ନୀଳମଣି ରାଉତରାୟ

ବିଜୁବାବୁ ଅନେକ ଗୁଣର ଅଧିକାରୀ ଥିଲେ, ଯାହାକି ଅନ୍ୟ ନେତାଙ୍କ ନିକଟରେ କ୍ୱଚିତ ଦେଖାଯାଏସେଥିଲାଗି ସେ ବିଭିନ୍ନ କ୍ଷେତ୍ରରୁ ବିରୋଧର ମଧ୍ୟ ସମ୍ମୁଖୀନ ହେଉଥିଲେମାତ୍ର ନିଜର ସ୍ୱଭାବସୁଲଭ ବେପରୁଆ ଢଙ୍ଗରେ ସେ ସମସ୍ତ ପ୍ରତିରୋଧ ଓ ସମାଲୋଚନାକୁ ସହଜରେ ହଜମ କରିଥିଲେଅଦମ୍ୟ ସାହସିକତା, ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଆଦି ଗୁଣ ଲାଗି ତାଙ୍କୁ ପଣ୍ଡିତ ନେହେରୁ ଅତି ଶ୍ରଦ୍ଧା କରୁଥିଲେ

ବିଜୁ ପଟ୍ଟନାୟକ ଆଉ ୧୫ ଦିନ ସୁସ୍ଥ ରହିଥିଲେ, ନିଶ୍ଚିତ ଭାବରେ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ। କାରଣ ମିଳିତ ସାମ୍ମୁଖ୍ୟ ଭିତରେ ଯେଭଳି ସଂକଟ ଦେଖା ଦେଇଥିଲା, ବିଜୁ ହିଁ କେବଳ ତା’ର ଉପଯୁକ୍ତ ସମାଧାନ କରିପାରିଥାଆନ୍ତେ। ଅନ୍ୟ ପକ୍ଷରେ ମିଳିତ ସାମ୍ମୁଖ୍ୟ ମଧ୍ୟ ତାଙ୍କୁ ସୁନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ରୂପେ ମନୋନୀତ କରିଥାଆନ୍ତା। କିନ୍ତୁ ସନ୍ଧିକ୍ଷଣରେ ବିଜୁଙ୍କ ଦେହାନ୍ତ ଘଟାଇ ଭଗବାନ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ପ୍ରତି ଘୋର ଅବିଚାର କରିଛନ୍ତି।

ଦେଶର ଗୁରୁତର ପରିସ୍ଥିତିକୁ ବିଜୁ ଅତି ସାହସର ସହିତ ପ୍ରଥମେ ସାମ୍ନା କରୁଥିଲେ। ପାକିସ୍ଥାନ ଆକ୍ରମଣ ସମୟରେ ବିଜୁ ପଟ୍ଟନାୟକ ହିଁ ପ୍ରଥମେ କାଶ୍ମୀର ଭୂମିରେ ଭାରତୀୟ ବିମାନ ଅବତରଣ କରାଇଥିଲେ। ଚୀନ ଆକ୍ରମଣ ବେଳେ ପ୍ରଥମ ଭାରତୀୟ ହିସାବରେ ସେ ନେଫା, ଅରୁଣାଞ୍ଚଳ ଆଦି ସୀମାନ୍ତ ଅଞ୍ଚଳରେ ପହଞ୍ଚିଥିଲେ।

