ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କିଛି ଦିନ ହେଲା କେନ୍ଦ୍ରାପଡ଼ା ଜିଲ୍ଲାରେ ଆତଙ୍କ ଚଳାଇଛନ୍ତି ଚୋର। ବିଭିନ୍ନ ମଠ, ମନ୍ଦିର ସହିତ ଦୋକାନ ବଜାର ଓ ଲୋକଙ୍କ ଘରେ ପଶି କଳା କନା ବୁଲାଇ ଦେଉଛନ୍ତି। ହେଲେ ଅଧିକାଶଂ ସ୍ଥାନରେ ଅନୁସନ୍ଧାନ କରି ଚୋରଙ୍କ ଟେର ପାଇପାରୁ ନାହିଁ ପୋଲିସ। ଏବେ ଚୋର ଧରିବାରେ ପୋଲିସକୁ ସହାୟତା କରିବାକୁ କେନ୍ଦ୍ରାପଡ଼କୁ ଆସିଛି ସନ୍ଧାନୀ କୁକୁର ‘ଫିନିକ୍ସ’।
ଅନେକ ସମୟରେ ସନ୍ଧାନୀ କୁକୁର ବିନା ଚୋରଙ୍କୁ ଧରିବାରେ ପୋଲିସକୁ ବାଟବଣା ହେବାକୁ ପଡୁଥିଲା। ପୂର୍ବରୁ ତାଲିମପ୍ରାପ୍ତ ସନ୍ଧାନୀ କୁକୁର ଆଣିବାକୁ କେନ୍ଦ୍ରାପଡ଼ା ପୋଲିସକୁ କଟକ ଉପରେ ନର୍ଭର କରିବାକୁ ପଡ଼ୁଥିଲା। ଏଥିପାଇଁ ଏବେ ସମସ୍ୟା ହେବ ନାହିଁ। କାରଣ କେନ୍ଦ୍ରାପଡ଼ା ପୋଲିସକୁ ମିଳିଛି ୧୮ ମାସିୟ ଲାବ୍ରାଡାର ଜାତିର ‘ଫିନିକ୍ସ’।
ଫିନିକ୍ସ ପ୍ରତିଦିନ ଅଧ କିଲୋ ମଟନ, ଗୋଟିଏ ସିଝା ଅଣ୍ଡା, ଅଧ ଲିଟର କ୍ଷୀର ସହ ୧୫୦ ଗ୍ରାମ ଚାଉଳର ଭାତ ଓ ୨୫୦ ଗ୍ରାମ ଅଟାରେ ରୁଟି ଖାଇବ ବୋଲି ଜଣାପଡିଛି। ଏଥିସହିତ ଫିନିକ୍ସ ରହିବାକୁ ଏକ କ୍ୱାର୍ଟର ସହିତ ଗାଧୋଇବାକୁ ସାମ୍ପୁର ବ୍ୟବସ୍ଥା ଥିବା ପୋଲିସ ସୁତ୍ରରୁ ସୂଚନା ମିଳିଛି।
୫ ବର୍ଷ ତଳେ ଜିଲ୍ଲା ପୋଲିସରେ କାର୍ଯ୍ୟ କରୁଥିବା ସନ୍ଧାନୀ କୁକୁର ଦୃଷ୍ଟି ଶକ୍ତି ହରାଇବାରୁ ତାକୁ ଫେରାଇ ଦିଆଯାଇଥିଲା। ସନ୍ଧାନୀ କୁକୁର ନଥିବାରୁ କେନ୍ଦ୍ରାପଡ଼ାରେ ପୋଲିସକୁ ବିଭିନ୍ନ ମାମଲାରେ ତଦନ୍ତ ପାଇଁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଥିଲା। କୁକୁର ପାଇଁ କଟକ ଉପରେ ନିର୍ଭର କରୁଥିବା ବେଳେ ୪/୫ ଘଣ୍ଟା ବିଳମ୍ବରେ ପହଞ୍ଚୁଥିଲା ସନ୍ଧାନୀ କୁକୁର। କୁକୁର ମିଳିବାରେ ସମସ୍ୟା ଦେଖା ଦେଉଥିଲା। ଏବେ ସନ୍ଧାନୀ କୁକୁର ସମସ୍ୟା ହଟିବ ବୋଲି କୁହାଯାଉଛି। ଏହି ସନ୍ଧାନୀ କୁକୁର ‘ଫିନିକ୍ସ’କୁ ଗୁରୁବାର ଏକ ଚୋରି ଘଟଣାରେ ସାମିଲ କରାଯାଇଥିବା ଏସ୍ପି ଦୟାନିଧି ଗୋଚ୍ଛାୟତ କହିଛନ୍ତି।


















