ଓଡ଼ିଶାଲାଇଭ୍ ବ୍ୟୁରୋ
କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର। ଲଗ୍ନ ସମୟ ଗଡ଼ିଗଲା ପଛେ ବର କି ବରଯାତ୍ରୀ ଆସିଲେ ନାହିଁ। ଶେଷରେ ମଙ୍ଗୁଳା କନ୍ୟା ସ୍ୱର୍ଣ୍ଣମୟୀଙ୍କ ସୁନେଲି ସ୍ୱପ୍ନ ହୋଇଯାଇଛି ଚୁର୍ମାର୍।
ବାହାଘର ପାଇଁ ସବୁ ଆୟୋଜନ ଶେଷ ହୋଇଥିଲା। କଲ୍ୟାଣ ମଣ୍ଡପରେ ବରକୁ ଅପେକ୍ଷା କରି ରହିଥିଲେ କନ୍ୟା ଘରର ଲୋକେ। ହେଲେ ବରର ଦେଖା ମିଳିଲା ନାହିଁ। ଶାଶୂଘରକୁ ଯାଇ ସୁନାର ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖିଥିବା ସ୍ୱର୍ଣ୍ଣମୟୀଙ୍କ ସୁନେଲି ସ୍ୱପ୍ନ ଚୁର୍ମାର୍ ହୋଇଗଲା। ବର ପକ୍ଷର ଦାବି ମୁତାବକ କନ୍ୟା ପକ୍ଷ ଯୌତୁକ ଦେଇ ନପାରିବାରୁ ବାହାଘର ଭାଙ୍ଗି ଯାଇଥିଲା। ଏହି ଘଟଣା ଢେଙ୍କାନାଳ ଜିଲ୍ଲା ନାଥୁରା ଗାଁର ମଙ୍ଗୁଳା କନ୍ୟା ସ୍ୱର୍ଣ୍ଣମୟୀଙ୍କ କାହାଣି।
ଅନୁଗୁଳ ଜିଲ୍ଲା କରଡଗାଡ଼ିଆର ଶାନ୍ତି ସ୍ବରୂପ ଦାସଙ୍କ ବାହାଘର ଠିକ୍ ହୋଇଥିଲା। ଶାନ୍ତି ସ୍ବରୂପ ଆମେରିକାରେ ସଫ୍ଟୱେୟାର ଇଞ୍ଜିନିୟର ଅଛନ୍ତି। କନ୍ୟା ସ୍ୱର୍ଣ୍ଣମୟୀ ବି ବଙ୍ଗୋଳୁରରେ ସଫ୍ଟୱେୟାର ଇଞ୍ଜିନିୟର ଚାକିରି କରିଥିଲେ।
ପରିବାରର ସହମତି ଭିତ୍ତିରେ ଉଭୟଙ୍କ ବାହାଘର ଠିକ୍ ହୋଇଥିଲା। ବିଧି ମୁତାବକ ନିର୍ବନ୍ଧ ସରିଥିଲା ଏବଂ ବାହାଘର ତାରିଖ ବି ଠିକ୍ ହୋଇଥିଲା। ହେଲେ କୁଆଡେ ବାହାଘର ପାଇଁ ବର ପକ୍ଷରୁ ଯୌତୁକ ଦାବି କରାଯାଇଥିବା କନ୍ୟା ଘରର ଲୋକ ଅଭିଯୋଗ କରିଛନ୍ତି।
ଶାନ୍ତି ସ୍ୱରୂପ ଆମେରିକାରେ ବଡ଼ ଚାକିରି କରିଥିବାରୁ କୋଟିଏ ଟଙ୍କା ଦାବି କରିଥିଲେ। ଦାବି ମୁତାବକ କନ୍ୟା ଘର ଲୋକେ ପ୍ରଥମେ ୨୦ ଲକ୍ଷ ଟଙ୍କା ଦେଇଥିଲେ। ବାକି ଟଙ୍କା ବାହାଘର ଦିନ ଦିଆଯିବ ବୋଲି କଥା ଥିଲା।
ହେଲେ ବାହାଘର ଦିନ ଏତେଗୁଡ଼ାଏ ଟଙ୍କା କନ୍ୟା ଘରର ଲୋକ ଯୋଗାଡ଼ କରିବାରେ ସମର୍ଥ ହୋଇ ନଥିଲେ। ଫଳରେ ବର ବାହା ବେଦୀକୁ ଆସି ନଥିଲେ। କନ୍ୟା ସ୍ୱର୍ଣ୍ଣମୟୀ ମନରେ ସାହସ ବାନ୍ଧି ସିଧା ଥାନାରେ ଯାଇ ଫେରାଦ ହୋଇଥିଲେ। ଥାନାରେ ନ୍ୟାୟ ମାଗିଥିଲେ।
ସ୍ୱର୍ଣ୍ଣମୟୀ କହିଛନ୍ତି, “ବର ପକ୍ଷର ଲୋକେ କୋଟି ଟଙ୍କା ମାଗିଥିଲେ। ହେଲେ ଆମେ ଦେଇ ନପାରିବାରୁ ବର ଆସି ନଥିଲା। ମୋର ଏବଂ ମୋ ବାପା, ମା’ଙ୍କର ଯେଉଁ ସମ୍ମାନ ହାନୀ ହେଲା ତାହା କିଏ ଫେରାଇବ?”
ଅନୁଗୁଳି ଏସ୍ଡିପିଓ ହରିହର ପାଣି କହିଛନ୍ତି, “ଘଟଣାର ତଦନ୍ତ ଚାଲିଛି। ହେଲେ ପୁଅ ଫେରାର ହୋଇଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”








କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର। ଲଗ୍ନ ସମୟ ଗଡ଼ିଗଲା ପଛେ ବର କି ବରଯାତ୍ରୀ ଆସିଲେ ନାହିଁ। ଶେଷରେ ମଙ୍ଗୁଳା କନ୍ୟା ସ୍ୱର୍ଣ୍ଣମୟୀଙ୍କ ସୁନେଲି ସ୍ୱପ୍ନ ହୋଇଯାଇଛି ଚୁର୍ମାର୍।









