ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିଜେଡିରେ ସୃଷ୍ଟି ହୋଇଛି ମହାଭାରତ। ଥାର୍ଡ଼ ଫ୍ଲୋରକୁ ଟାର୍ଗେଟ୍ କରି ଚର୍ଚ୍ଚାରେ ରହିଥିବା ବୈଜୟନ୍ତଙ୍କ ବିରୋଧରେ ନିଜ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀ ଅଭିଯୋଗ କରିବା ପରେ ସାଂସଦଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି ଆଲୋଚନା ଜୋର୍ ଧରିଛି।
“ବେଜୟନ୍ତ ପଣ୍ଡା ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିଛନ୍ତି। ହେଲେ ସେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳରେ ଦଳୀୟ କର୍ମୀଙ୍କୁ ପଚାରନ୍ତି ନାହିଁ। ବିରୋଧୀ କର୍ମୀଙ୍କୁ ସେ ପଚାରନ୍ତି। ସାଂସଦ ପାଣ୍ଠି ଦଳୀୟ କର୍ମୀଙ୍କ ପାଇଁ ଖର୍ଚ୍ଚ ନକରି ବିରୋଧୀ ଲୋକଙ୍କ ପାଇଁ ଖର୍ଚ୍ଚ କରନ୍ତି”, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ମହାକଳାପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳ।
ସସ୍ମିତା ବରାଳ ତାଙ୍କ ସମର୍ଥକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ଘଟଣା ତଦନ୍ତ ପାଇଁ ନବୀନ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଦେଇଛନ୍ତି ଦାୟିତ୍ୱ।
କେବଳ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ନୁହନ୍ତି। ନିକଟରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ବି ନବୀନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବୈଜୟନ୍ତଙ୍କ ବିରୋଧରେ ନିଜ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀ ଅଭିଯୋଗ ଆଣୁଥିବାରୁ ବୈଜୟନ୍ତଙ୍କୁ ବିଜେଡିରେ ମହାଭାରତ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି।
ନବୀନ ପଟ୍ଟନାୟକ କହିଛନ୍ତି, “ମହାକାଳପଡ଼ା କିଛି ବିଜେଡି କର୍ମୀ ସାଂସଦଙ୍କ ବିରୋଧରେ ମୋ ଦୃଷ୍ଟିକୁ ଆଣିଛନ୍ତି। ମୁଁ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କୁ ଦେଉଛି।”
କ’ଣ ପାଇଁ ଚର୍ଚ୍ଚାରେ ବୈଜୟନ୍ତ?
କିଛିଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରି ବିବାଦରେ ଛନ୍ଦି ହୋଇ ଯାଇଥିଲେ ବୈଜୟନ୍ତ। ଏପରିକି ଅଫିସର ସର୍ଭିସ୍ ରୁଲ୍କୁ ଭୁଲି ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି ବୋଲି କହିବାକୁ ପଛାଇ ନାହାନ୍ତି ଏହି ବରିଷ୍ଠ ନେତା। ଲାଗାତାର ବୈଜୟନ୍ତ ଏବଂ ତାଙ୍କ ରାଜନୈତିକ ସଚିବ ତୃତୀୟ ମହଲାକୁ ଆଟାକ୍ କରି ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲେ କମ୍ପନ।