ସେହିପରି ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀମାନେ ବିପଦଗ୍ରସ୍ତ ହୋଇଥିବା ବେଳେ, ବିଜୁ ହିଁ ତାଙ୍କର କଳିଙ୍ଗ ଏୟାରଲାଇନ୍ସ ବିମାନ ଯୋଗେ ସେମାନଙ୍କୁ ଉଦ୍ଧାର କରି ଭାରତ ଘେନି ଆସିଥିଲେ। ଏଥିଲାଗି ବିଜୁଙ୍କୁ ବ୍ୟବସାୟୀର ଭୂମିକା ଗ୍ରହଣ କରିବାକୁ ପଡ଼ିଥିଲା। ବିମାନ ଯୋଗେ ଇଣ୍ଡୋନେସିଆରେ ପହଞ୍ଚିବା ପରେ ସେ ବ୍ୟବସାୟ କରିବା ଲାଗି ଆସିଛନ୍ତି ବୋଲି ଡଚ୍ ଶାସକଙ୍କ ମନରେ ଧାରଣା ସୃଷ୍ଟି କରିଥିଲେ। ସେଠାରେ ଅବସ୍ଥାନ କାଳରେ ବିଜୁ ଡଚ୍ ସୈନିକମାନଙ୍କ ଗତିବିଧି ନିରୀକ୍ଷଣ କରିବା ସହିତ ଗୋପନରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିଥିଲେ। ସେଠିକାର ଜଳବାୟୁ ଡଚ୍ ସୈନ୍ୟମାନଙ୍କ ପାଇଁ ଅସହ୍ୟ ଥିଲା। ତେଣୁ ଖରାବେଳେ ପାଣିରେ ପଶି ଗାଧୋଇବା ପାଇଁ ଡଚ୍ ସୈନିକମାନେ ପାଗଳ ହୋଇଉଠୁଥିଲେ। ଏହାର ସୁଯୋଗ ନେଇ ବିଜୁବାବୁ ହଠାତ୍ ଖରାବେଳେ ବିମାନ ଟେକ୍ଅଫ୍ କରି ଇଣ୍ଡୋନେସିଆ ସଂଗ୍ରାମୀମାନଙ୍କୁ ଉଡ଼ାଇ ଆଣିଥିଲେ।

ଓଡ଼ିଶାରେ ବୃହତ୍ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବିଜୁଙ୍କର ଅବଦାନ ଥିଲା ଉଲ୍ଲେଖନୀୟ। ତାଙ୍କର ବ୍ୟବସାୟିକ ଜ୍ଞାନ ଓ ବ୍ୟକ୍ତିଗତ ପ୍ରଚେଷ୍ଟା ଯୋଗୁଁ ରାଜ୍ୟରେ ‘ନାଲ୍‌କୋ’ ଓ ‘ମିଗ୍’ ଆଦି କାରଖାନା ସ୍ଥାପିତ ହୋଇପାରିଥିଲା। ସେତେବେଳେ ରାଷ୍ଟ୍ରପତି ସଞ୍ଜୀବ ରେଡ୍ଡୀ ଆନ୍ଧ୍ରର ଗୋଦାବରୀ ଜିଲ୍ଲାରେ ‘ନାଲ୍‌କୋ’ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାରର ଚାପ ପ୍ରୟୋଗ କରିଥିଲେ। କିନ୍ତୁ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ହିସାବରେ ବିଜୁ ତା’ର ଦୃଢ଼ ପ୍ରତିରୋଧ କରିବା ସାଂଗକୁ କୋରାପୁଟ ହିଁ ସେଥିନିମନ୍ତେ ଉପଯୁକ୍ତ ସ୍ଥାନ ବୋଲି ବଳିଷ୍ଠ ଯୁକ୍ତି ବାଢ଼ିଥିଲେ।

ତାଙ୍କରି ପ୍ରଚେଷ୍ଟା ଯୋଗୁଁ ଓଡ଼ିଶାରେ ‘ନାଲ୍‌କୋ’ କମ୍ପାନୀ ପ୍ରତିଷ୍ଠା ସମ୍ଭବ ହୋଇପାରିଲା। ସେହିପରି ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ୱାଇ.ବି. ଚଭନ ନିଜ ରାଜ୍ୟ ମହାରାଷ୍ଟ୍ରର ନାସିକଠାରେ ମିଗ୍ କାରଖାନା ବସାଇବା ଲାଗି ଚାହୁଁଲେ। କିନ୍ତୁ ସେଥିପାଇଁ ବିଜୁ ଜିଦ୍ ଧରି ବସିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଫଳରେ ବିଜୁଙ୍କ ଜିଦ୍ ଯୋଗୁଁ ମିଗ୍‌ର ଇଞ୍ଜିନ୍ ସୁନାବେଡ଼ାଠାରେ ଏବଂ ଅବଶିଷ୍ଟ ଭାଗ ନାସିକରେ ତିଆରି ହେବା ଲାଗି ସିଦ୍ଧାନ୍ତ ହେଲା।

