ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀକୁ ନେଇ କେନ୍ଦ୍ରକୁ ପୁଣି ଟାର୍ଗେଟ କରିଛି ବିଜେଡି। କେନ୍ଦ୍ର ସରକାର ପକ୍ଷପାତିତା କରୁଥିବା ଅଭିଯୋଗ କରିଛି। ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେଡି ମହାନଦୀକୁ ନେଇ ରାଜନୀତି କରୁଥିବା ବିଜେପି କହିଛି।
ମହାନଦୀ ବିବାଦର ଅବସାନ ଘଟୁନି। ବିବାଦ ସମାଧାନ ପାଇଁ ଛତିଶଗଡ଼ ଏବଂ ଓଡ଼ିଶା ଏକାଠି ବସି ଆଲୋଚନା କରିବାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଚିଠି ଦେବା ପରେ ବିଜେଡି କେନ୍ଦ୍ରକୁ ଆଟାକ୍ କରିଛି। କହିଛି, ଗଡକାରୀ ସମ୍ବିଧାନର କଥା ନକହି ପକ୍ଷପାତିତା କରୁଛନ୍ତି।
ମହାନଦୀ ବିବାଦକୁ ନେଇ ଆଜି ବିଜେଡି କରିଥିଲା ସାମ୍ବାଦିକ ସମ୍ମିଳନୀ। ଦଳର ୪ ବରିଷ୍ଠ ନେତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ପିନାକୀ ମିଶ୍ର କେନ୍ଦ୍ର ପକ୍ଷପାତିତା କରୁଥିବା ଅଭିଯୋଗ କରିଛନ୍ତି।
ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଉପହାସ କରିଛନ୍ତି। ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିଲେ ମଧ୍ୟ କେନ୍ଦ୍ର ଅବିଚାର କରି ଆସୁଛି। କେନ୍ଦ୍ରମନ୍ତ୍ରୀ ଗଡକାରୀ ସମ୍ବିଧାନର ଭାଷା ନକରି ପକ୍ଷପାତିତାର ଭାଷା କହୁଛନ୍ତି। ନିର୍ବାଚନ ଆସୁଥିବାରୁ ଛତିଶଗଡକୁ କେନ୍ଦ୍ର ଅନୁକମ୍ପା ଦେଖାଉଛି।”
ମହାନଦୀ ପ୍ରସଙ୍ଗରେ ଗତ ଦୁଇ ଦିନ ତଳେ ଲୋକସଭାରେ ଆଲୋଚନା ହୋଇଥିଲା। ବିଜେଡି ସାଂସଦମାନେ ଟ୍ରିବ୍ୟୁନାଲ୍ ଗଠନ ଉପରେ ଜୋର୍ ଦେଇଥିଲେ। ଏହାପରେ ଗଡକାରୀ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନା କରିଥିଲେ। ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ।
“ଶିଳ୍ପ ପାଇଁ ଛତିଶଗଡ ସରକାର ମହାନଦୀରେ ବନ୍ଧ ବାନ୍ଧୁଛନ୍ତି। ଜଳସେଚନ ଆଳରେ ଶିଳ୍ପକୁ ପାଣି ଦିଆଯାଉଛି। ୫୦ ଶିଳ୍ପ ସଂସ୍ଥାଠାରୁ ଟଙ୍କା ନେଇ ବ୍ୟାରେଜ ତିଆରି କରୁଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଏନେଇ ଛତିଶଗଡ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି”, କହିଛନ୍ତି ସାଂସଦ ପିନାକୀ ମିଶ୍ର।
ବିଜେଡିର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି, “ମହାନଦୀକୁ ନେଇ ବିଜେଡି ରାଜନୀତି କରୁଛି। ମୁଖ୍ୟମନ୍ତ୍ରୀ ଏହାକୁ ରାଜନୀତି ମୁଦ୍ଦା ନା ସମାଧାନ କରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ କରନ୍ତୁ।”