ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥଣ୍ଡା ପଡ଼ି ଯାଇଥିବା କଂଗ୍ରେସ ଶିବିରରେ ପୁଣି ହଟଚମଟ ଆରମ୍ଭ ହୋଇଛି। ୬ ତାରିଖରେ ୬ ଧାଡ଼ିଆ ପ୍ରେସ୍‌ ରିଲିଜ ଏଆଇସିସିରୁ ଆସିବା ପରେ କଂଗ୍ରେସ ଶିବିର ଗରମ୍‌ ହୋଇଯାଇଛି। ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତିକୁ ନେଇ କଂଗ୍ରେସ ନେତାଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି।

  • କଂଗ୍ରେସ ରାଜନୀତି ପୁଣି ଗରମ୍‌
  • ହାଇକମାଣ୍ଡଙ୍କ ପ୍ରେସ୍‌ ରିଲିଜ ଉପରେ ଉଠିଲା ପ୍ରଶ୍ନବାଚୀ
  • ୬ ତାରିଖରେ ଆସିଥିଲା ୬ ଧାଡ଼ିଆ ପ୍ରେସ୍‌ ରିଲିଜ୍‌

ଡିସେମ୍ବର ମାସରେ କଂଗ୍ରେସ ଅଧ୍ୟକ୍ଷ ଗାଦିରେ ବସିଥିଲେ ରାହୁଲ ଗାନ୍ଧି। ଆଶା କରାଯାଉଥିଲା ରାହୁଲଙ୍କ ଯୁଗରେ ବିପର୍ଯ୍ୟସ୍ତ କଂଗ୍ରେସ ସଜାଡ଼ି ହୋଇଯିବ। ହେଲେ ଆରମ୍ଭରୁ କନ୍ଦଳ ଆରମ୍ଭ ହୋଇଗଲାଣି। ୬ ତାରିଖରେ ଏଆଇସିସିରୁ ଆସିଥିବା ୬ ଧାଡ଼ିଆ ପ୍ରେସ୍‌ ରିଲିଜକୁ ନେଇ କଂଗ୍ରେସ ଶିବିରରେ ଝଡ଼ ବହୁଛି।

ଏହି ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ ଥିଲା କି ଏବେ ପିସିସି ସଭାପତିରେ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ବର୍ତ୍ତମାନର ପିସିସି ସଭାପତି କାର୍ଯ୍ୟ କରିବେ। ଏହି ରିଲିଜ ଆସିବା ପରେ ପ୍ରସାଦ ହରିଚନ୍ଦନଙ୍କ ବିରୋଧୀ ଶିବିରରେ ନିରୁତ୍ସାହ ଦେଖାଦେଇଛି।

ପ୍ରସାଦ ହରିଚନ୍ଦନ ପିସିସି ସଭାପତିରୁ ହଟନ୍ତୁ ବୋଲି କଂଗ୍ରେସର ଗୋଷ୍ଠୀ ଦାବି କରି ଆସୁଛନ୍ତି। ପ୍ରସାଦଙ୍କୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ପାଇଁ ଏହି ଗୋଷ୍ଠୀ ଦାବି କରୁଛନ୍ତି। ଏନେଇ ଅତୀତରେ ଓଡ଼ିଶା କଂଗ୍ରେସ ନେତା ଦିଲ୍ଲୀରେ ଲବି କରିଥିଲେ। ରାହୁଲ ମଧ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିଲେ।

ହେଲେ ପିସିସି ସଭାପତିରେ ପରିବର୍ତ୍ତନ ହେଲାନାହିଁ। ରାହୁଲ ଅଧ୍ୟକ୍ଷ ହେବା ପରେ ପିସିସି ସଭାପତି ବଦଳିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ୬ ତାରିଖରେ ଏଆଇସିସିରୁ ପ୍ରେସ୍ ରିଲିଜ ଆସିବା ପରେ ପ୍ରସାଦ ବିରୋଧୀଙ୍କ ଶିବିରରେ ଭାଳେଣି ପଡ଼ିଛି।

ପ୍ରେସ୍‌ ରିଲିଜ୍ ଆସିବା ବେଳେ ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀ ଯାଇଥିଲେ। ରାହୁଲଙ୍କ ନିଷ୍ପତ୍ତିରେ ସେ ଅସନ୍ତୁଷ୍ଟ ରହିଥିବା ଚର୍ଚ୍ଚା ହେଉଥିଲା। ଦିଲ୍ଲୀରୁ ଆଜି ନିରଞ୍ଜନ ଓଡ଼ିଶା ଫେରି ଆସିଛନ୍ତି। ହେଲେ ରାହୁଲଙ୍କ ନିଷ୍ପତ୍ତି ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ଏଆଇସିସି ଅଧ୍ୟକ୍ଷ ଓଡ଼ିଶା କଂଗ୍ରେସ ନେତାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରି ନାହାନ୍ତି।

ପଞ୍ଚାୟତ ନିର୍ବାଚନ ପରଠାରୁ ପ୍ରସାଦ ଅଟାଓ ଅଭିଯାନ କଂଗ୍ରେସରେ ଜୋର୍ ଧରିଥିଲା। ବିଶେଷକରି ପିସିସି ଏବଂ ବିଧାୟକ ଦଳ ଟିମ୍‌ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ପ୍ରସାଦଙ୍କୁ ହଟା ନିରଞ୍ଜନଙ୍କୁ ଦାୟିତ୍ୱ ଦେବାକୁ କିଛି ବିଧାୟକ ଦାବି କରିଥିଲେ। କିନ୍ତୁ ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତି ସବୁକିଛି ବଦଳାଇ ଦେଇଛି। ରାହୁଲଙ୍କ ନିଷ୍ପତ୍ତି ଏବେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି କରିଛି।

Comment