ଓଡ଼ିଶାଲାଇଭ୍ ବ୍ୟୁରୋ
ତୈଳ ଦର ବୃଦ୍ଧିର ପ୍ରତିବାଦ କରିଛି ବିଜେଡି। ସାଢ଼େ ୩ ବର୍ଷରେ ୯ ଥର ପେଟ୍ରୋଲ ଦର ବୃଦ୍ଧି ପାଇଥିବାରୁ କେନ୍ଦ୍ରକୁ ସମାଲୋଚନା କରି ଭୁବନେଶ୍ୱରରେ ବିକ୍ଷୋଭ କରିଛି ବିଜେଡି। ଏପଟେ ବିଜେପି ଏହାର ଜବାବ ଦେଇ କହିଛି ରାଜ୍ୟ ସରକାର ପେଟ୍ରୋଲ ଉପରୁ ଟିକସ କମାନ୍ତୁ।
ଅଭିନବ ଢଙ୍ଗରେ ପ୍ରତିବାଦ କରିଛି ବିଜେଡି। ରାଜଧାନୀ ରାଜରାସ୍ତାରେ ଶଗଡ଼ ଗଡ଼ାଇ ବିଜେଡି ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛି। ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଟପି ଥିବାରୁ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି ବିଜେଡି ନେତା। ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି।
ଆନ୍ଦୋଳନକାରୀମାନେ ମାଷ୍ଟରକ୍ୟାଣ୍ଟିନଠାରୁ ପିଏମ୍ଜି ପର୍ଯ୍ୟନ୍ତ ବାଇକ୍ ରାଲିରେ ଯାଇଥିଲେ। ହେଲେ ବାଇକ୍ ଷ୍ଟାଟ୍ ନକରି ଗଡ଼ାଇ ଥିଲେ। ଗତ ୩ ବର୍ଷରେ ପେଟ୍ରୋଲ ଓ ଡିଜେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ୯ ଥର ବୃଦ୍ଧି ପାଇଥିବା ବିଜେଡି ଅଭିଯୋଗ କରିଛି।
ବିଧା଼ୟକ ସଞ୍ଜୟ ଦାସବର୍ମା କହିଛନ୍ତି, “ଏନଡିଏ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ୨୦୧୮ ସୁଦ୍ଧା ୯ ଥର ତୈଳ ଦର ବୃଦ୍ଧି କରିଛନ୍ତି। ଯେଉଁଭଳି ଭାବରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଉଛି ତାହା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ପ୍ରତ୍ୟେକ ଘରୁ ବର୍ତ୍ତମାନ କେନ୍ଦ୍ର ସରକାର ଲୁଟ୍ ଆରମ୍ଭ କରିଛନ୍ତି।”
“କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ୯ ଥର ତୈଳ ଦର ବୃଦ୍ଧି କରିଛନ୍ତି। ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ବର୍ଦ୍ଧିତ ତୈଳ ଦର ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ”, କହିଛନ୍ତି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ।
ବିଜେଡି ଏହି ପ୍ରତିବାଦକୁ ସମାଲୋଚନା କରିଛି ବିଜେପି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି।
ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶା ସରକାର ତୈଳ ଉପରେ ଅଧିକ ଟିକସ ଆଦାୟ କରୁଛନ୍ତି। ରାଜ୍ୟ ସରକାର କେନ୍ଦ୍ରୀୟ ଟିକସ୍ ବାଦ୍ ଅତିରିକ୍ତ ୨୬ ପ୍ରତିଶତ ଟିକସ ଲାଗୁ କରୁଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଓ ନିଜସ୍ବ ଟିକସକୁ ମିଶାଇ ଓଡ଼ିଶା ସରକାର ଅଧିକ ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ଲାଭ ପାଉଛନ୍ତି। ଡିଜେଲରେ ୨୨ ଟଙ୍କା ଲାଭ ପାଉଛନ୍ତି। ଏଣୁ ରାଜ୍ୟ ସରକାର ପ୍ରଥମେ ତୈଳ ଉପରୁ ଭାଟ୍ ହ୍ରାସ କରନ୍ତୁ।”
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ୪୨ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୬୬ ଟଙ୍କା ୭୭ ପଇସା ରହିଛି।








ତୈଳ ଦର ବୃଦ୍ଧିର ପ୍ରତିବାଦ କରିଛି ବିଜେଡି। ସାଢ଼େ ୩ ବର୍ଷରେ ୯ ଥର ପେଟ୍ରୋଲ ଦର ବୃଦ୍ଧି ପାଇଥିବାରୁ କେନ୍ଦ୍ରକୁ ସମାଲୋଚନା କରି ଭୁବନେଶ୍ୱରରେ ବିକ୍ଷୋଭ କରିଛି ବିଜେଡି। ଏପଟେ ବିଜେପି ଏହାର ଜବାବ ଦେଇ କହିଛି ରାଜ୍ୟ ସରକାର ପେଟ୍ରୋଲ ଉପରୁ ଟିକସ କମାନ୍ତୁ।









