ଓଡ଼ିଶାଲାଇଭ୍ ବ୍ୟୁରୋ 
ରାଜଧାନୀରେ ଆରିଷା ପିଠାର ମହକ। ଏହି ମହକ ଛୁଟାଉଛନ୍ତି ଅନ୍ନପୂର୍ଣ୍ଣା ଦାସ। ଭୁବନେଶ୍ୱର ସଚିବାଳୟ ମାର୍ଗସ୍ଥିତ ୟୁନିଟ୍-୪ ଭେଣ୍ଡିଂ ଜୋନରେ ଅନ୍ନପୂର୍ଣ୍ଣାଙ୍କ ଆରିଷା ଖାଇବା ପାଇଁ ଗ୍ରାହକଙ୍କ ଲାଗୁଛି ଭିଡ଼।
ଓଡ଼ିଆ ପରମ୍ପରା ସହ ଆରିଷା ବା ଘି ପିଠାରେ ଏକ ନିଆରା ସମ୍ପର୍କ ରହିଛି। ବାହଘର, ବ୍ରତଘର ଏବଂ ଠାକୁରଙ୍କ ପାଖରେ ଭୋଗ ଲାଗେ ଏହି ଆରିଷା ପିଠା। ଘିଅରେ ଛଣା ହୋଇଥିବା ଏହି ପିଠା ଦେଖିବାକୁ ଯେମିତି ସୁନ୍ଦର ପାଟିକୁ ମଧ୍ୟ ସେମିତି ସୁଆଦ ଲାଗିଥାଏ। ଯେତେବେଳେ ଘିପିଠା ଛଣା ଯାଏ ତା’ର ବାସ୍ନା ଆଖପାଖକୁ ମହକି ଯାଇଥାଏ।
ଏବେ ଏହି ମହକ ରାଜଧାନୀ ଭୁବନେଶ୍ୱରରେ ମହକୁଛି। ଭୁବନେଶ୍ୱରର ସଚିବାଳୟ ମାର୍ଗରେ ୟୁନିଟ୍ ୪ ଭେଣ୍ଡିଂ ଜୋନରେ ଥିବା ଅନ୍ନପୂର୍ଣ୍ଣାଙ୍କ ଆରିଷା ପିଠା ଗ୍ରାହକଙ୍କୁ ଆକର୍ଷିତ କରୁଛି।
ଅନ୍ନପୂର୍ଣ୍ଣା ଦାସ। ବୟସ ପାଖାପାଖି ୫୦। ଭୁବନେଶ୍ୱର ସଚିବାଳୟ ମାର୍ଗସ୍ଥିତ ୟୁନିଟ୍-୪ ଭେଣ୍ଡିଂ ଜୋନରେ ଅନ୍ନପୂର୍ଣ୍ଣା ଦୋକାନ କରିଛନ୍ତି। ସେ ଛୋଟ ଦୋକାନ ଭିତରେ ସକାଳୁ ସଞ୍ଜଯାଏ ଚାଲିଥାଏ ଭଳିକି ଭଳି ପିଠା ତିଆରି। ଆରିଷା, କରଞ୍ଜି, ମଣ୍ଡା, ଲଡୁ, ଗଜା, ଲବଙ୍ଗଲତା ପରି ବିଭିନ୍ନ ପ୍ରକାରର ମିଠା ଏବଂ ପିଠା ତିଆରି କରି ସେ ବିକ୍ରି କରିଥାନ୍ତି। ହେଲେ ଏସବୁ ଭିତରେ ଅନ୍ନପୂର୍ଣ୍ଣାଙ୍କ ଆରିଷା ପିଠାର ଡିମାଣ୍ଡ ଟିକେ ଅଧିକା।
ଅନ୍ନପୂର୍ଣ୍ଣାଙ୍କ ଆରିଷା ପିଠା କେବଳ ଭୁବନେଶ୍ବର ଭିତରେ ସୀମାବଦ୍ଧ ହୋଇରହିନାହିଁ। ପିଠା ଯାଇ ପହଞ୍ଚିଛି ସୁଦୂର ବିଦେଶରେ। ଆମେରିକା, ଲଣ୍ଡନ, ଅଷ୍ଟ୍ରେଲିଆ, ସାଉଦିଆରବ, ଭୁଟାନ ଆଦି ଦେଶରେ ରହୁଥିବା ଓଡ଼ିଆଙ୍କ ପାଖକୁ ଯାଉଛି ଆରିଷା। ଆରିଷା ପିଠା ପ୍ରାୟ ୩୦ରୁ ୪୦ ଦିନ ଯାଏଁ ରହିପାରୁଛି।
