ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ବାଦବିବାଦ ପରେ ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସିନେମା ‘ପଦ୍ମାବତ୍’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମର ତିନିଟି ମୁଖ୍ୟ ଚରିତ୍ର ହେଉଛନ୍ତି ରାଣୀ ପଦ୍ମାବତ୍, ରାଜା ରତନ୍ ସିଂହ ଓ ଆଲ୍ଲାଉଦ୍ଦିନ ଖିଲ୍‌ଜି। ଏହି ଭୂମିକାକୁ ପରଦା ଉପରେ ନିଭାଇଛନ୍ତି ଯଥାକ୍ରମେ ଦୀପିକା ପାଦୁକୋନ୍, ସାହିଦ କପୁର ଓ ରଣବୀର ସିଂହ।

ପଦ୍ମାବତ୍ କିନ୍ତୁ ଦର୍ଶକଙ୍କୁ ନିରାଶ କରିବା ଭଳି ସିନେମା ହୋଇଛି। ପୂର୍ବରୁ ସଞ୍ଜୟ ଲୀଳା ଭଂସାଲି ଯେଉଁଭଳି ଭବ୍ୟ ସିନେମା ତିଆରି କରୁଥିଲେ, ଏଥିରେ ସେହି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି, ମାତ୍ର ଉପସ୍ଥାପନା ବିଶେଷ କରି ଷ୍ଟୋରୀ ଟେଲିଂ ବେଳେ ହାର ମାନିଛନ୍ତି। ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଅତ୍ୟନ୍ତ ଦୁର୍ବଳ। ଏଥିରେ ପଦ୍ମାବତୀ ଓ ରତନ୍ ସିଂହଙ୍କର ପ୍ରେମ ପ୍ରସଙ୍ଗକୁ ଆବଶ୍ୟକ ଅନୁସାରେ ଗୁରୁତ୍ଵ ଦିଆଯାଇନାହିଁ, କିନ୍ତୁ ଆଲ୍ଲାଉଦିନ୍ ଖିଲିଜଙ୍କର ପ୍ରକୋପକୁ ଅତି ରଞ୍ଜିତ ଢ଼ଙ୍ଗରେ ଦେଖାଇଛନ୍ତି ନିର୍ଦ୍ଦେଶକ। ପରିସ୍ଥିତି ଏପରି ହୋଇଛି ଯେ ଯେତେବେଳେ ଅଭିନେତା ରଣବୀର ସିଂହ ନିଜର ଦମଦାର କଣ୍ଠ ସ୍ଵରରେ ସଂଳାପ କହୁଛନ୍ତି ସେତେବେଳେ ସାହିଦ୍ କପୁରଙ୍କ କଣ୍ଠସ୍ଵର ତାଙ୍କ ପିତାଙ୍କ ଭଳି ହୋଇଯାଉଛି ଅର୍ଥାତ୍ ସେ ସାଧାରଣ ସ୍ଵରରେ କଥା ବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି ଏହି ଫିଲ୍ମରେ ।