ବିଜୁ ଜଣେ ଅତ୍ୟନ୍ତ ବଦଖର୍ଚ୍ଚି ମଣିଷ ଥିଲେ। ଟଙ୍କା ପଇସାର ସୀମା ସରହଦ ଭିତରେ ଆବଦ୍ଧ ହୋଇ ରହିବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ। ଟାଟା, ବିର୍ଲା କମ୍ପାନୀ ଭଳି ନିଜ ବ୍ୟବସାୟରୁ ସେ ଅଜସ୍ର ଅର୍ଥ ଉପାର୍ଜନ କରିଥିଲେ। କିନ୍ତୁ ସେହି ଅର୍ଥକୁ ନିଜ ପରିବାର ପାଇଁ ନୁହେଁ ବରଂ ସଂଗଠନ, ନିର୍ବାଚନ ଓ ଗରିବ ଲୋକଙ୍କୁ ଦାନ କରିବାରେ ସେ ଅକୁଣ୍ଠିତ ଭାବେ ବିନିଯୋଗ କରୁଥିଲେ। ଅର୍ଥ ପାଇଁ ଜୀବଦ୍ଦଶାରେ ତାଙ୍କର କାହା ସହିତ ମନୋମାଳିନ୍ୟ ଘଟି ନ ଥିଲା।

ଅଜସ୍ର ଧନର ଅଧିକାରୀ ହୋଇ ସୁଦ୍ଧା ସେ କେବେ ଅର୍ଥ କିମ୍ବା ତା’ର ହିସାବ ବ୍ୟକ୍ତିଗତ ଭାବେ ରଖୁ ନ ଥିଲେ। ତାଙ୍କର ହୃଦୟ ଯେଭଳି ଖୋଲା ଥିଲା, ନବୀନ ନିବାସ ମଧ୍ୟ ସେହିପରି ଉନ୍ମୁକ୍ତ ଥିଲା। କାରଣ ନବୀନ ନିବାସର ଝରକାଗୁଡ଼ିକରେ ଗ୍ରିଲ ଲାଗିବାର କୌଣସି ବ୍ୟବସ୍ଥା ନାହିଁ। ଆଜିକାଲି ଟଙ୍କା ପଇସା ରଖିବା ପାଇଁ ଯେଭଳି ସୁରକ୍ଷିତ ଅଟ୍ଟାଳିକାମାନ ତିଆରି ହେଉଛି, ସେହି ଦୃଷ୍ଟିରୁ ବିଜୁଙ୍କର ନବୀନ ନିବାସ ତା’ର ଏକ ବ୍ୟତିକ୍ରମ। କଳିଙ୍ଗ ବାଲିଯାତ୍ରା ଉପରେ ଓଡ଼ିଶା ଆସିଥିବା ଇଣ୍ଡୋନେସିଆ ପ୍ରତିନିଧି ଦଳଙ୍କ ଗସ୍ତ ଖର୍ଚ୍ଚ ୧୨ ଲକ୍ଷ ଟଙ୍କା ସେ ନିଜେ ବହନ କରିଥିଲେ। ତାଙ୍କ ଦିଲ୍ଲୀ ବାସଭବନ ବିକ୍ରିଲବ୍ଧ ଧନରୁ ସେ ତାହା ପଇଠ କରିଥିଲେ। ମାତ୍ର ଏଥିପାଇଁ ତାଙ୍କୁ ନାନା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି ଏଥିନେଇ ବିଜୁବାବୁଙ୍କୁ ଭିଜିଲାନ୍ସ ଘେର ଭିତରକୁ ଠେଲି ଦେବା ପାଇଁ ପ୍ରଗାଢ଼ ଉଦ୍ୟମ ହୋଇଥିଲା।