ଅନ୍ନପୂର୍ଣ୍ଣା ଯେତେବେଳେ ଛୋଟ ଥିଲେ ତାଙ୍କ ମାଆ ପିଠାପଣା କରୁଥିବା ଦେଖୁଥିଲେ। ବିଭିନ୍ନ ପର୍ବ ପର୍ବାଣୀରେ ସେ ମାଆଙ୍କୁ ଆରିଷା ପିଠା ତିଆରି କରିବାରେ ସହଯୋଗ କରୁଥିଲେ। ଧିରେ ଧିରେ ସେ ଆରିଷା ପିଠା ତିଆରି କରିବା ଶିଖିଲେ।
ଭଦ୍ରକର ଭଣ୍ଡାରିପୋଖରୀ ବ୍ଲକ୍ରେ ଅନ୍ନପୂର୍ଣ୍ଣା ଦାସଙ୍କ ଘର। ୧୯୯୯ ମହାବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଥିଲା। ହେଲେ ତାଙ୍କ ମନରେ ଆଶା, ବିଶ୍ୱାସ ଭାଙ୍ଗିନଥିଲା। ନିଜ ସ୍ୱାମୀଙ୍କ ସହ ପରିବାରକୁ ଧରି ଭୁବନେଶ୍ୱର ଚାଲିଆସିଲେ ଅନ୍ନପୂର୍ଣ୍ଣା। ନୂଆପଲ୍ଲୀର ବେହେରା ସାଇରେ ଏକ ଭଡ଼ା ଘରେ ଆରମ୍ଭ କଲେ ସେ ଶିଖିଥିବା ଆରିଷା ପିଠାର ବେପାର।
ଆରିଷା ପିଠା ସାଙ୍ଗକୁ ମଣ୍ଡାପିଠା, ପୋଡ଼ପିଠା ଓ ବିଭିନ୍ନ ପୂଜା ପର୍ବାଣୀରେ ବିଭିନ୍ନ ପ୍ରକାର ପିଠା ପାଇଁ ଅନ୍ନପୂର୍ଣ୍ଣାଙ୍କ ଦୋକାନରେ ଭିଡ଼ ଜମିଲା। ଗ୍ରାହକଙ୍କ ଚାହିଦା ବଢ଼ିବାରୁ ଅନ୍ନପୂର୍ଣ୍ଣା ଦୁଇ ଜଣ ମହିଳାଙ୍କୁ ନେଇ ଅଧିକ ପିଠା ତିଆରି କଲେ। ସବୁଠୁ ବଡ଼ କଥା ହେଲା ଅନ୍ନପୂର୍ଣ୍ଣାଙ୍କଠାରୁ ପିଠା ଶିଖିଥିବା ମହିଳାମାନେ ଏବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆରିଷା ପିଠା ତିଆରି କରି ବିକ୍ରି ଆରମ୍ଭ କରିଛନ୍ତି। ପାଖାପାଖି ୨୫ରୁ ୩୦ ଜଣ ମହିଳାଙ୍କୁ ସେ ଏହି ଆରିଷା ପିଠା ତିଆରି ପ୍ରଣାଳୀ ଶିଖାଇ ସାରିଲେଣି।
