ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ହେଉଛି ଶେଷ ବଜେଟ୍‌। ବଜେଟ୍‌ର ରୂପରେଖ କ’ଣ ହେବ ସେନେଇ ଆଜି ବସିଥିଲା ପ୍ରାକ୍ ନିର୍ବାଚନୀ ବୈଠକ। ସବୁ ବର୍ଗର ଭୋଟରଙ୍କ ମନ ଜିଣିବା ପାଇଁ ଏହି ବଜେଟ୍‌ରେ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

୨୦୧୯ରେ ସାଧାରଣ ନିର୍ବାଚନ। ଏଣୁ ୨୦୧୮ ହେଉଛି ଶାସକ ବିଜେଡି ପାଇଁ ଚାଲେଞ୍ଜର ବର୍ଷ। ଏହି ବର୍ଷକ ଭିତରେ ନୂଆ ନୂଆ ଯୋଜନା ପ୍ରଣୟନ କରି ଶାସକ ଦଳ ଭୋଟରଙ୍କ ନିକଟତର ହେବା ପାଇଁ ଉଦ୍ୟମ କରିବେ। ଏଥିପାଇଁ ସରକାର ଆରମ୍ଭ କରିଛନ୍ତି କସରତ୍‌। ୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ଶେଷ ବଜେଟ୍ ହୋଇଥିବାରୁ ଲୋକଙ୍କୁ ଖୁସି ଦେଲା ଭଳି ବଜେଟ୍ ରାଜ୍ୟ ସରକାର ପ୍ରସ୍ତୁତି କରିବେ ବୋଲି ଚର୍ଚ୍ଚା ହେଉଛି। ୨୦୧୮ ବଜେଟ୍‌ର ରୂପରେଖ କ’ଣ ହେବ ସେନେଇ ବୁଧବାର ବସିଥିଲା ବୈଠକ।

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିଲା ପ୍ରାକ୍ ବଜେଟ୍ ବୈଠକ। ବୈଠକରେ ବିଭିନ୍ନ ବିଭାଗର ପଦାଧିକାରୀ, ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ବିଶେଷଜ୍ଞ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିର ବିକାଶ ଏବଂ କର୍ମ ନିୟୋଜନ କ୍ଷେତ୍ରରେ ବଜେଟ୍ ଆଗତ କରିବାକୁ ଆଲୋଚନା ହୋଇଛି। ଏହାସହ କୃଷି ଓ କୃଷକମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।

ବଜେଟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍‌ ଉପରେ ସରକାର ଗୁରୁତ୍ବ ଦେଇ ପାରନ୍ତି। ଏହାସହ ମହିଳା ସଶକ୍ତିକରଣ ଏବଂ ସୁରକ୍ଷା ନେଇ ସରକାର ନୂଆ ଆଇନ୍ ଆଣିପାରନ୍ତି ବୋଲି ଆଲୋଚନା ହେଉଛି।

ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ନେଇ ପୁରୀ କ୍ୟାବିନେଟ୍‌ରେ ହୋଇଥିବା ଘୋଷଣା ପାଇଁ ରାଜ୍ୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ। ସେହିପରି ଖଣିଖାଦାନ ଥିବା ଜିଲ୍ଲାରେ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ କିଛି ଘୋଷଣା ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ୨୦୧୮ ଡିସେମ୍ବରରେ କଳିଙ୍ଗ ଷ୍ଟାଡିଅମରେ ବିଶ୍ୱ ପୁରୁଷ ହକି କପ୍‌ ମୁକାବିଲା ହେବ। ଏଥିପାଇଁ ସରକାର ବଜେଟ୍‌ରେ କଳିଙ୍ଗ ଷ୍ଟାଡିଅମ୍‌ର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଶେଷ ବ୍ୟବସ୍ଥା କରିପାରନ୍ତି।

Comment