍ୱ ଗ୍ରହଣ କରିବେ। ଗୋଖଲେ ଚୀନ୍‌ରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ। ଚୀନ ସହିତ ସୃଷ୍ଟି ହୋଇଥିବା ଡୋକଲାମ ବିବାଦର ସମାଧାନ ଦିଗରେ ଶ୍ରୀ ଗୋଖଲେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଜାନୁଆରୀ ୨୮ ତାରିଖରେ ଏସ୍‌ ଜୟଶଙ୍କର ଅବସର ଗ୍ରହଣ କରିବେ। ସେହିଦିନ ଶ୍ରୀ ଗୋଖଲେ ଜୟଶଙ୍କରଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ।

ଏସ୍‌ ଜୟଶଙ୍କର ଗତ ୩ ବର୍ଷ ହେଲା ଭାରତର ବୈଦେଶିକ ସଚିବ ଭାବେ ଜଣେ ସଫଳ କୂଟନୈତିକ ଭାବେ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ଜଣାଶୁଣା। ୨୦୧୫ ମସିହାରେ ତାଙ୍କ ଅବସରର କିଛିଦିନ ପୂର୍ବରୁ ଜୟଶଙ୍କରଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।

ଗୋଖଲେଙ୍କୁ ଗତବର୍ଷ ଚୀନ ରାଷ୍ଟ୍ରଦୂତ ପଦବୀରୁ ଅପସାରଣ କରାଯାଇ ବୈଦେଶିକ ମନ୍ତ୍ରାଳୟର ଆର୍ଥିକ ସମ୍ପର୍କ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା। ସେ ଦୁଇ ବର୍ଷ ପାଇଁ ଭାରତର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିବେ।

Comment