ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନଥିଲା ବିଜେଡିରେ ପ୍ରଭାବଶାଳୀ ନେତା ଭାବେ ପରିଗଣିତ ହେଉଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ହେଲେ ୨୦୧୪ ନିର୍ବାଚନ ପରେ ବିଜେଡି-ବୈଜୟନ୍ତଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଥିବା ଚର୍ଚ୍ଚା ହେଉଛି।

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବୁଧବାର ସାରା ଓଡ଼ିଶା ଉଠୁଥିଲା ପଡ଼ୁଥିଲା ବେଳେ ବିଜେଡି ଶିବିରରୁ ଏକ ଚକିତ ହେଲା ଭଳି ଖବର ଆସିଲା। ବିଜେଡିରୁ ବୈଜୟନ୍ତ ପଣ୍ଡାଙ୍କୁ ନିଲମ୍ବନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ବିଜେଡି ଉପ-ସଭାପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ଖବର ପ୍ରଚାରିତ ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା।

ବୁଧବାର ବିଜେଡି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

“୨୦୧୪ ନିର୍ବାଚନ ପରେ ବୈଜୟନ୍ତ ପଣ୍ଡା ଲୋକସଭାର ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ସଂସଦରେ ବିଜେଡି ୪ର୍ଥ ବୃହତ ଦଳ ହୋଇଥିବାରୁ ଏହି ପଦବୀ ପାଇବାରୁ ବଞ୍ଚିତ ହୋଇପାରେ ବୋଲି ବୈଜୟନ୍ତ କହିଥିଲେ। ଯଦିବା ତାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଏ ତାହେଲେ ସେ ଉପର ମହଲାରେ ଲବି କରି ଏହି ପଦବୀ ହାତେଇ ପାରିବେ”, ଏହା ବିଜେଡି ଦେଇଥିବା ପ୍ରେସ୍‌ ରିଲିଜରେ ଉଲ୍ଲେଖ ରହିଛି।

ବିଜେଡି ଆହୁରି କହିଛି ଯେ, ବୈଜୟନ୍ତ ୨୦୧୪ରେ ଇମ୍ଫାର ଉପସଭାପତି ରହି ଦରମା ଓ ଭତ୍ତା ବାବଦରେ ୧ କୋଟି ୪୫ ଲକ୍ଷ ୨୭ ହଜାର ୭୪୭ ଟଙ୍କା ନେଇଛନ୍ତି। ପୂର୍ବରୁ ଇମ୍ଫା କମ୍ପାନି ଉପରୁ ହଜାର ହଜାର କୋଟି ଟଙ୍କାର ଋଣ ଛାଡ଼ ହୋଇଥିଲା। ଏହା ବିବାଦଘେରରେ ଥିବାରୁ ବିଜେଡି ସଭାପତି ବୈଜୟନ୍ତଙ୍କୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ମନୋନୀତ କରିବା ପାଇଁ ଅଗ୍ରାହ୍ୟ କଲେ। ଦଳରେ ବୈଜୟନ୍ତଙ୍କ ସ୍ୱାର୍ଥ ହାସଲ ହୋଇ ନପାରିବାରୁ ସେ ବିଜେଡି ବିରୋଧରେ ସ୍ୱର ଉତ୍ତଳନ କରିଥିଲେ।

“ବୈଜୟନ୍ତଙ୍କ ସ୍ୱାର୍ଥ ପୂରଣ ନହେବାରୁ ଲୋକସଭା, ରାଜ୍ୟ ଏବଂ ନିଜ ନିର୍ବାଚନମଣ୍ଡଳୀରେ ଦଳ ବିରୋଧୀ କାମ କରୁଥିଲେ। ଗତ ପଞ୍ଚାୟତ ନିର୍ବାଚନ ବେଳେ ବୈଜୟନ୍ତ ନିଜ ଦଳର ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର ନକରି ବିରୋଧୀଙ୍କ ପାଇଁ ପ୍ରଚାର କରିଥିଲେ।”

ଏସବୁ ଅଭିଯୋଗକୁ ବିଚାର କରି ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଥିବା ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ବୈଜୟନ୍ତଙ୍କ ପିଠି ଥାପୁଡେଇଥିଲେ ମୋଦି!

