ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ବୁଧବାର ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ବିଜେପି ହରତାଲ କରିଥିଲା। ଏହାର ପ୍ରଭାବ ବାଲେଶ୍ୱର ସହରରେ ମଧ୍ୟ ଦେଖିବାକୁ ମିଳିଛି। ବାଲେଶ୍ୱରରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସଫଳତାର ସହିତ ସମାପିତ ହୋଇଛି ବୋଲି ଜିଲ୍ଲା ବିଜେପି ଓ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି।
ବୁଧବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ଓ ହରତାଳ କରାଯାଇଥିଲା। ବନ୍ଦ ଡାକରା ଫଳରେ ସାରା ସହର ଜନଶୂନ୍ୟ ହୋଇପଡ଼ିଥିବା ବେଳେ ସହରର ପେଟ୍ରୋଲ ପମ୍ପ, ସ୍କୁଲ ଓ କଲେଜ, ବ୍ୟାଙ୍କ୍, ପୋଷ୍ଟ ଅଫିସ, ବାଣିଜ୍ୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ଫାଟକ ଦୁଇଟିରେ ତାଲା ପଡ଼ିବା ସହ ପୋଲିସ ମୁତୟନ ଥିଲେ। ସରକାରୀ କାର୍ଯ୍ୟାଳୟ ସବୁ ଖୋଲା ଥିଲେ ମଧ୍ୟ ଉପସ୍ଥାନ ଆଶାଜନକ ନଥିଲା।
ମୋତିଗଂଜ ବଜାର, ସିନେମା ବଜାର, କଚେରୀ ବଜାର, ସହଦେବଖୁଂଟା ବସଷ୍ଟାଣ୍ଡ, ରେଳ ଷ୍ଟେସନ ଇତ୍ୟାଦି ସ୍ଥାନ ଜନଶୂନ୍ୟ ଲାଗିଥିଲା। କଂଗ୍ରେସ କର୍ମୀ ଓ ସମର୍ଥକମାନେ ରାସ୍ତାରେ ଟାୟାର ଜାଳିବା ସହ ସହରରେ ଥିବା ଏଟିଏମ୍ କାଉଣ୍ଟର୍ ବନ୍ଦ କରିଦେଇଥିଲେ।
ଏହି ବନ୍ଦ ପାଳନ ବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟ ନାରାୟଣ ମହାନ୍ତି, ପିସିସି ସମ୍ପାଦକ ଅକ୍ଷୟ ମଲ୍ଲିକ, ସଞ୍ଜିବ ଗିରି, ବିକ୍ରମ ପଣ୍ଡା, ବେଣୁମାଧବ ପଣ୍ଡା, ବିଧାନ ଚନ୍ଦ୍ର ଜେନା, ପଦ୍ମଲୋଚନ ଲେଙ୍କା, ଉର୍ମିଳା ମାଝି, ଅର୍ଦ୍ଧେନ୍ଦୁ ଶେଖର ଦାସ, ମନୋଜ ନାୟକ, ବାସନ୍ତି ନାୟକ, ସେକ୍ ଅବଦୁଲ ପ୍ରମୁଖ ବାଲେଶ୍ୱର ବନ୍ଦର ନେତୃତ୍ୱ ନେଇଥିଲେ।
ସେହିପରି ବିଜେପିର ହରତାଳ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ ହୋଇଥିଲା। ଫକୀରମୋହନ ଗୋଲେଇଠାରେ ବିକ୍ଷୋଭ କରୁଥିବା ବେଳେ ୨୫ କଂଗ୍ରେସ ନେତା ଏବଂ ୩୦ ବିଜେପି ନେତାଙ୍କୁ ସହଦେବଖୁଂଟା ଥାନା ଅଧିକାରୀ ପରେଶ କୁମାର ରାଉତ ଗିରଫ କରିଥିଲେ।


















