ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତା କାହିଁକି ଆତ୍ମହତ୍ୟା କଲେ? ଏହାକୁ ନେଇ ରାଜନୀତିରେ ଝଡ଼ ଉଠିଥିବା ବେଳେ ଜାତୀୟ ମାନବାଧିକାର କମିଶନ ତଦନ୍ତ ଆଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଚାର ବିଭାଗୀୟ ତଦନ୍ତ ପରିସରକୁ ବୃଦ୍ଧି କରିଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ପୀଡ଼ିତାଙ୍କ ବସ୍ତ୍ର ନମୁନା ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବକୁ ପଠାଯିବା ପରେ ଜାତୀୟ ମାନବାଧିକାର କମିଶନ ତତ୍ପରତା ପ୍ରକାଶ କରିଛନ୍ତି। ପୀଡ଼ିତା କାହିଁକି ଆତ୍ମହତ୍ୟା କଲେ ତାର କାରଣ ଖୋଜିବା ପାଇଁ ଏକ ସ୍ପେଶାଲ ଟିମ୍ ତଦନ୍ତ କରିବେ ବୋଲି ଜଣାପଡ଼ିଛି।

ସ୍ପେଶାଲ ଟିମ୍ ଗଠନ କରିବା ପାଇଁ ଜାତୀୟ ମାନବାଧିକାର କମିଶନ ଇନଭେଷ୍ଟିଗେସନ୍ ଡିଭିଜନ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ କୁହାଯାଇଛି।

ଏପଟେ ପୀଡ଼ିତା କାହିଁକି ଆତ୍ମହତ୍ୟା କଲେ ତାର କାରଣ ଜାଣିବା ପାଇଁ ଜାତୀୟ ମାନବାଧିକାର କମିଶନ ଓଡ଼ିଶା ମାନବାଧିକାର ସୁରକ୍ଷା ସେଲ୍‌ ଏଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି।

ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନର ବିଚାର କରି ଜାତୀୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ମାନବାଧିକାର କମିଶନ ଉଦ୍‌ବେଗ ପ୍ରକାଶ କରିବା ପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ନ୍ୟାୟିକ ତଦନ୍ତର ପରିସର ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୭ ନଭେମ୍ବର ୮ରେ ମୁଖ୍ୟମନ୍ତ୍ରୀ ଗଣଦୁଷ୍କର୍ମର ସତ୍ୟାସତ୍ୟ ଜାଣିବା ପାଇଁ ନ୍ୟାୟିକ ତଦନ୍ତ ଆଦେଶ ଦେଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଆଦେଶ ଦେଇଛନ୍ତି।

Comment