ଓଡ଼ିଶାଲାଇଭ୍ ବ୍ୟୁରୋ
ସାଢ଼େ ୪ ବର୍ଷ ପରେ ଶୁକ୍ରବାର ଜେଲ୍ରୁ ମୁକୁଳିଥିଲେ ସିସୋର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାଶ। ଜେଲ୍ରୁ ବାହାରିବାର ୨୪ ଘଣ୍ଟା ନପୂରୁଣୁ ପ୍ରଶାନ୍ତଙ୍କୁ ପୁଣି ଗିରଫ କରି ନେଇଛି ପୋଲିସ। ୨୦୧୪ର ଠକେଇ ଅଭିଯୋଗରେ ପ୍ରଶାନ୍ତଙ୍କୁ ଢେଙ୍କାନାଳ ପୋଲିସ ଶନିବାର ଗିରଫ କରିଛି।
ପୁଣିଥରେ ବନ୍ଧା ହେଲେ ସିସୋର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାଶ। ଝାରପଡ଼ା ବାସଭବନରୁ ତାଙ୍କୁ ଢେଙ୍କାନାଳ ପୋଲିସ ଶନିବାର ଗିରଫ କରିଛି। ଏକ ପୁରୁଣା ୱାରେଣ୍ଟ ବଳରେ ପ୍ରଶାନ୍ତଙ୍କୁ ପୁଣି ବାନ୍ଧିଛି ପୋଲିସ।
ଢେଙ୍କାନାଳ ଏସପି ବସନ୍ତ ପାଣିଗ୍ରାହୀ କହିଛନ୍ତି, “୨୦୧୪ରେ ଢେଙ୍କାନାଳ ଟାଉନ୍ ଥାନାରେ ୩ଟି ଚିଟଫଣ୍ଡ ସମ୍ପର୍କୀତ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଆଧାର କରି ଢେଙ୍କାନାଳ ପୋଲିସର ସ୍ପେଶାଲ ଟିମ୍ କମିଶନରେଟ୍ ପୋଲିସର ସହାୟତାରେ ଗିରଫ କରିଛି। ତାଙ୍କୁ କୋର୍ଟରେ ହାଜର କରାଯିବ। ଆବଶ୍ୟକ ପଡ଼ିଲେ ପ୍ରଶାନ୍ତଙ୍କୁ ରିମାଣ୍ଡରେ ନିଆଯିବ ।”
ସାଢେ଼ ୪ ବର୍ଷ ଜେଲରେ ରହିବା ପରେ ପ୍ରଶାନ୍ତ ଶୁକ୍ରବାର ଜେଲରୁ ମୁକୁଳିଥିଲେ। ଜମାକାରୀ କେମିତି ନ୍ୟାୟ ପାଇବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୮ଟି ଚିଟଫଣ୍ଡ ମାମଲଲାରେ ହାଇକୋର୍ଟ ଏବଂ ତଳ କୋର୍ଟରୁ ଜାମିନ୍ ପାଇବା ପରେ ସେ ଜେଲରୁ ମୁକୁଳିଥିଲେ।
ପ୍ରଶାନ୍ତ ଦାଶଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଢେଙ୍କାନାଳ ପୋଲିସ। ଚିଟଫଣ୍ଡ ଘୋଟାଲା ସମ୍ପର୍କରେ ଅଧିକ ଖୋଳତାଡ କରାଯିବ। ୩୩ ଲକ୍ଷ ୬୪ ହଜାର ଟଙ୍କା ଠକେଇ ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି।
ସିସୋର ଚିଟଫଣ୍ଡ ସଂସ୍ଥା ନାଁରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଥିଲା। ସିବିଆଇ ସିସୋର୍ ବିରୋଧରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍ରେ ୪୮୭ କୋଟି ଟଙ୍କା ଠକେଇ ହୋଇଥିବା ଉଲ୍ଲେଖ କରିଥିଲା। ପ୍ରଶାନ୍ତଙ୍କୁ ୨୦୧୩ରେ ମମ୍ବାଇରୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। କେବଳ ପ୍ରଶାନ୍ତ ନୁହନ୍ତି, ସିସୋର୍ ସହ ଜଡ଼ିତ ପ୍ରଶାନ୍ତଙ୍କ ଭାଇ ପ୍ରଭାତ ଦାଶ ଏବଂ ମଧ୍ୟସ୍ଥି ଶୁଭଙ୍କର ନାୟକ ମଧ୍ୟ ଗିରଫ ହୋଇଥିଲେ। ପ୍ରଭାତ ଓ ଶୁଭଙ୍କର ଜାମିନରେ ଆସିଛନ୍ତି।








ସାଢ଼େ ୪ ବର୍ଷ ପରେ ଶୁକ୍ରବାର ଜେଲ୍ରୁ ମୁକୁଳିଥିଲେ ସିସୋର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାଶ। ଜେଲ୍ରୁ ବାହାରିବାର ୨୪ ଘଣ୍ଟା ନପୂରୁଣୁ ପ୍ରଶାନ୍ତଙ୍କୁ ପୁଣି ଗିରଫ କରି ନେଇଛି ପୋଲିସ। ୨୦୧୪ର ଠକେଇ ଅଭିଯୋଗରେ ପ୍ରଶାନ୍ତଙ୍କୁ ଢେଙ୍କାନାଳ ପୋଲିସ ଶନିବାର ଗିରଫ କରିଛି।