୨୦୧୪ ନିର୍ବାଚନ ସାରା ଦେଶରେ ଏକ ନିର୍ଣ୍ଣାୟକ ମୋଡ଼ ନେଇଥିଲା। କଂଗ୍ରେସ ଦୁର୍ଗକୁ ଭାଙ୍ଗି କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ। ଆଉ ମୋଦି ହାଓ୍ବାକୁ ପଛରେ ପକାଇ ଓଡ଼ିଶାରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ।

ନରେନ୍ଦ୍ର ମୋଦିଙ୍କୁ ଭେଟଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ୨୪ ଜଣ ସାଂସଦଙ୍କୁ ନେଇ ଦିଲ୍ଲୀ ଯାଇଥିଲେ। ନବୀନ ଓ ମୋଦିଙ୍କ ସହ ଓଡ଼ିଶା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଲୋଚନା ପରେ ମୋଦି ବୈଜୟନ୍ତଙ୍କ ପିଠି ଥାପୁଡ଼େଇଥିବା ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ମୋଦି-ବୈଜୟନ୍ତଙ୍କ ସମ୍ପର୍କ ଦୃଢ଼ ହେଉଥିବା କୁହାଗଲା। ଆଉ ଏହାକୁ ଆହୁରି ସ୍ପଷ୍ଟ କରିବା ପାଇଁ ବୈଜୟନ୍ତ ମୋଦିଙ୍କୁ ପ୍ରଶଂସା କରି ଜାତୀୟ ସ୍ତରର ଖବରକାଗଜରେ ଆର୍ଟିକିଲ୍ ଲେଖିଥିଲେ। ଏହାକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା।

ସଂସଦୀୟ ଦଳ ମୁଖପାତ୍ର ପଦବୀରୁ ହଟିଥିଲେ ବୈଜୟନ୍ତ

ସୋସିଆଲ ମିଡିଆରେ ମଧ୍ୟ ବୈଜୟନ୍ତ ଏ ସମ୍ପର୍କରେ ମତ ରଖିଥିଲେ। ଫଳରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦ ଲାଗି ରହିଥିଲା। ଏହି ଘଟଣା ପରେ ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ଦୂରତା ବଢ଼ିଥିଲା।

ବାରମ୍ବାର ସୋସିଆଲ ମିଡିଆରେ ବୈଜୟନ୍ତ ଦଳ ବିପକ୍ଷରେ ଚର୍ଚ୍ଚା କରିବାରୁ ତାଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦବୀରୁ ୨୦୧୭ରେ ନବୀନ ହଟାଇ ଦେଇଥିଲେ। ଏହାପରେ ବି କେନ୍ଦ୍ରାପଡ଼ା ସାଂସଦ ତାଙ୍କ ଅଭିମୁଖ୍ୟ ବଦଳାଇ ନଥିଲେ। ଦଳ ବିରୋଧୀ କାମ କରୁଥିବା ଅଭିଯୋଗ ହେଉଥିଲା।

ଚର୍ଚ୍ଚାରେ ଥିଲେ ବୈଜୟନ୍ତ?

କିଛିଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରି ବିବାଦରେ ଛନ୍ଦି ହୋଇ ଯାଇଥିଲେ ବୈଜୟନ୍ତ। ଏପରିକି ଅଫିସର ସର୍ଭିସ୍‌ ରୁଲ୍‌କୁ ଭୁଲି ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି ବୋଲି କହିବାକୁ ପଛାଇ ନାହାନ୍ତି ଏହି ବରିଷ୍ଠ ନେତା। ଲାଗାତାର ବୈଜୟନ୍ତ ଏବଂ ତାଙ୍କ ରାଜନୈତିକ ସଚିବ ତୃତୀୟ ମହଲାକୁ ଆଟାକ୍‌ କରି ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲେ କମ୍ପନ।

