ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେପି ହରତାଲ୍ କରିଛି। ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ବନ୍ଦ ପ୍ରଭାବ ପଡ଼ିଛି।

ବନ୍ଦ ଯୋଗୁଁ ରାଜଧାନୀ ରାସ୍ତାରେ ଅଟୋ କିମ୍ବା ବସ୍ ଗଡ଼ି ନଥିଲା। ଫଳରେ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି।

ରାଜଧାନୀର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସ୍କୁଲ୍ କଲେଜ ମଧ୍ୟ ବନ୍ଦ ରହିଥିଲା। ତେବେ ଆସନ୍ତୁ ନଜର ପକାଇବା ରାଜଧାନୀରେ କେମିତି ଥିଲା ବନ୍ଦର ଚିତ୍ର।

ମାଷ୍ଟରକ୍ୟାଣ୍ଟିନରେ ରାସ୍ତା ଅବରୋଧ

ଭୁବନେଶ୍ବର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଛକରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଥିଲେ। ହେଲେ ମାଷ୍ଟରକ୍ୟାଣ୍ଟିନ୍ ଓ ଜୟଦେବ ବିହାର ଛକରେ କଂଗ୍ରେସ ତାର ଶକ୍ତି ଦେଖାଇଥିଲା।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରମୁଖ ବନ୍ଦରେ ସାମିଲ ହୋଇଥିଲେ।

ଯୁବ କଂଗ୍ରେସ, ମହିଳା କଂଗ୍ରେସ ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ରାସ୍ତା ଅବରୋଧ କରି ସରକାର ବିରୋଧୀ ନାରା ଦେଇଥିଲେ। ରେଳଷ୍ଟେସନ ଯାଇ ଟ୍ରେନ ଅଟକାଇଥିଲେ। ଯୁବ କଂଗ୍ରେସର ଶତାଧିକ କର୍ମୀ ବାଇକ୍ ରାଲି କରି ରାଜଧାନୀର ବିଭିନ୍ନ ଛକ ବଜାରରେ ପିକେଟିଂ କରିଥିଲେ। ପରେ କଂଗ୍ରେସର କିଛି କର୍ମୀ ଓ ନେତାଙ୍କୁ ପୋଲିସ୍ ଗିରଫ କରିଥିଲେ।

କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି, “ଦଳିତମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ରାଜ୍ୟରେ ମହିଳାମାନେ ସୁରକ୍ଷିତ ମଣୁ ନାହାନ୍ତି। ରାଜ୍ୟ ସରକାରଙ୍କର ଯଦି ଆଦିବାସୀ ଓ ମହିଳାମାନଙ୍କ ପ୍ରତି ଆନ୍ତରିକତା ଥାଆନ୍ତା ତାହେଲେ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରି ନଥାନ୍ତେ। ଏହି ଘଟଣା ଉପରୁ ପରଦା ହଟାଇବା ପାଇଁ ସରକାର ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦିଅନ୍ତୁ। ନହେଲେ ଆନ୍ଦୋଳନ ଜୋରଦାର କରାଯିବ।”

ରାମ ମନ୍ଦିର ସମ୍ମୁଖରେ ବିଜେପିର ବିକ୍ଷୋଭ

ବିଜେପି ପାର୍ଟି ଅଫିସ୍ ଓ ରାମ ମନ୍ଦିର ସମ୍ମୁଖରେ ବିଜେପିର ଶତାଧିକ କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲେଗାନ୍ ଲେଖାଥିବା ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ନାରାବାଜି ପ୍ରଦର୍ଶନ କରିଥିଲେ। ସେହିବାଟରେ ଆସୁଥିବା ଦୁଇଚକିଆ ଗାଡ଼ିକୁ ବିଜେପି କର୍ମୀମାନେ ଛାଡ଼ୁନଥିଲେ। ପ୍ରାୟ ଦିନ ୧୨ଟା ଯାଏ ରାସ୍ତା ଅବରୋଧ କରି ବିଜେପି କର୍ମୀମାନେ ବସି ରହିଥିଲେ। ପରେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ପୃଥ୍ଵୀରାଜ ହରିଚନ୍ଦନଙ୍କ ନେତୃତ୍ଵରେ ଏକ ରାଲି ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇ ସେଠାରେ ପ୍ରତିବାଦ କରିଥିଲା।

