ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ତାଳସାରି ମହୋତ୍ସବରେ। ଅଣ୍ଡାମାଡ଼ କରିଥିବା ମହିଳାଙ୍କୁ ପୋଲିସ ଅଟକ ରଖିଛି। ଏହି ମହିଳା ଜଣକ ବିଜେପି କର୍ମୀଙ୍କ ସ୍ତ୍ରୀ ବୋଲି କୁହାଯାଉଛି।

ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଆରମ୍ଭ ହୋଇଛି ତାଳସାରି ମହୋତ୍ସବ। ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର ଅଳ୍ପ ସମୟ ପରେ ଦେଖାଦେଇଥିଲା ଅଘଟଣ।

ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ହଠାତ୍ ବ୍ୟାରିକେଡ୍ ବାହାରୁ ସଭାମଞ୍ଚରେ ଆସି ପଡ଼ିଥିଲା ଅଣ୍ଡା। ଅଣ୍ଡାମାଡ଼ କରିଥିବା ମହିଳାଙ୍କୁ ଅଟକ ରଖିଛି ପୋଲିସ। ମହିଳା ଜଣକ ୩ଟି ଅଣ୍ଡା ସଭାମଞ୍ଚକୁ ମାରିଥିଲେ।

ମୁଖ୍ୟମମନ୍ତ୍ରୀଙ୍କ ଦେହରେ ଅଣ୍ଡା ବାଜି ନଥିଲେ ମଧ୍ୟ ମଞ୍ଚ ଉପରେ ଦୁଇଟି ଅଣ୍ଡା ପଡ଼ିଥିଲା।

ଅଣ୍ଡା ମାରିଥିବା ମହିଳା ଜଣକ ବିଜେପି କର୍ମୀଙ୍କ ସ୍ତ୍ରୀ ବୋଲି କୁହାଯାଉଛି। ତାଙ୍କ ସ୍ୱାମୀ ଦିଲ୍ଲୀପ କମିଳାଙ୍କୁ ପୋଲିସ ଗିରଫ କରିଥିବାରୁ ଏହାର ପ୍ରତିବାଦରେ ସେ ଏଭଳି କାମ କରିଥିବା କୁହାଯାଉଛି।

“ଏହି ଘଟଣା ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳତାକୁ ବିରୋଧୀ ଦଳ ସହି ପାରୁ ନାହାନ୍ତି। ଫଳରେ ଏଭଳି ହିଂସାତ୍ମକ କାର୍ଯ୍ୟ କରୁଛନ୍ତି”, କହିଛନ୍ତି ବାଲେଶ୍ୱର ସଦର ବିଧାୟକ ଜୀବନ ପ୍ରଦୀପ ଦାସ।

ବାଲେଶ୍ୱର ଏସ୍‌ପି ନୀତି ଶେଖର କହିଛନ୍ତି, “ବ୍ୟାଗ୍ ଭିତରେ ମହିଳା ଜଣକ ସଭାସ୍ଥଳକୁ ଅଣ୍ଡା ଆଣିଥିଲେ। ବ୍ୟାରିକେଡ ବାହାରେ ରହି ମହିଳା ଜଣକ ସଭା ମଞ୍ଚ ଉପରକୁ ଅଣ୍ଡା ଫୋପାଡ଼ିଥିଲେ। ପୋଲିସ ତାଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି।

ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଅଣ୍ଡା ମାରିବା ପରେ ପୋଲିସର ଚିନ୍ତା ବଢ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ କିପରି ସୁରକ୍ଷା ଦିଆଯିବ ତାକୁ ନେଇ ଏବେ ତର୍ଜମା ଚାଲିଛି।

Comment