ଓଡ଼ିଶାଲାଇଭ୍‍ ବ୍ୟୁରୋ

ନୂଆଦିଲ୍ଲୀରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଇଂରାଜୀ ନୂଆବର୍ଷ ପାଳିଛନ୍ତି ଯୋଡାମୁଣ୍ଡ ଅଲଗା ହୋଇଥିବା ଶିଶୁ ଜଗା-କାଳିଆ। ଉଭୟଙ୍କ ମୁଣ୍ଡରେ ଥିଲା ଫ୍ୟାନ୍ସ ଟୋପି। ପିନ୍ଧିଥିଲେ ରଙ୍ଗବେରଙ୍ଗର ନୂଆ ପୋଷାକ। ଜଗା ବାପାଙ୍କ କୋଳରେ ବସିଥିବା ବେଳେ କାଳିଆ ପାଖରେ ବସିଥିଲେ ମା’। ଦୁଇ ପାଖରେ ଥିଲେ ଦୁଇଜଣ ଡାକ୍ତର।

ଉତ୍ସବ ପାଳନ ସ୍ଥଳକୁ ସୁନ୍ଦରଭାବେ ସଜାଇଥିଲେ ଏମ୍ସ କର୍ତ୍ତୃପକ୍ଷ। ଏହି ଫଟୋକୁ ଏମ୍ସ କର୍ତ୍ତୃପକ୍ଷ ସୋସିଆଲ ମିଡିଆରେ ଜାରି କରିଛନ୍ତି। ଫଟୋଟି ଭାଇରାଲ ହେବା ପରେ ସମଗ୍ର ଓଡ଼ିଶାରେ ଆନନ୍ଦର ଲହରି ଖେଳିଯାଇଛି।

ଗତ ଅକ୍ଟୋବର ୨୫ ତାରିଖରେ ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଏହି ଦୁଇ ଶିଶୁଙ୍କୁ ଦୀର୍ଘ ୧୧ ଘଣ୍ଟାର ଅପରେସନ୍ ପରେ ଅଲଗା କରାଯାଇଥିଲା। ଏମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଜଗା-କାଳିଆଙ୍କୁ ପୃଥକ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ଅବସର ନେଇସାରିଛନ୍ତି।

ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନରେ ଅବହେଳା କରିବେ ନାର୍ହି ନାହିଁ ବୋଲି ଡାକ୍ତର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଜଗାର ସ୍ବାସ୍ଥ୍ୟାବସ୍ଥାରେ ଅଧିକ ଉନ୍ନତି ହେଉଛି। କାଳିଆ ମଧ୍ୟ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି। ଉଭୟଙ୍କୁ ଆଉ ତିନିମାସ ପର୍ଯ୍ୟନ୍ତ ଡାକ୍ତରୀ ଦଳ ଅନୁଧ୍ୟାନରେ ରଖିବେ।

Comment