ଓଡ଼ିଶାଲାଇଭ୍ ବ୍ୟୁରୋ
୩୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି ନବରତ୍ନ କମ୍ପାନି ନାଲ୍କୋ। ନାଲ୍କୋ ଅଡିଟୋରିୟମ୍ ହଲ୍ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ଏସ୍ ସି ଜମିର “ଗୁଡ୍ ଗଭର୍ଣ୍ଣାନ୍ସ: କି ଟୁ ସସ୍ଟେନେବୁଲ୍ ଡେଭଲପ୍ମେଣ୍ଟ” ଶୀର୍ଷକ ବକ୍ତୃତା ଦେଇଛନ୍ତି।
“ବିଗତ ଦିନରେ ଅର୍ଥନୀତି କ୍ଷେତ୍ରରେ ଭାରତର ସ୍ଥିତି ଯାହା ଥିଲା ତାହା ଏବେ ଆଉ ନାହିଁ। ବିଶ୍ୱ ଅର୍ଥନୀତିରେ ଭାରତ ତାର ସ୍ଥିତିକୁ ସୁଦୃଢ଼ କରିପାରିଛି। ଭାରତର ଅର୍ଥନୈତିକ ବିକାଶ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହା ଆମ ଦେଶ ପାଇଁ ଶୁଭସଙ୍କେତ। ଦିନ ଥିଲା ଆମ ଦେଶର ଯୁବପିଢ଼ିଙ୍କୁ ଚାକି ରି ମିଳୁ ନଥିଲା। କିନ୍ତୁ ଏବେ ଚାକିରି କ୍ଷେତ୍ରରେ ପ୍ରତିଯୋଗିତା ସୃଷ୍ଟି ହୋଇଛି। ଆଗାମୀ ପିଢ଼ିଙ୍କ ପାଇଁ ଆମେ ଏକ ନୂଆ ସୁଯୋଗ ସୃଷ୍ଟି କରିପାରିଛେ”, ରାଜ୍ୟପାଳ ଡକ୍ଟର ଏସ୍ସି ଜମିର ଏହା କହିଛନ୍ତି।
ନବରତ୍ନ କମ୍ପାନି ନାଲକୋ ତାର ୩୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଗୁରୁବାର ଅନୁଷ୍ଠିତ ହୋଇଥିବା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ଏସ୍ ସି ଜମିର ଯୋଗଦେଇ “ଗୁଡ୍ ଗଭର୍ଣ୍ଣାନ୍ସ: କି ଟୁ ସସ୍ଟେନେବୁଲ୍ ଡେଭଲପ୍ମେଣ୍ଟ” ଶୀର୍ଷକ ବକ୍ତୃତା ଦେଇଥିଲେ।
“ବଡ଼ ବଡ଼ କମ୍ପାନିମାନଙ୍କ ପାଇଁ ସ୍କିଲ୍ ଇଣ୍ଡିଆ ମିଶନ୍ ନୂଆ ସୁଯୋଗ ସୃଷ୍ଟି କରିଛି। ଦେଶର କୌଶଳ ବିକାଶ କ୍ଷେତ୍ରରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବା ପାଇଁ କମ୍ପାନିମାନଙ୍କୁ ଏହି ମିଶନ୍ ଆହ୍ୱାନ ଦେଇଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନି। ଓଡ଼ିଶାରେ ଥିବା କମ୍ପାନିଗୁଡ଼ିକ ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହୋଇଛନ୍ତି। ସ୍କିଲ୍ ଇଣ୍ଡିଆ ମିଶନ୍ରେ ମିଳୁଥିବା ସୁଯୋଗକୁ ଓଡ଼ିଶା ସଦୁପଯୋଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।”
ରାଜ୍ୟପାଳ ଆହୁରି କହିଛନ୍ତି ଯେ, “ସିଏସ୍ଆର୍ କାର୍ଯ୍ୟକ୍ରମରେ ନାଲ୍କୋ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ବିକାଶ ପାଇଁ ନାଲ୍କୋ ବହୁ ପଦକ୍ଷେପ ନେଇଛି। ଉତ୍କୃଷ୍ଟ ମାନର ଆଲୁମିନିୟମ୍ ଉତ୍ପାଦନରେ ନାଲ୍କୋ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନାଲ୍କୋ ତାର ମାନ ବଜାୟ ରଖିଛି। ନିରାପତ୍ତା ଏବଂ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ନାଲକୋ ବିଭିନ୍ନ ସମୟରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଓଡ଼ିଶାରେ ଏଭଳି ଏକ ସଂସ୍ଥା ପ୍ରତିଷ୍ଠା ହୋଇଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।”
ଉଦ୍ଘାଟନୀ ଉତ୍ସବରେ ନାଲ୍କୋ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ନାଲକୋ ପକ୍ଷରୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏନ୍ଆଇଟି ରାଉରକେଲାରୁ ପୂର୍ବତନ ଛାତ୍ର ଅମୀୟ କୁମାର ସାମନ୍ତରାୟଙ୍କୁ ନାଲକୋ ଗ୍ରୀନ୍ ଆୱାର୍ଡ ପ୍ରଦାନ କରାଯାଇଛି। ସେହିପରି ସମାଜସେବା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ସାନ୍ତା ମେମୋରିଆଲ ରିହାବିଲିଟେସନ ସେଣ୍ଟରକୁ ନାଲକୋ ସ୍ମାଇଲ୍ସ ଆୱାର୍ଡ ଦିଆଯାଇଛି। ଅନୁଷ୍ଠାନ ପକ୍ଷରୁ ଏହାର ପ୍ରତିଷ୍ଠାତା ଡକ୍ଟର ଆଶା ହଂସ ଏହି ସମ୍ମାନ ଗ୍ରହଣ କରିଥିଲେ।
କଳା କ୍ଷେତ୍ରରେ ଅବଦାନ ପାଇଁ ୨ ଜଣ ଶିଳ୍ପୀଙ୍କୁ ଏଥର ନାଲକୋ ଫାଇନ ଆର୍ଟ୍ସ ଆୱାର୍ଡ ପ୍ରଦାନ କରାଯାଇଛି। ସେମାନେ ହେଲେ ସ୍ଥାପତ୍ୟ ଗୁରୁ ପ୍ରଭାକର ମହାରାଣା ଏବଂ ଯୁବ ବାଲୁକାଶିଳ୍ପୀ ମାନସ କୁମାର ସାହୁ।
କେବଳ ମହିଳାମାନଙ୍କୁ ନେଇ ଷ୍ଟାର୍ଟ-ଅପ ତିଆରି କରିଥିବା ଆରତି ଦେବୀଙ୍କୁ ନାଲକୋ ଷ୍ଟାର୍ଟ-ଅପ ଆୱାର୍ଡରେ ସମ୍ମାନିତ କରାଯାଇଛି।
ସାନ୍ତା ମେମ୍ମୋରିଆଲ ରିହାବିଲିଟେସନ ସେଣ୍ଟରକୁ ସମ୍ମାନଫଳକ ସହ ୧ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଅନ୍ୟ ୪ ଜଣ ବ୍ୟକ୍ତିତ୍ୱ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଁଏ ଦିଆଯାଇଛି। ମୁଖ୍ୟ ଅତିଥି ରାଜ୍ୟପାଳ ଏସ୍ ସି ଜମିରଙ୍କ ହାତରୁ ସମସ୍ତେ ଏହି ସମ୍ମାନ ଗ୍ରହଣ କରିଥିଲେ।
ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ(ଏଚ୍ଆର୍) ବି କେ ଠାକୁରଙ୍କ ସମେତ ନାଲକୋର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।