ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ସାହସିକତା ପୁରସ୍କାର ପାଇଥିବା କେନ୍ଦ୍ରାପଡ଼ାର ମମତା ଦଳାଇ ଏବଂ କେନ୍ଦୁଝରର ପଙ୍କଜ ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି।

ଚଳିତବର୍ଷ ଜାତୀୟ ସାହସିକତା ପୁରସ୍କାର ପାଇଥିବା ଦୁଇ ଓଡ଼ିଆଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାର ମମତା ଦଳାଇ ଏବଂ କେନ୍ଦୁଝରର ପଙ୍କଜ ମହାନ୍ତଙ୍କୁ ରାଜ୍ୟ ସଚିବାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ରୂପାର ବୋଇତ ଓ ଫୁଲତୋଡ଼ା ଦେଇ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରସ୍କାର ବାବଦରେ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି।

ଏଣିକି ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ସାହସିକତା ପୁରସ୍କାର ପାଉଥିବା ଓଡ଼ିଆ ବାଳକ ବାଳିକାମାନଙ୍କୁ ପୁରସ୍କାର ବାବଦରେ ରାଜ୍ୟ ସରକାର ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ୨୦୧୮ ବର୍ଷଠାରୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରରେ ସଚିବାଳୟରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଯେଉଁମାନେ ଜାତୀୟ ସ୍ତରରେ ସାହସିକତା ପୁରସ୍କାର ପାଇବେ ସେମାନଙ୍କୁ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବେ। ଚଳିତବର୍ଷ ଠାରୁ ଏହା ଲାଗୁ କରାଯାଉଛି।”

ମୁଖ୍ୟମନ୍ତ୍ରୀ ମମତା ଓ ପଙ୍କଜଙ୍କ ସହ କିଛି ସମୟ କଥା ହେବା ସହ ସେମାନଙ୍କର ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କର ପିଠି ଥାପୁଡ଼ାଇ ସେମାନଙ୍କୁ ସାବାସି ଜଣାଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ମମତା ସାହସିକତା ଦେଖାଇ ନିଜ ବଡ଼ ଭଉଣୀ ଅଶାନ୍ତିକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ। ସେହିପରି କେନ୍ଦୁଝର ଜିଲ୍ଲା ଢିପ ସାହିର ୩ ଜଣ ମହିଳା ବୈତରଣୀ ନଦୀରେ ଭାସି ଯାଉଥିବା ବେଳେ ତାଙ୍କୁ ରକ୍ଷା କରିଥିଲେ ପଙ୍କଜ ମହାନ୍ତ।

ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୮ ଜଣଙ୍କୁ ସାହସିକତା ପୁରସ୍କାର ଦେଇଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ମମତା ଓ ପଙ୍କଜ ସ୍ଥାନ ପାଇଥିଲେ।

Comment