ଅନ୍ନପୂର୍ଣ୍ଣା କୁହନ୍ତି, “ଦିନକୁ ଏକ ହଜାରରୁ ଦୁଇ ହଜାର ଆରିଷା ବିକ୍ରି ହେଉଛି। ମାସକୁ ୬୦ ହଜାରରୁ ୭୦ ହଜାର ଟଙ୍କାର ଆରିଷା ବିକ୍ରି ହେଉଛି। ଏଥିରୁ ଯାହା ମିଳୁଛି ସେଥିରେ ଏବେ ମୋ ପରିବାର ଭଲରେ ଚଳିଯାଉଛି। ମୋର ଗୋଟିଏ ପୁଅ, ଗୋଟିଏ ଝିଅ। ସେମାନେ ବର୍ତ୍ତମାନ ଇଞ୍ଜିନିୟରିଂ ପଢ଼ା ଶେଷ କରିସାରିଲେଣି।”
ଏହି ପାରମ୍ପରିକ ପିଠା ଖାଇବା ପାଇଁ ଏବେ ଅନ୍ନପୂର୍ଣ୍ଣାଙ୍କ ଦୋକାନରେ ଭିଡ଼ ଲାଗୁଛି। ରାଜଧାନୀର ବିଭିନ୍ନ ମନ୍ଦିର, ବିବାହଘର ଓ ବ୍ରତଘର ପାଇଁ ଅନ୍ନପୂର୍ଣ୍ଣାଙ୍କ ପାଖକୁ ପ୍ରତିଦିନ ଅର୍ଡର ଆସୁଛି।
କୌଣସି ସରକାରୀ ସୁବିଧା, ବିନା ବ୍ୟାଙ୍କ ଲୋନ୍ରେ ଅନ୍ନପୂର୍ଣ୍ଣା ଯେଉଁପରି ଭାବେ ତାଙ୍କ ବ୍ୟବସାୟକୁ ବଢ଼ାଇଛନ୍ତି ଏବଂ ସବୁ ପରେ ଗ୍ରାହକମାନଙ୍କର ମନ ଜିଣିପାରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ। ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ କେବେ କାହା ଉପରେ ନିର୍ଭର କରିବାକୁ ଭଲପାଏନି। ନିଜର ବୁଦ୍ଧି ଓ ବଳରେ ମୁଁ ଯେତିକି କରିପାରୁଛି ସେତିକି ମୋ ପାଇଁ ଯଥେଷ୍ଟ।
ଅନ୍ନପୂର୍ଣ୍ଣାଙ୍କ ଆରିଷା ପିଠାର ପ୍ରଣାଳୀ
ଗୋଟିଏ କେଜି ଚାଉଳରେ ସେ ୬୦୦ ଗ୍ରାମର ଗୁଡ଼ ମିଶାନ୍ତି। ଅନ୍ୟ ସବୁଆଡେ ଏକ କିଲୋ ଚାଉଳରେ ଏକ କିଲୋ ଗୁଡ଼ ଦେବା ହେତୁ ଆରିଷାର ପାଗ ଭାଙ୍ଗିଯାଇଥାଏ ଓ ବେଳେ ବେଳେ ପିଠା ଛାଣିଲା ବେଳେ ପୋଡ଼ିଯାଏ। ପ୍ରଥମେ ଅରୁଆ ଚାଉଳକୁ ବତୁରାଯାଇ ତା’କୁ ଚୁନା କରାଯାଏ। ଗୁଡ଼ ଏବଂ ଚୁନାକୁ ମିଶାଇ ଆଣ କରାଯାଇ ପାଗ ପାଇଁ ଗୋଟିଏ ରାତି ରଖାଯାଏ। ପରଦିନ ଧଳା ଖସା ଦେଇ ଆରିଷାକୁ ଠିକ୍ ଆଞ୍ଚରେ ଛାଣିଲେ ସେ ଅନେକ ଦିନ ଯାଏ ରହିଥାଏ ବୋଲି ଅନ୍ନପୂର୍ଣ୍ଣ କୁହନ୍ତି।
ରିପୋର୍ଟ – ସତ୍ୟବ୍ରତ ପାଢ଼ୀ


















