ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଛି। ବିଜେପୁର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ଟିକେଟ ଦେଇଛି।

ଅଶୋକ ପାଣିଗ୍ରାହୀଙ୍କ ଉପରେ ମୋହର ମାରିଲା ବିଜେପି। ବିଜେପୁର ଉପ-ନିର୍ବାଚନରେ ଅଶୋକ ବିଜେପିରୁ ପ୍ରାର୍ଥୀ ହେବେ। ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସମ୍ପାଦକ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଅଶୋକ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ସହ ପ୍ରତିଦ୍ୱନ୍ଦ୍ବିତା କରିବେ।

ଫେବୃଆରି ୨୪ରେ ବିଜେପୁର ଭୋଟ। ଭାରତୀୟ ର୍ନିବାଚନ କମିଶନ ତାରିଖ ଘୋଷଣା କରିବା ପରେ ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି। ୩୦ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପୂର୍ବରୁ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି।

ବିଜେଡି କଂଗ୍ରେସରୁ ରିତା ସାହୁଙ୍କୁ ଆଣି ପ୍ରାର୍ଥୀ କରିଥିବା ବେଳେ ଏହାକୁ ବିରୋଧ କରିଥିଲେ ଅଶୋକ ପାଣିଗ୍ରାହୀ। ବିଜୁ ପରିବାର ସହ ସମ୍ପର୍କ ଛିନ୍ନ କରି ଅଶୋକ ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପୁର ଉପ-ନିର୍ବାଚନ ଟିକେଟ ନେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କୌଣସି ନିଷ୍ପତ୍ତି ହୋଇ ନଥିଲା। ଶେଷରେ ଆଜି ପ୍ରତୀକ୍ଷାର ଅନ୍ତ ଘଟିଛି।

ଅଶୋକ ପାଣିଗ୍ରାହୀ ୨୦୦୦ରେ ବିଜେପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ସୁବଳ ସାହୁଙ୍କଠାରୁ ପରାଜିତ ହୋଇଥିଲେ। ୨୦୦୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ୨୦୧୪ରେ ବିଜେଡିର ପ୍ରାର୍ଥୀ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ।

ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା। ଅଶୋକ ପୁଣି ବିଜେଡି ଟିକେଟ ପାଇବେ ବୋଲି ଆଶା କରିଥିଲେ। ହେଲେ ବିଜେଡି ରିତାଙ୍କୁ ଦେଇଥିଲା ଟିକେଟ୍।

ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ଉପରେ ନଜର ରହିଛି। ଦୁଇଜଣ ଆଶାୟୀ ରିପୁନାଥ ସେଠ୍‌ ଏବଂ ପ୍ରଣୟ ସାହୁଙ୍କ ମଧ୍ୟରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାର କଥା।

Comment