ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି। ଦିନ ୧ଟା ବେଳେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବାଲେଶ୍ୱର ପୋଲିସ ଲାଇନ ପଡ଼ିଆରେ ଅବତରଣ କରିବା ପରେ ଓ.ଟି. ରୋଡ଼ର ଡିଆଇସି ଛକଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି।
ଶୋଭାରାମପୁର ଏଲ୍ସି ୭୯ଠାରେ ନିର୍ମିତ ହେବାକୁ ଥିବା ହାଇଲେଭେଲ୍ ରେଲୱେ ଓଭର ବ୍ରିଜ ପାଇଁ ଭିତ୍ତିପ୍ରସ୍ତର କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ୫୧ କୋଟି ୬୨ ଲକ୍ଷ ୯୯ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି।
ରେଲୱେ ଷ୍ଟେସନଠାରୁ ଚର୍ଚ୍ଚ ଛକ ପର୍ଯ୍ୟନ୍ତ ୩ କୋଟି ୬୭ ଲକ୍ଷ ୬୯ ହଜାର ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାଛଡା ଭୀମପୁରାଠାରେ ୧ କୋଟି ୪୨ ଲକ୍ଷ ୪୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୫୦ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସର ଭିତ୍ତିପ୍ରସ୍ତର କରିଥିଲେ।
ସେହିପରି ବାଲେଶ୍ୱର ପୌର ପରିଷଦ ପକ୍ଷରୁ ୩୧ ଲକ୍ଷ ୮୭ ହଜାର ଟଙ୍କାରେ ନିର୍ମିତ ହେବାକୁ ଥିବା ସିଡ଼ିପିଓ ଅଫିସ, କଲ୍ୟାଣନଗରଠାରେ ୩୪ ଲକ୍ଷ ୫ ହଜାର ଟଙ୍କା, ଗୁଡ଼ିପଦାଠାରେ ୩୮ ଲକ୍ଷ ୫୯ ହଜାର ଓ ଚାନ୍ଦମାରିପଡ଼ିଆ ଠାରେ ୩୩ଲକ୍ଷ ୫୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୩ଟି ପାର୍କ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପଳପଳାଠାରେ ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଲ ଓ ଲୁଣକୁଣ୍ଡିଠାରେ ୪ କୋଟି ଟଙ୍କା ବୟରେ ନିର୍ମିତ ପୋଲର ଶିଳାନ୍ୟାସ କରିବା ସହ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ପକ୍ଷରୁ ଛଚିନାଠାରେ ଏକ ନୂତନ ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତ, ଜିଲ୍ଲା ବିଜେଡି ସଭାପତି ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା, ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶ, ନଗରପାଳ ଆଲୋକ କୁମାର ସାହୁ, ଗୌରୀ କୁମାର ରାଉତ, ବରଦାକୃଷ୍ଣ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ସଭାପତି ସିମନ ଦାସମହାପାତ୍ର, ସତ୍ୟରଂଜନ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଏହା ପୂର୍ବରୁ ଖଇରା ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତରସ୍ଥାପନ ଓ ଉଦଘାଟନ କରିଥିଲେ। ପରେ ଭୋଗରାଇ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ତାଳସାରି ମହୋତ୍ସବକୁ ଉଦଘାଟନ କରିଛନ୍ତି। ସେଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଉପସ୍ଥିତ ଥିଲେ।


















