ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦ୍ୱେତନଗରୀ କଟକ-ଭୁବନେଶ୍ୱରରେ କମିଶନରେଟ୍ ପୋଲିସ୍ ବ୍ୟବସ୍ଥାକୁ ପୂରିଛି ୧୦ ବର୍ଷ। ୨୦୦୮ ମସିହାରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଦ୍ୱେତନଗରୀକୁ ଦେଇଛି ଅନେକ ସଫଳତା।

ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ପୋଲିସ୍ କମିଶନର ବ୍ୟବସ୍ଥା ପ୍ରଚଳନ କରି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଓଡ଼ିଶା ସରକାର ଗୁରୁତର ସହ ବିଚାର କରୁଛନ୍ତି। ଏହି ବ୍ୟବସ୍ଥା ରାଜ୍ୟର ଉକ୍ତ ତିନି ପ୍ରମୁଖ ସହରରେ  ଲାଗୁ କରି ଲୋକଙ୍କ ଧନଜୀବନ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି ବୋଲି ପୋଲିସ୍ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଭୁବନେଶ୍ୱରର ସପ୍ତମ ବାଟାଲିଅନ୍ ପରିସରରେ କମିଶନରେଟ୍ ପୋଲିସ୍‌ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୋଲିସ୍ ଡିଜି ଡାକ୍ତର ଶର୍ମା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବହୁ ଘାତ ପ୍ରତିଘାତକୁ  ସହି କମିଶନରେଟ୍ ପୋଲିସ୍ ଆଗକୁ ବଢ଼ିଛି। ସାବାଡ କରିଛି ବଡ଼ ବଡ଼ ଅପରାଧିଙ୍କୁ। ନ୍ୟାୟ ପାଇଛନ୍ତି ବହୁ ମହିଳା ଓ ଶିଶୁ। ପୋଲିସ୍ ସାଧାରଣ ଲୋକଙ୍କ ପ୍ରିୟଭାଜନ ହେଲେ ଅପରାଧ ନିୟନ୍ତ୍ରଣ ସହଜ ହେବ ବୋଲି ସେ କହିଥିଲେ।

ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଏସିପି ଅସୀମ ପଣ୍ଡା, ବାନାମ୍ବର ସେଠୀ, ଥାନାଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ, ଅଜୟ କୁମାର ଦାସ, ଏସ୍ଆଇ ଦୀପକ ଲେଙ୍କା, ଏଏସଆଇ ଚିତ୍ତରଞ୍ଜନ ବଳବନ୍ତ ରାୟ, ଏସ୍ଆଇ ସୂର୍ଯ୍ୟକାନ୍ତ ମିଶ୍ର, ମୁଖ୍ୟ କିରାଣି ମାୟାଧର ବାରିକ, ଟ୍ରାଫିକ୍ କନେଷ୍ଟବଲ ପୁଷ୍ପଲତା ଭୋଇ, ହାବିଲ୍‌ଦାର ତୋଫାନ ବେହେରା, ଡ୍ରାଇଭର ପ୍ରଦୀପ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comment