ଓଡ଼ିଶାଲାଇଭ୍ ବ୍ୟୁରୋ

- କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ୬ ହଜାର ୫୦୦ କୋଟି ଟଙ୍କା ମଞ୍ଜୁର କରିବାକୁ ଦାବି
- ଖୋର୍ଦ୍ଧା-ମୁମ୍ବାଇ ମଧ୍ୟରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ୍ ଚଳାଇବାକୁ ପ୍ରସ୍ତାବ
- ଶୀତଳାପଲ୍ଲୀ ୱାଗନ୍ କାରଖାନା ପାଇଁ ଅର୍ଥ ମଞ୍ଜୂର କରିବାକୁ ଦାବି
ଆସୁଛି ସାଧାରଣ ବଜେଟ୍। ଫେବୃୟାରୀ ୧ ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ଖୋଲିବେ ତାଙ୍କ ବଜେଟ୍ ପୁଟୁଳି। ଏହାକୁ ନେଇ ବିଭିନ୍ନ ମହଲରେ ଏବେଠାରୁ ଉଦ୍ବେଗ ପ୍ରକାଶ ପାଇଛି। କେଉଁ ରାଜ୍ୟକୁ କେଉଁ ବାବଦରେ କେତେ ଟଙ୍କା ମିଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି।
ତେବେ ବଜେଟ୍ ଆଗତ ହେବା ପୂର୍ବରୁ ଓଡ଼ିଶା ସରକାର ତାଙ୍କ ଦାବି ଉପସ୍ଥାପନ କରିଛନ୍ତି। ଓଡ଼ିଶାରେ ରେଳବାଇର ବିକାଶ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଚିଠି ଲେଖିଛନ୍ତି। ୨୦୧୮-୧୯ ବଜେଟ୍ରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୬ ହଜାର ୫୦୦ କୋଟି ଟଙ୍କା ମଞ୍ଜୁର କରିବାକୁ ଦାବି କରିଛନ୍ତି।
ଖୋର୍ଦ୍ଧାରୋଡ୍-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପ୍ରକଳ୍ପକୁ ଅଗ୍ରାଧିକାର ଦେବାକୁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଖୋର୍ଦ୍ଧା-ମୁମ୍ବାଇ ମଧ୍ୟରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ୍ ଚଳାଇବାକୁ ପ୍ରସ୍ତାବ ଦିଆଯାଇଛି।
ଶିଳ୍ପାଞ୍ଚଳର ସୁବିଧା ପାଇଁ ତାଳଚେର-ଅନୁଗୁଳ (ଭୟା-ଏଫ୍ସିଆଇ), ପାରାଦୀପ-ଧାମରା, ଚମ୍ପୁଆ-ଆନନ୍ଦପୁର-ଯାଜପୁର, ବରସୁଆଁ-ବଂଶପାଳ, ବଡବିଲ୍ ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିବା ପାଇଁ ଦାବି କରାଯାଇଛି।
ସେହିପରି ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ବରଗଡ଼-ନୂଆପଡ଼ା (ଭାୟା-ପଦ୍ମପୁର), ଭଦ୍ରାଚଳମ୍-ମାଲକାନଗିରି, ତାଳଚେର-ଗୋପାଳପୁର, ଲାଞ୍ଜିଗଡ଼-ରେଳ ଲାଇନ୍ ପ୍ରକଳ୍ପ ଉପରେ ଅଧିକ ଫୋକସ୍ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଗଞ୍ଜାମର ଶୀତଳାପଲ୍ଲୀ ୱାଗନ୍ କାରଖାନା ପାଇଁ ଅର୍ଥ ମଞ୍ଜୂର କରିବାକୁ ଦାବି କରାଯାଇଛି।


