ଏହି କମ୍ପନ ଏମିତି ଥିଲା ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଜବାବ ରଖିବାକୁ ବାଧ୍ୟ ହୋଇଥିଲେ। ବୈଜୟନ୍ତଙ୍କ ଅଣଓଡ଼ିଆ ଅଫିସରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ନବୀନ କଡ଼ା ଭାଷାରେ ତାଗିଦ୍ କରିଥିଲେ। କହିଥିଲେ, “ଯେଉଁମାନଙ୍କ ପାଖରେ କିଛି ପ୍ରସଙ୍ଗ ନଥାଏ ସେମାନେ ମୋ କାର୍ଯ୍ୟାଳୟ ଉପରେ ଆଲୋଚନା କରନ୍ତି।”
ନବୀନଙ୍କ ଏହି ବିବୃତି ଆସିବା ପରେ ବୈଜୟନ୍ତ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ସୋସିଆଲ ମିଡିଆରେ। ତାଙ୍କ ଦଳର ନେତା ଯାହା ବିଚାର କରିଛନ୍ତି ତାହାକୁ ଆଉଥରେ ତର୍ଜମା କରିବାକୁ ଅନୁରୋଧ କରିଥିଲେ। ଏହାସହ ନବୀନଙ୍କ ‘ପ୍ରସଙ୍ଗ ହୀନ’ ମନ୍ତବ୍ୟରେ ମତ ରଖିବାକୁ ଯାଇ ବିଭିନ୍ନ ପ୍ରଶ୍ନବାଣରେ ଛନ୍ଦିଥିଲେ ବୈଜୟନ୍ତ। ବିଜୁବାବୁଙ୍କ ଉଦାହରଣ ଦେଇ ପୁଣିଥରେ ଅଫିସରଙ୍କ ଉପରେ ବର୍ଷିଥିଲେ।
କ’ଣ ଥିଲା ଘଟଣା
ସାଂସଦ ପାଣ୍ଠିରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକର ବୁହାଳୋ ପଞ୍ଚାୟତରେ ହୋଇଥିଲା ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ। ଏହାକୁ ଉଦ୍ଘାଟନ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡା କରିଥିଲେ ଯୋଜନା। ହେଲେ ଏହାକୁ ବିରୋଧ କରିଥିଲା ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି। ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ପାଣିଟାଙ୍କି ଉଦଘାଟନ ପାଇଁ ଅନୁମତି ନଦେବାକୁ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଜିଲ୍ଲାପାଳଙ୍କୁ ଲେଖିଥିଲେ ଚିଠି। ଏହି ଘଟଣାରୁ ହିଁ ଆରମ୍ଭ ହୋଇଥିଲା ବିବାଦ। କିଛି କୁଚକ୍ରୀ ଗୋଷ୍ଠୀ ଏବଂ ଅଣଓଡ଼ିଆ ଅଫିସର ପାଣିଟାଙ୍କି ଉଦଘାଟନ ହେଉ ବୋଲି ଚାହୁଁ ନଥିବା ବୈଜୟନ୍ତଙ୍କ ଅଫିସ ଅଭିଯୋଗ କରିଥିଲା।
ଗୋଟିଏ ପଟେ ବ୍ଲକ ବିଜେଡି ସାଂସଦଙ୍କୁ ବିରୋଧ କରିଥିବା ବେଳେ ବୁହାଳୋ ସରପଞ୍ଚ ବୈଜୟନ୍ତଙ୍କୁ ଦେଇଥିଲେ ସମର୍ଥନ। ସାଂସଦ ଆସିଲେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଜିଲ୍ଲାପାଳଙ୍କୁ ଲେଖିଥିଲେ ଚିଠି। ଶେଷରେ ବୈଜୟନ୍ତ ଆସିଲେ ଏବଂ ପାଣିଟାଙ୍କି ଉଦଘାଟନ କଲେ। ଉଦଘାଟନ କରିବା ପରେ ବୈଜୟନ୍ତ ଥାର୍ଡ ଫ୍ଲୋରକୁ ଟାର୍ଗେଟ୍ କରିଥିଲେ।








କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିଜେଡିରେ ସୃଷ୍ଟି ହୋଇଛି ମହାଭାରତ। ଥାର୍ଡ଼ ଫ୍ଲୋରକୁ ଟାର୍ଗେଟ୍ କରି ଚର୍ଚ୍ଚାରେ ରହିଥିବା ବୈଜୟନ୍ତଙ୍କ ବିରୋଧରେ ନିଜ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀ ଅଭିଯୋଗ କରିବା ପରେ ସାଂସଦଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି ଆଲୋଚନା ଜୋର୍ ଧରିଛି।









