ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ ଓ ପୁନେ ବିଶ୍ଵଶାନ୍ତି ବିଶ୍ଵବିଦ୍ୟାଳୟ ପକ୍ଷରୁ ହୋଇଥିଲା ସର୍ଭେ
  • ସର୍ଭେରେ ସାମିଲ ହୋଇଥିଲେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ
  • ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଲେ ନବୀନ ପଟ୍ଟନାୟକ

ଆଉଟଲୁକ୍ ପ୍ରତ୍ରିକା ପକ୍ଷରୁ ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର ପାଇବା ପରେ ଏଥର ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ବିବେଚିତ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ ଓ ପୁନେ ବିଶ୍ଵଶାନ୍ତି ବିଶ୍ଵବିଦ୍ୟାଳୟ ପକ୍ଷରୁ ଦେଶର ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ନବୀନ ପଟ୍ଟନାୟକଙ୍କୁ ଚୟନ କରାଯାଇଛି।

ଅଷ୍ଟମ ଭାରତୀୟ ଛାତ୍ର ସଂସଦ ସମ୍ମିଳନୀ ଅବସରରେ ଏମ୍ଆଇଟି ଓ ଡବ୍ଲୁପିୟୁ ପକ୍ଷରୁ ନବୀନଙ୍କୁ ସମ୍ବର୍ଦ୍ଧିତ କରାଯିବ। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ୍ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବେ।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସଫଳ କାର୍ଯ୍ୟଶୈଳୀକୁ ପାଥେୟ କରି ସର୍ଭେ କରାଯାଇଥିଲା। ଶେଷରେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବିଚାରକୁ ନିଆଯାଇ ଭୋଟିଂ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ୍ (ମହାରାଷ୍ଟ୍ର), ମମତା ବାନାର୍ଜୀ(ପଶ୍ଚିମବଙ୍ଗ), ମାଣିକ ସରକାର (ତ୍ରିପୁରା), ନୀତିଶ କୁମାର (ବିହାର), ସିଦ୍ଧରମୈୟା (କର୍ଣ୍ଣାଟକ) ଓ ନବୀନ ପଟ୍ଟନାୟକ (ଓଡ଼ିଶା)ଙ୍କୁ ନେଇ ଅନଲାଇନ୍ ସର୍ଭେ କରାଯାଇଥିଲା। ଶେଷରେ ଏହି ୫ ଜଣଙ୍କୁ ପଛରେ ବାଜି ମାରିନେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ।

ଜାନୁଆରୀ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ଛାତ୍ର ସଂସଦ (ବିସିଏସ୍) ଫାଉଣ୍ଡେସନ୍ ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ସମ୍ବର୍ଦ୍ଧିତ କରାଯିବ।

ସବୁଠୁ ଗୁରୁତ୍ତ୍ଵପୁର୍ଣ୍ଣ କଥା ହେଉଛି ବିସିଏସ୍ ଫାଉଣ୍ଡେସନ୍ ପରିଷଦରେ ଥିବା ବହୁ ବୁଦ୍ଧିଜୀବି ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ କରିଥାନ୍ତି।

ବିଶିଷ୍ଟ ଶିକ୍ଷାବିତ୍ ବିଶ୍ଵନାଥ ଡି. କରଡ ପ୍ରତିଷ୍ଠାତା ସଭାପତି ଭାବେ ରହିଥିବାବେଳେ ପ୍ରତିଷ୍ଠିତ ବୈଜ୍ଞାନିକ ଆର୍ ଏ ମାର୍ସଲେକର, ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଟି.ଏନ୍ ଶେଷାନ, ସମାଜସେବୀ ତୁଷାର ଗାନ୍ଧି, ପ୍ରଖ୍ୟାତ ସାମ୍ବାଦିକ ଓ ସ୍ତମ୍ଭକାର ମାର୍ତ ତୁଲ୍ଲୀ ପ୍ରମୁଖ ଚୟନ କମିଟିରେ ସଦସ୍ୟ ରହିଛନ୍ତି।

ଏହି ପୁରସ୍କାର ଚୟନ ବେଳେ କମିଟିର ସଦସ୍ୟମାନେ ରାଜ୍ୟର ବିକାଶ, ଅର୍ଥନୈତିକ ଅଭିବୃଦ୍ଧି, ଦୁର୍ନୀତି ନିବାରଣ ପାଇଁ ବଳିଷ୍ଠ ପଦକ୍ଷେପ, ପ୍ରଶାସନିକ ସ୍ଵଚ୍ଛତା ଆଦି କ୍ଷେତ୍ରକୁ ବିଚାରକୁ ନିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମଳ ଭାବମୂର୍ତ୍ତି, ରାଜ୍ୟରେ ସାମଗ୍ରିକ ବିକାଶ ଏବଂ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କର ଭୂମିକା ସହିତ ନିଜକୁ ଜଣେ ସଚ୍ଚୋଟ ଓ ନିର୍ବିବାଦୀୟ ବ୍ୟକ୍ତିତ୍ଵର ପରିଚୟ ସୃଷ୍ଟି କରିଥିବାରୁ ମନୋନୟକାରୀମାନେ ତାଙ୍କ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି।

ପୁନେର କୋର୍ଥୁଡଠାରେ ଭାରତୀୟ ଛାତ୍ର ସଂସଦ ପକ୍ଷରୁ ଚାଲିଥିବା ଏହି ତିନିଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟର ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ମନ୍ତ୍ରାଳୟ ଏବଂ କ୍ରୀଡା ଓ ଯୁବକଲ୍ୟାଣ ମନ୍ତ୍ରାଳୟ ସହିତ ମହାରାଷ୍ଟ୍ର ସରକାରଙ୍କ ମିଳିତ ସାହାୟତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ମାନବ ସମ୍ବଳ ବିକଶ ମନ୍ତ୍ରୀ ପ୍ରକାଶ ଜାଭେଦକର, କେନ୍ଦ୍ର କ୍ରୀଡାମନ୍ତ୍ରୀ କର୍ଣ୍ଣଲେ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପୁନେର ମେୟର ମୁକ୍ତା ତିଲକ, ମହାରାଷ୍ଟ୍ରର ଉଚ୍ଚଶିକ୍ଷା ମନ୍ତ୍ରୀ ବିନୋଦ କାୱାଡେ ପ୍ରମୁଖ ଯୋଗ ଦେବେ।

Comment