ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁରରେ ଫୁଟିଲା ଗୁଳି। ବିଜେପି କର୍ମୀଙ୍କ ଘରକୁ ୩ ରାଉଣ୍ଡ ଗୁଳି ମାରି ଦୁର୍ବୃତ୍ତ ଫେରାର ହୋଇଯିବା ପରେ ବିଜେପି-ବିଜେଡି ମଧ୍ୟରେ ଚାଲିଛି କାଦୁଅଫିଙ୍ଗା ରାଜନୀତି।
ଉପ-ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପୁରରେ ଫୁଟିଛି ଗୁଳି। ଏହାକୁ ନେଇ ସରଗରମ୍ ହୋଇଛି ରାଜ୍ୟ ରାଜନୀତି। ଏହି ଗୁଳିକାଣ୍ଡରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦାୟୀ କରି ବିଜେପି ସାରା ରାଜ୍ୟରେ ମଙ୍ଗଳବାର କରିଛି ବିକ୍ଷୋଭ। ଏପରିକି ସୁଶାନ୍ତଙ୍କ ବହିଷ୍କାର ମଧ୍ୟ ଦାବି କରିଛି ବିଜେପି।
ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହି ଦାବିରେ ବିଜେପି ଆଜି ସାରା ରାଜ୍ୟରେ କରିଛି ବିକ୍ଷୋଭ। ଭୁବନେଶ୍ୱର, ବରଗଡ଼, କୋରାପୁଟ ଆଦି ଜିଲ୍ଲାରେ ବିକ୍ଷୋଭ ଓ ପ୍ରତିବାଦ ସଭା କରି ବିଜେପି ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ।
ଏହାସହ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଆଉ ଏକ ସାଂଘାତିକ ଅଭିଯୋଗ କରିଛନ୍ତି। କହିଛନ୍ତି, ବିଜେପୁରରେ ଡେରା ପକାଇଥିବା ୫୦ ବିସ୍ତାରକଙ୍କୁ ବିଜେଡି ଧମକ ଚମକ ଦେଉଛି।
ବିଜେପିର ଏହି ଅଭିଯୋଗର ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ବିସ୍ତାରକ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରାଯାଇଛି। ବିସ୍ତାରକମାନଙ୍କୁ ମାଗଣାରେ ବାଇକ୍ ଦିଆଯାଇଛି। ଏହାପରେ ବି ବିଜେପି ସବୁଥିରେ ବିଫଳ ହେଉଛି। ଏଥିରେ ହତୋତ୍ସାହିତ ହୋଇ ବିଜେପି ଏପରି ଅଭିଯୋଗ କରୁଛି।”
ବିଜେପୁର ଗୁଳିକାଣ୍ଡକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏପଟେ ପୋଲିସ ଗୁଳିକାଣ୍ଡରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି। ଛତିଶଗଡ଼ ସୀମା ଲୋହରାଚଟିରୁ ଦୁଇ ଯୁବକଙ୍କୁ ଧରାଯାଇଥିବା ଜଣାପଡ଼ିଛି।
ରବିବାର ସନ୍ଧ୍ୟାରେ ବିଜେପୁର ପଡ଼ା ଗାଁର ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କ ଘର ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହାକୁ ବିଜେପି ଅସ୍ତ୍ର କରି ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ କରି ଆସୁଛି।
ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ବିଜେପୁରରେ ରାଜରାସ୍ତାକୁ ଓହ୍ଲାଇବା ପରେ ମଙ୍ଗଳବାର ସାରା ରାଜ୍ୟରେ ବିଜେପି ପ୍ରତିବାଦ କରିଛି।