ଓଡ଼ିଶାଲାଇଭ୍ ବ୍ୟୁରୋ
“ଉମା ଭାରତୀ ଜଳ ସମ୍ପଦ ମନ୍ତ୍ରାଳୟର ମନ୍ତ୍ରୀ ଥିବା ବେଳେ ମହାନଦୀ ବିବାଦକୁ ନେଇ ଆଲୋଚନା ହୋଇଥିଲା। ହେଲେ ଏହି ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ନଥିଲା। ଏଶୁ ଏବେ ଆଲୋଚନା ବଦଳରେ ଟ୍ରିବ୍ୟୁନାଲ ଗଠନ କରାଯାଉ। ମହାନଦୀ ବିବାଦ ସମାଧାନ କରିବା ପାଇଁ ଟ୍ରିବ୍ୟୁନାଲ ଗଠନ ଏକମାତ୍ର ବିକଳ୍ପ”, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଭୁବନେଶ୍ବରରେ ଆୟୋଜିତ ଏକ ଦୈନିକ ଇଂରାଜୀ ଖବରକାଗଜର କନ୍କ୍ଲେଭରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଟ୍ରିବ୍ୟୁନାଲ ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି।
ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ଦେଖାଦେଇଥିବା ବିବାଦ ସମାଧାନ ହେବାର ନାଁ ଧରୁନି। ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର ସରକାର ନାଁ କହିବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି।
ଗତ ଦୁଇ ଦିନ ତଳେ ଲୋକସଭାରେ ବିଜେଡି ସାଂସଦ ଏହି ପ୍ରସଙ୍ଗ ଉଠାଇଥିଲେ। ଟ୍ରିବ୍ୟୁନାଲ ଗଠନ କାହିଁକି ହେଉନି ବୋଲି ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାର ଜଳ ଆବଣ୍ଟନ ନିୟମର ଉଲ୍ଲଂଘନ କରିଥିବା କହିଥିଲେ।
ବିଜେଡି ସାଂସଦଙ୍କ ଏହି ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀ ନୀତିକ ଗଡକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ। ହେଲେ ନବୀନ ଏଥିରେ ସହମତି ପ୍ରକାଶ କରି ନାହାନ୍ତି। ଆଲୋଚନା ଅପେକ୍ଷା ଟ୍ରିବ୍ୟୁନାଲ ଗଠନ କରିବାକୁ ସେ ଦାବି କରିଛନ୍ତି। ଟ୍ରିବ୍ୟୁନାଲ ଗଠନ ହେଲେ ଆଇନଗତ ଲଢ଼େଇର ସମାଧାନ ହେବ ବୋଲି ନବୀନ କନକ୍ଲେଭରେ କହିଛନ୍ତି।
ଏପଟେ ମହାନଦୀ ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ଓଡ଼ିଶା ପ୍ରତି କେନ୍ଦ୍ର ପକ୍ଷପାତିତା କରୁଥିବା ଅଭିଯୋଗ କରିଛି।
ସେହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟ ସବୁବେଳେ ପୁରୁଣା ରେକର୍ଡ ବଜାଉଛି ବୋଲି କହିଛନ୍ତି। କେନ୍ଦ୍ର ଅବହେଳା କରୁଛି କହି ରାଜ୍ୟ ସରକାର ରାଜନୀତି କରୁଛନ୍ତି। ପୂର୍ବରୁ ରେଳବାଈରେ ୭୦୦ କୋଟି, ଏବେ ୫୧୦୦ କୋଟି ଟଙ୍କା ମିଳୁଛି। ବିଭିନ୍ନ କ୍ଷେତ୍ରୋର ଓଡ଼ିଶାକୁ ଅଧିକ ଅର୍ଥ ଦିଆଯାଇଛି।
ବିଜେପିର ମିଶନ୍ ୧୨୦ ସମ୍ପର୍କରେ କହିଛନ୍ତି ଯେ, “ବିଜେପି ଭୋଟହାର ୧୯ରୁ ୩୩ ପ୍ରତିଶତକୁ ବଢ଼ିଛି। ଆମେ ଓଡ଼ିଶାରେ ଦ୍ବିତୀୟରେ ରହିଛୁ। ୧ମ ସ୍ଥାନକୁ ଯିବା ପାଇଁ ବେଶୀ ସମୟ ଲାଗି ନାହିଁ। ମୋ ଭବିଷ୍ୟତ ଓ କ୍ୟାରିଅର ସମ୍ପର୍କରେ ଦଳ ନିଷ୍ପତ୍ତି ନେବ।”


