ବିଜୁଙ୍କର କଳିଙ୍ଗ ପ୍ରୀତି ଅନନ୍ୟ ସାଧାରଣ ଥିଲା। ତାଙ୍କରି ଉଦ୍ୟମ କ୍ରମେ କଳିଙ୍ଗର ନାମ ବିଶ୍ୱ ଦରବାରରେ ପହଞ୍ଚି ପାରିଥିଲା। ଏଥିନିମନ୍ତେ ସେ କଳିଙ୍ଗ ଏୟାରଲାଇନ୍ସ, କଳିଙ୍ଗ ଟ୍ୟୁବ୍ସ, ଆଇରନ୍ ୱାର୍କସ, କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପ୍ରଭୃତି ପ୍ରତିଷ୍ଠା କରିଥିଲେ। ଏତଦ୍ ଭିନ୍ନ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ସେ କଳିଙ୍ଗ ପୁରସ୍କାର ପ୍ରବର୍ତ୍ତନ କରିଥିଲେ। ଓଡ଼ିଆ ସ୍ୱାଭିମାନ ବଜାୟ ରଖିବା ତାଙ୍କର ଜୀବନର ମୂଳ ଲକ୍ଷ୍ୟ ଥିଲା।

ପ୍ରତ୍ୟେକ ଓଡ଼ିଆଙ୍କୁ ସିଏ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ପୁରାତନ କଳିଙ୍ଗ ସାମ୍ରାଜ୍ୟର ବୀର ନାଗରିକ ଓ ନିଜକୁ ବିଶ୍ୱବିଖ୍ୟାତ ସମ୍ରାଟ ଖାରବେଳଙ୍କର ଉତ୍ତରଦାୟାଦ ବୋଲି ମନେ କରୁଥିଲେ। ବିଜୁବାବୁ ଅନେକ ଗୁଣର ଅଧିକାରୀ ଥିଲେ, ଯାହାକି ଅନ୍ୟ ନେତାଙ୍କ ନିକଟରେ କ୍ୱଚିତ ଦେଖାଯାଏ। ସେଥିଲାଗି ସେ ବିଭିନ୍ନ କ୍ଷେତ୍ରରୁ ବିରୋଧର ମଧ୍ୟ ସମ୍ମୁଖୀନ ହେଉଥିଲେ। ମାତ୍ର ନିଜର ସ୍ୱଭାବସୁଲଭ ବେପରୁଆ ଢଙ୍ଗରେ ସେ ସମସ୍ତ ପ୍ରତିରୋଧ ଓ ସମାଲୋଚନାକୁ ସହଜରେ ହଜମ କରିଥିଲେ। ଅଦମ୍ୟ ସାହସିକତା, ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଆଦି ଗୁଣ ଲାଗି ତାଙ୍କୁ ପଣ୍ଡିତ ନେହେରୁ ଅତି ଶ୍ରଦ୍ଧା କରୁଥିଲେ।

ନେହେରୁ ଯଥାର୍ଥରେ ତାଙ୍କ ଉଦ୍ଦେଶ୍ୟରେ କହିଥିଲେ, “Biju is remarkable dynamic young man, who is utmost daring-dashing and pushing. But sometimes you don’t know where he will land” ନେହେରୁଙ୍କ ଠାରୁ ଏତାଦୃଶ ମନ୍ତବ୍ୟ ଶୁଣିବା ପରେ ପଶ୍ଚିମବଂଗର ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ବିଧାନ ରାୟ ବିଜୁଙ୍କୁ ଦେଖିବା ଲାଗି ଓ ତାଙ୍କ ଚାଲିଚଳନ ଆଦି ସମ୍ପର୍କରେ ଜାଣିବା ଲାଗି ଅଧିକ ଆଗ୍ରହ ପ୍ରକାଶ କରିଥିଲେ। ଓଡ଼ିଶାରେ ଜନ୍ମ ହୋଇ ନ ଥିଲେ ବିଜୁ ପଟ୍ଟନାୟକ ନିଶ୍ଚୟ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥାଆନ୍ତେ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ।

(ସୌଜନ୍ୟ – ଓଡ଼ିଶାଲାଇଭ ଦ୍ୱାରା ପ୍ରକାଶିତ ‘ଶତାବ୍ଦୀର ଦୂରଦ୍ରଷ୍ଟା’)

Comment