କ’ଣ ଥିଲା ସଚିବାଳୟ ସମ୍ମୁଖର ଚିତ୍ର

ଓଡ଼ିଶା ବନ୍ଦ ଯୋଗୁଁ ସଚିବାଳୟ କର୍ମଚାରୀଙ୍କୁ ପୂର୍ବାହ୍ନ ୯ଟା ୩୦ ଭିତରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୬୦ ପ୍ରତିଶତ କର୍ମଚାରୀ ସଚିବାଳୟ ଆସିଥିବା ଜଣାପଡ଼ିଛି। କିଛି କିଛି କର୍ମଚାରୀ ସେମାନଙ୍କର ବାଇକ୍ ଯୋଗେ ସଚିବାଳୟରେ ପହଞ୍ଚିଥିଲେ। କେତେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ ବାଇକରେ ବସି ସଚିବାଳୟକୁ ଆସୁଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ୧୧ଟା ୩୦ରେ ସଚିବାଳୟରେ ପ୍ରବେଶ କରିଥିଲେ।

ସଚିବାଳୟକୁ କର୍ମଚାରୀ ଆସୁଥିବା ଖବରପାଇ ବିଜେପି ନେତା ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତ ସିଂହାର, ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ବିଜେପି କର୍ମୀ ସଚିବାଳୟ ସମ୍ମୁଖକୁ ଆସିଥିଲେ। ବିଜେପି ନେତା ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ୍ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ସେମାନଙ୍କୁ ଗିରଫ କରି ନେଇ ଯାଇଥିଲା।

“ଓଡ଼ିଶାବାସୀଙ୍କ ଅଧିକାର ପାଇଁ ବିଜେପି ଲଢ଼େଇ କରୁଛି। କୁନ୍ଦୁଲି ପୀଡ଼ିତା ୧୦୦ରୁ ଅଧିକ ଦିନ ହେଲୋ ନ୍ୟାୟ ପାଇଁ ଲଢ଼େଇ କରି ଜୀବନ ହାରିଦେଲେ। ହେଲେ ସରକାର ଏବଂ ପୋଲିସ ପ୍ରଶାସନ ତାଙ୍କୁ ନ୍ୟାୟ ଦେଇ ପାରିଲା ନାହିଁ। ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସମର୍ଥ ହୋଇନି। ଓଡ଼ିଶାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି”, କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଗଡ଼ିଲାନି ଅଟୋ କି ସିଟି ବସ୍

ରାଜଧାନୀରେ ଯାତ୍ରୀମାନଙ୍କର ସାହା ଭରସା ପାଲଟିଥିବା ଅଟୋ ଏବଂ ସିଟି ବସ୍‌ ସେବା ଆଜି ଠପ୍ ହୋଇଯାଇଥିଲା। ଅଟୋ କିମ୍ବା ସିଟି ବସ୍ ଗଡ଼ି ନଥିବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ। ଦୂର ଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରି ନଥିଲେ। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଏବଂ ମାଷ୍ଟରକ୍ୟାଣ୍ଟିନ୍‌ ଷ୍ଟେସନରେ ଯାତ୍ରୀମାନେ ବସି ରହିଥିଲେ। ଆଉ କିଛି ଯାତ୍ରୀ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ବଡ଼ଗାଡ଼ି ଯାତାୟତ କରୁ ନଥିବା ବେଳେ ବାଇକରେ କିଛି ଯାତ୍ରୀ ଯିବା ଆସିବା କରୁଥିଲେ।

Comment