ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି-ବିଜେପି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିବାରେ ସମର୍ଥ ହୋଇନି। ବିଜେପୁରରେ କଂଗ୍ରେସ ଏବେ ପ୍ରାର୍ଥୀ ଖୋଜୁଛି।
ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନମଣ୍ଡଳୀ ଥିଲା କଂଗ୍ରେସର ଗଡ଼। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଥିବା ବେଳେ ଏହି ଆସନକୁ ବାରବାର କବ୍ଜା କରୁଥିଲେ କଂଗ୍ରେସର ସୁବଳ ସାହୁ। ଖାଲି ସେତିକି ନୁହେଁ, ବିଜେପୁର ବ୍ଲକ ଏବଂ ବରପାଲି ଏନଏସି ବି କଂଗ୍ରେସ ଦଖଲରେ ରହିଥିଲା।
ସୁବଳ ସାହୁଙ୍କ ଦେହାନ୍ତ ପରେ କଂଗ୍ରେସ ଏଠାରେ ବେସାହାରା ହୋଇ ଯାଇଥିବା ପରି ମନେ ହେଉଛି। ସୁବଳ ସାହୁଙ୍କ ଦେହାନ୍ତର ୪ ମାସ ପରେ ବି କଂଗ୍ରେସ ଏଠାରେ ଜଣେ ଟାଣୁଆ ପ୍ରାର୍ଥୀଙ୍କୁ ଯୋଗାଡ଼ କରିବାରେ ସମର୍ଥ ହୋଇନି। ଆଗାମୀ ଉପ-ନିର୍ବାଚନ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଏବେ ବି ଅନ୍ଧାରରେ ରହିଛି। କାହାକୁ ପ୍ରାର୍ଥୀ କଲେ ଏହି ଜାତୀୟ ଦଳ ତାର ଗଡ଼କୁ ସୁରକ୍ଷିତ ରଖି ପାରିବ ତାକୁ ନେଇ ମନ୍ଥନ ଚାଲିଛି।
ବିଜେପୁର ବିଗୁଲ ବାଜିବା ପୂର୍ବରୁ ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ କରି ରାଜନୀତି ମାହୋଲକୁ ଗରମ୍ କରିଛି। ଏପଟେ ବିଜେପି ବି ବିଜେଡିରୁ ଆସିଥିବା ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ଘୋଷଣା କରି ମଇଦାନକୁ ଓହ୍ଲାଇଛି। ହେଲେ ବାହାଘର ବେଳେ ବାଇଗଣ ରୋଇବା ଭଳି କଂଗ୍ରେସ ଏବେ ବିଜେପୁରକୁ ଯାଇ ପ୍ରାର୍ଥୀ ଖୋଜୁଛି।
ସୁବଳ ସାହୁଙ୍କ ଦେହାନ୍ତକୁ ୪ ମାସ ପୂରିଲାଣି। ବିଜେପୁରରେ ଉପ-ନିର୍ବାଚନ ସୁନିଶ୍ଚିନ୍ତ ବୋଲି କଂଗ୍ରେସ ନେତା ଜାଣିଛନ୍ତି। ହେଲେ ୪ ମାସ ଭିତରେ ଦଳ ପ୍ରାର୍ଥୀ ଚୂଡ଼ାନ୍ତ କରି ପାରିଲା ନାହିଁ। ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସର ୬ ଜଣିଆ କମିଟି ବିଜେପୁରକୁ ଆସି ପ୍ରାର୍ଥୀ ଖୋଜୁଛନ୍ତି।
ବିଜେପୁର ଉପ-ନିର୍ବାଚନ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଆଉ ଏହି ସମୟରେ ହେମାନନ୍ଦ ବିଶ୍ବାଳଙ୍କ ନେତୃତ୍ବରେ କଂଗ୍ରେସ ଟିମ୍ ବିଜେପୁର ଆସି ପ୍ରାର୍ଥୀ ଖୋଜିବା ରାଜନୀତି ପଣ୍ଡିତଙ୍କୁ ଚକିତ କରିଛି। ବିଜେପି ଏବଂ ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚୂଡ଼ାନ୍ତ କରି ନପାରିବା ରାଜନୀତି କରିଡ଼ରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ହେମାନନ୍ଦ ବିଶ୍ବାଳ କହିଛନ୍ତି, “ଆମେ ଗ୍ରାଉଣ୍ଡକୁ ଆସି ରିପୋର୍ଟ ସଂଗ୍ରହ କରିଛୁ। କଂଗ୍ରେସର କିଏ ପ୍ରାର୍ଥୀ ହେବେ ସେ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇବୁ। ଦିନେ ଦୁଇଦିନ ଭିତରେ ପ୍ରାର୍ଥୀ ଘୋଷଣା କରାଯିବ।”
ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ଦୁଇ ଜଣ ଆଶାୟୀ ଅଛନ୍ତି। ପୂର୍ବତନ ବିଧାୟକ ରିପୁନାଥ ସେଠ୍ ଏବଂ ବିଜେପୁର ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ ଦାବିଦାର ଅଛନ୍ତି। ଏମାନଙ୍କ ନାଁକୁ ନେଇ ଦୁଇ ମାସ ହେଲା ଚର୍ଚ୍ଚା ହେଉଥିଲେ ହେଁ କଂଗ୍ରେସ ନେତୃବୃନ୍ଦ କାହା ଉପରେ ମୋହର ମାରି ନଥିଲେ। ଏବେ ଦେଖାଯାଉ ବିଜେପୁର ଯୁଦ୍ଧକୁ କଂଗ୍ରେସ ରିପୁନାଥ ଏବଂ ପ୍ରଣୟଙ୍କ ଭିତରୁ କାହାକୁ ଛାଡ଼ୁଛି?








ବିଜେଡି-ବିଜେପି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିବାରେ ସମର୍ଥ ହୋଇନି। ବିଜେପୁରରେ କଂଗ୍ରେସ ଏବେ ପ୍ରାର୍ଥୀ ଖୋଜୁଛି।