ଏହି କମ୍ପନ ଏମିତି ଥିଲା ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଜବାବ ରଖିବାକୁ  ବାଧ୍ୟ ହୋଇଥିଲେ। ବୈଜୟନ୍ତଙ୍କ ଅଣଓଡ଼ିଆ ଅଫିସରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ନବୀନ କଡ଼ା ଭାଷାରେ ତାଗିଦ୍ କରିଥିଲେ। କହିଥିଲେ, “ଯେଉଁମାନଙ୍କ ପାଖରେ କିଛି ପ୍ରସଙ୍ଗ ନଥାଏ ସେମାନେ ମୋ କାର୍ଯ୍ୟାଳୟ ଉପରେ ଆଲୋଚନା କରନ୍ତି।”

ନବୀନଙ୍କ ଏହି ବିବୃତି ଆସିବା ପରେ ବୈଜୟନ୍ତ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ସୋସିଆଲ ମିଡିଆରେ। ତାଙ୍କ ଦଳର ନେତା ଯାହା ବିଚାର କରିଛନ୍ତି ତାହାକୁ ଆଉଥରେ ତର୍ଜମା କରିବାକୁ ଅନୁରୋଧ କରିଥିଲେ। ଏହାସହ ନବୀନଙ୍କ ‘ପ୍ରସଙ୍ଗ ହୀନ’ ମନ୍ତବ୍ୟରେ ମତ ରଖିବାକୁ ଯାଇ ବିଭିନ୍ନ ପ୍ରଶ୍ନବାଣରେ ଛନ୍ଦିଥିଲେ ବୈଜୟନ୍ତ। ବିଜୁବାବୁଙ୍କ  ଉଦାହରଣ ଦେଇ ପୁଣିଥରେ ଅଫିସରଙ୍କ ଉପରେ ବର୍ଷିଥିଲେ।

କ’ଣ ଥିଲା ଘଟଣା

ସାଂସଦ ପାଣ୍ଠିରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକର ବୁହାଳୋ ପଞ୍ଚାୟତରେ ହୋଇଥିଲା ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ। ଏହାକୁ ଉଦ୍‌ଘାଟନ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡା କରିଥିଲେ ଯୋଜନା। ହେଲେ ଏହାକୁ ବିରୋଧ କରିଥିଲା ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି। ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ପାଣିଟାଙ୍କି ଉଦଘାଟନ ପାଇଁ ଅନୁମତି ନଦେବାକୁ  ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଜିଲ୍ଲାପାଳଙ୍କୁ ଲେଖିଥିଲେ ଚିଠି। ଏହି ଘଟଣାରୁ ହିଁ ଆରମ୍ଭ ହୋଇଥିଲା ବିବାଦ। କିଛି କୁଚକ୍ରୀ ଗୋଷ୍ଠୀ ଏବଂ ଅଣଓଡ଼ିଆ ଅଫିସର ପାଣିଟାଙ୍କି ଉଦଘାଟନ ହେଉ ବୋଲି ଚାହୁଁ ନଥିବା ବୈଜୟନ୍ତଙ୍କ ଅଫିସ ଅଭିଯୋଗ କରିଥିଲା।

ଗୋଟିଏ ପଟେ ବ୍ଲକ ବିଜେଡି ସାଂସଦଙ୍କୁ ବିରୋଧ କରିଥିବା ବେଳେ ବୁହାଳୋ ସରପଞ୍ଚ ବୈଜୟନ୍ତଙ୍କୁ ଦେଇଥିଲେ ସମର୍ଥନ। ସାଂସଦ ଆସିଲେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଜିଲ୍ଲାପାଳଙ୍କୁ ଲେଖିଥିଲେ ଚିଠି। ଶେଷରେ ବୈଜୟନ୍ତ ଆସିଲେ ଏବଂ ପାଣିଟାଙ୍କି ଉଦଘାଟନ କଲେ। ଉଦଘାଟନ କରିବା ପରେ ବୈଜୟନ୍ତ ଥାର୍ଡ ଫ୍ଲୋରକୁ ଟାର୍ଗେଟ୍ କରିଥିଲେ।

Comment