ପଦ୍ମାବତରେ ଯୁଦ୍ଧ ଦୃଶ୍ୟରେ କିଛି ବିଶେଷତ୍ଵ ନାହିଁ, କାରଣ ଆଗରୁ ‘ବାଜିରାଓ ମସ୍ତାନୀ’ ଓ ‘ବାହୁବଳି’ରେ ଏଭଳି ଦୃଶ୍ୟ ଦେଖିସାରିଛନ୍ତି ଦର୍ଶକ। ସବୁଠୁ ବଡ଼ କଥା ହେଉଛି ଯେ ରାଣୀ ପଦ୍ମିନୀଙ୍କ ଗାଥାକୁ ସଠିକ୍ ଭାବେ ଉପସ୍ଥାପିତ କରିପାରିନାହାନ୍ତି ନିର୍ଦ୍ଦେଶକ ସଞ୍ଜଳ ଲୀଳା ଭଂସାଲି। ଯଦିଓ ଭଂସାଲିଙ୍କ ଫିଲ୍ମଟି ଏକ କାଳ୍ପନିକ କାହାଣୀ ଉପରେ ପର୍ଯ୍ୟବେଶିତ ବୋଲି ଘୋଷଣାନାମା ଦେଇଛନ୍ତି ତଥାପି ଦର୍ଶକଙ୍କ ମନରେ ଏ କଥା ରହିଛି ଯେ ପଦ୍ମାବତ୍ ହେଉଛି ରାଣୀ ପଦ୍ମାବତୀ ବୀରଗାଥା ଉପରେ ଆଧାରିତ ଚଳଚ୍ଚିତ୍ର। ଏଣୁ ଯେଉଁ ଦର୍ଶକମାନେ ପୂର୍ବରୁ ସେହି ପଦ୍ମାବତୀଙ୍କ ବୀରତ୍ଵ ଉପରେ ଭଲ ଭାବରେ ଜାଣନ୍ତି, ସେମାନେ ନିଶ୍ଚିତ ରୂପେ ନିରାଶ ହେବେ ବୋଲି କୁହାଯିବ। ଏ ଦୃଷ୍ଟିରୁ ସଞ୍ଜୟଙ୍କ ଏହି ମହତ୍ତ୍ଵାକାଂକ୍ଷୀ ଫିଲ୍ମକୁ କେବଳ ଖିଲ୍‌ଜି ସଂସ୍କରଣ ରହିଥିବା କୁହାଯାଇପାରେ।

‘ପଦ୍ମାବତ’ରେ ପ୍ରଥମଥର ପାଇଁ ରଣବୀର ସିଂହ ଉଭୟଙ୍କର ଖଳନାୟକ ଭାବେ ପରଦାକୁ ଆସିଛନ୍ତି। ଏହି ଚରିତ୍ର ପ୍ରତି ସେ ନ୍ୟାୟ କରିଥିଲେ ହେଁ ଅନେକ ଦୃଶ୍ୟରେ ଅତି ରଞ୍ଜିତ ଅଭିନୟ କରିଛନ୍ତି। ତେବେ ଭଂସାଲି ଯୁଦ୍ଧକୁ ରାଜପୁତମାନଙ୍କର ଶୈଳୀରେ ପ୍ରଦର୍ଶିତ କରିଛନ୍ତି। ଫିଲ୍ମର ଏକ  ସ୍ଵପ୍ନ ଦୃଶ୍ୟରେ ମଧ୍ୟ ଆଲାଉଦ୍ଦିନ ଖିଲିଜଙ୍କ କାମୁକତାରେ ବ୍ରେକ୍ ଲଗାଇଛନ୍ତି ନିର୍ଦ୍ଦେଶକ।

ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ଯେ ଯେଉଁ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲି ସବୁବେଳେ ସଂଗୀତମୟ ସିନେମା ତିଆରି କରିଥାନ୍ତି, ଏଥର ସେଥିରେ ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ‘ପଦ୍ମାବତ’ରେ ସଞ୍ଜୟଙ୍କ ପୂର୍ବ ସିନେମା ‘ହମ୍ ଦିଲ୍ ଦେ ଚୁକେ ସନମ୍’ ‘ଦେବଦାସ’, ‘ଗୋଲିଓକା ରାସ ଲୀଳା-ରାମ ଲୀଳା’ ଏବଂ ‘ବାଜିରାଓ ମସ୍ତାନି’ ଚଳଚ୍ଚିତ୍ର ଭଳି ସଂଗୀତ ନାହିଁ, ଯାହାକି ଦର୍ଶକଙ୍କୁ ବାନ୍ଧି ରଖିପାରିବ। ବାସ୍ତବରେ ନିର୍ଦ୍ଦେଶକ ରାଣୀ ପଦ୍ମାବତୀଙ୍କ କାହାଣୀରେ ମସାଲା ମିଶାଇ ପ୍ରସ୍ତୁତ କରିଛନ୍ତି।

Comment