ଭାସ୍କର ପରିଚ୍ଛା
ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା କେନ୍ଦ୍ରାପଡ଼ାର ବିଜେଡି ସାଂସଦ ମାହାଙ୍ଗାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହଲାକୁ ଟାର୍ଗେଟ କରି ଟୁଇଟ କରିବା ପରେ ଶାସକ ଦଳର ଆଭ୍ୟନ୍ତରୀଣ କଳହ ପୁଣିଥରେ ପଦାରେ ପଡ଼ିଛି। ‘ମୋ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଭେଟିବା ପାଇଁ ମୋତେ ବୁଲେଟ ବି ଅଟକାଇ ପାରିବ ନାହିଁ’ ବୋଲି ବୈଜୟନ୍ତ ‘ଜେ’ ପଣ୍ଡା ଘୋଷଣା କରିଥିଲେ। ଏହି କଥାଟି ତୃତୀୟ ମହଲାର ଜଣେ ନିର୍ଦ୍ଦିଷ୍ଟ ଆଇଏଏସ ଅଫିସରଙ୍କ ପ୍ରତି ଉଦ୍ଦିଷ୍ଟ ଥିଲେ ହେଁ ଏହା ପରୋକ୍ଷରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ଏହା ବୁଝିବାରେ ଆଦୌ ଅସୁବିଧା ନାହିଁ।
ଏଥିପୂର୍ବରୁ ମଧ୍ୟ ପଣ୍ଡା ଏହି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ‘ଅସାମାଜିକ ଲୋକମାନଙ୍କୁ ସେ ପ୍ରୋତ୍ସାହନ ଦେଉଛନ୍ତି।’
ନିଶ୍ଚିନ୍ତକୋଇଲି ପାଣି ଟାଙ୍କି ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସାଂସଦ ସେହି ଅଧିକାରୀଙ୍କ ବିରୋଧରେ ନିର୍ଦିଷ୍ଟ ଭାବେ କହିଥିଲେ ଯେ ସିଏମଓର ଅଧିକାରୀ ଜଣକ ‘ଦଳୀୟ ମାମଲାରେ ମୁଣ୍ଡ ଭର୍ତ୍ତି କରୁଛନ୍ତି ଓ ଅସାମ୍ବିଧାନିକ ଭାବରେ ରାଜନୀତି କରୁଛନ୍ତି’। ପଣ୍ଡାଙ୍କ ଉପରେ ଆଗରୁ ଯେଉଁ ଅଣ୍ଡା ମାଡ଼ ହୋଇଥିଲା ଓ ବିଭିନ୍ନ ସଭାରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ତାଙ୍କ ବିରୋଧୀମାନେ ଯେଉଁ ଉଦ୍ୟମ କରିଥିଲେ ସେହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ସାଂସଦଙ୍କ କ୍ଷୋଭ ପ୍ରକାଶ ବୁଝି ହେଉଛି।
ତାଙ୍କ ଟୁଇଟ୍ ପରେ ବିଜେଡିରେ ଏନେଇ ସ୍ଵାଭାବିକ ଭାବେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ଦଳର ମୁଖପାତ୍ର କହିଲେ ଯେ ବୈଜୟନ୍ତ ବିଜେପିର ଭାଷା କହୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନିଜେ ଏହି ଟୁଇଟର ଜବାବ ଦେଇଥିଲେ ଓ କହିଲେ ଯେ ‘ଯେତେବେଳେ ସେମାନଙ୍କର କାମ ନ ଥାଏ ସେମାନେ ମୋ ଅଫିସ ଉପରେ ଏହିଭଳି ଆକ୍ରମଣ କରିଥାନ୍ତି। ଏହା କିଛି ନୂଆ କଥା ନୁହେଁ।’
ପ୍ରକୃତରେ ଏହା କିଛି ନୂଆ କଥା ନୁହେଁ। ଉଭୟ ବୈଜୟନ୍ତ ଓ ନବୀନଙ୍କ ଭିତରେ ଏହିଭଳି ଟୁଇଟର ଯୁଦ୍ଧ ଆଗରୁ ବି ହୋଇଛି। ମନେ ପକାଇ ଦିଆଯାଇ ପାରେ ଯେ ଏହିଭଳି ଏକ ଟୁଇଟ ଯୋଗୁଁ ହିଁ ପଣ୍ଡାଙ୍କୁ ଗତ ମେ ମାସରେ ବିଜେଡି ସଂସଦୀୟ ଦଳର ମୁଖପାତ୍ର ପଦରୁ ବାହାର କରିଦିଆ ଯାଇଥିଲା। ସେହି ଟୁଇଟରେ ପଣ୍ଡା ଅଭିଯୋଗ କରିଥିଲେ ଯେ ‘ବିଜେଡି ତାର ଘୋଷିତ ନୀତିର ଉଲ୍ଲଙ୍ଘନ କରୁଛି।’
ଏହି ପୃଷ୍ଠଭୂମିରେ କେନ୍ଦ୍ରାପଡା ସାଂସଦଙ୍କ ଅଭିଯୋଗ ଅନେକ ପରିମାଣରେ ଅଧିକ କ୍ରୋଧ ଓ କମ୍ ତର୍କରୁ ଆସିଛି ବୋଲି ଧରି ନେବାକୁ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟତମ ବୋଲି କୁହାଯାଉଥିବା ଏହି ଅଫିସରଙ୍କ ବିରୋଧରେ ପଣ୍ଡା ଆଗରୁ ବି କହିଥିଲେ ଯେ ଯେଉଁମାନେ ‘ଲକ୍ଷ୍ମଣରେଖା ଡେଉଁଛନ୍ତି ସେମାନଙ୍କୁ ସମ୍ମାନ କରାଯିବା ଉଚିତ ନୁହେଁ।’
ମନେହୁଏ ରାଜନୀତିରେ ଏହିଭଳି ବିଷୋଦଗାରର ଆବଶ୍ୟକତା ନାହିଁ। ଯଦି ମୁଖ୍ୟମନ୍ତ୍ରୀ ଜଣେ ଅଫିସରଙ୍କୁ ଅତି ନିକଟ ବୋଲି ଭାବି ପାରିଲେ ଓ ତାଙ୍କ ପାଇଁ ସେ ଅପରିହାର୍ଯ୍ୟ ହୋଇପାରିଲେ ସେଥିରେ ଆମର କଣ ଅସୁବିଧା? ଯଦି ଵି ସେ ଅଣଓଡ଼ିଆ ହେଲେ ଆମେ ଏଥିରେ କଣ କରିପାରିବା?
ତାର୍କିକ ଭାବରେ ଦେଖିଲେ ସମ୍ପୃକ୍ତ ଅଧିକାରୀ ନିଜ ଇଛାରେ କିଛି କରୁନାହାନ୍ତି ଓ ତାଙ୍କୁ ଯାହା କରିବାକୁ କୁହାଯାଉଛି ସେ ତାହା ହିଁ କରୁଛନ୍ତି। ସବୁ କ୍ୟାରିଅର ବ୍ୟୁରୋକ୍ରାଟ ସେୟା ହିଁ କରିଥାନ୍ତି। ଏହି ଅଧିକାରୀ ଯାହା ଭଲ କି ଖରାପ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ କରୁଛନ୍ତି ଏହା କହିବା ବାହୁଲ୍ୟ। କେନ୍ଦ୍ରାପଡ଼ା ସାଂସଙ୍କୁ ହିଁ ସେହି ଅଧିକାରୀ ହଇରାଣ କରୁଛନ୍ତି ବୋଲି କହିବା ପଛରେ କଥାଟି ହେଉଛି ଯେ ସେୟା ହିଁ କରିବା ପାଇଁ ତାଙ୍କୁ କୁହାଯାଇଛି।
ସାଂସଦ ପଣ୍ଡା ନିଜେ ଜଣେ ବିଜ୍ଞ ପାର୍ଲାମେଣ୍ଟାରିୟନ ଏବଂ ଦେଶର ଅମଲାତନ୍ତ୍ର କେମିତି କାମ କରେ ତାହା ତାଙ୍କୁ ଅଜଣା ନୁହେଁ। ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର ଏହିଭଳି ଜଣେ ଜଣେ ବିଶ୍ୱସ୍ତ ଅଧିକାରୀ ଥାଆନ୍ତି ଯିଏ ଦଳ ଓ ସରକାର ମଧ୍ୟରେ ଯୋଗସୂତ୍ର ରଖି କାର୍ଯ୍ୟ ସମ୍ପାଦନ କରିଥାଆନ୍ତି।
ସୁତରାଂ ଯଦି ବିଜେଡି ନେତାମାନେ ଅନୁଭବ କରୁଛନ୍ତି ଯେ ଏହି ଅଧିକାରୀ ଜଣକ ନିଜ ଦାୟୀତ୍ୱ ବହିର୍ଭୁତ କାର୍ଯ୍ୟ କରୁଛନ୍ତି ତାହା ବୁଝିବା ମୁଖ୍ୟମନ୍ତ୍ରୀଙ୍କ ଦାୟୀତ୍ୱ। ତା’ ଛଡ଼ା ବିଗତ ୧୭ ବର୍ଷ ଧରି ରାଜ୍ୟରେ ବିଜେଡି ଶାସନ ପଛରେ ନେତାଙ୍କ ଅପେକ୍ଷା ବ୍ୟୁରୋକ୍ରାଟଙ୍କ ଅଧିକ କାଟତି ରହି ଆସିଛି ସେ କଥା କିଏ ଅବା ନ ଜାଣେ?
ପ୍ରକୃତ କଥା ହେଉଛି ବୈଜୟନ୍ତ ଓ ପାର୍ଟି ସୁପ୍ରିମୋଙ୍କ ଭିତରେ ଯେଉଁ ମତଭେଦ,ଦୂରତା ଓ ସମସ୍ୟା ସୃଷ୍ଟି ହୋଇଛି ତାହା ରାଜନୈତିକ ସ୍ତରରେ ହିଁ ସମାଧାନ ହେବା ଦରକାର। ଅଫିସରଙ୍କୁ ଟାର୍ଗେଟ କରିବା ଏକ ପରାଜୟବାଦୀ ମନୋଭାବ ଭଳି ମନେହୁଏ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)


















