ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କ ଏକାଦଶାହ ନିଜ ଗାଁ ମୂଷାଗୁଡ଼ାରେ ଚାଲିଥିବା ବେଳେ ଭୁବନେଶ୍ୱରରେ ତାତି ଦେଖିବାକୁ ମିଳିଛି। ମହିଳା କମିଶନଙ୍କ ଅଫିସରେ ବିଜେପି ମହିଳା ମୋର୍ଚ୍ଚା ଭଙ୍ଗାରୁଜା କରିଛି। ପୀଡ଼ିତାଙ୍କ ଭାଇ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛନ୍ତି।
କୁନ୍ଦୁଲି ପୀଡ଼ିତାଙ୍କର ଆଜି ଥିଲା ଏକାଦଶାହ। କୁନ୍ଦୁଲି ମୂଷାଗୁଡ଼ାରେ ଏକାଦଶାହ କର୍ମ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଦେଖାଦେଇଥିଲା ହଙ୍ଗାମା। ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନଙ୍କ ଅଫିସରେ ପଶି ଅଭିନବ ପ୍ରତିବାଦ କରିଛନ୍ତି।
କୁନ୍ଦୁଲି ପୀଡ଼ିତାଙ୍କ କ୍ଷେତ୍ରରେ ମହିଳା କମିଶନ ନୀରବ ରହୁଛନ୍ତି। କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି। ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଆଜି ମହିଳା କମିଶନଙ୍କ ଅଫିସକୁ ଧସେଇ ପଶିଥିଲେ। ମହିଳା କମିଶନ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ହଙ୍ଗାମା କରିଥିଲେ। ଏପରିକି ମହିଳା କମିଶନଙ୍କ ଅଫିରେ ଭଙ୍ଗାରୁଜା କରିବାକୁ ପଛାଇ ନଥିଲେ ବିଜେପି କର୍ମୀ।
“କୁନ୍ଦୁଲି ଗଣଦୁଷ୍କର୍ମ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ନ୍ୟାୟ ନପାଇ ପୀଡ଼ିତା ଆତ୍ମହତ୍ୟା କଲେ। ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଗଣଦୁଷ୍କର୍ମ ଚପାଇ ଦେବାକୁ ଲାଗିପଡ଼ିଛନ୍ତି”, କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।
ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, “ମହିଳା ନିଜ କାମ କରୁଛନ୍ତି। ସେ କେବେ ଚୁପ୍ ବସି ନାହାନ୍ତି। ଯେଉଁମାନେ କିଛି ଜାଣି ନାହାନ୍ତି ସେମାନେ ଏଭଳି କହୁଛନ୍ତି।”
କୁନ୍ଦୁଲି ପୀଡ଼ିତାଙ୍କ ଭାଇ କୋରାପୁଟ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ୱାନ ସିସି ମାମଲା ରୁଜୁ କରିଛନ୍ତି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟ ଏସ୍ପି, ପଟ୍ଟାଙ୍ଗି ଥାନା ଆଇଆଇସିଙ୍କ ସହ ୧୧ ଜଣଙ୍କ ବିରୋଧରେ ମାମଲା କରିଛନ୍ତି।
କୁନ୍ଦୁଲି ପୀଡ଼ିତାଙ୍କ ଏକାଦଶାହରେ ବିଜେପି ନେତା ଜୟରାମ ପାଙ୍ଗି, କଂଗ୍ରେସ ନେତା ପ୍ରଦୀପ ମାଝି, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ।








କୁନ୍ଦୁଲି ପୀଡ଼ିତାଙ୍କ ଏକାଦଶାହ ନିଜ ଗାଁ ମୂଷାଗୁଡ଼ାରେ ଚାଲିଥିବା ବେଳେ ଭୁବନେଶ୍ୱରରେ ତାତି ଦେଖିବାକୁ ମିଳିଛି। ମହିଳା କମିଶନଙ୍କ ଅଫିସରେ ବିଜେପି ମହିଳା ମୋର୍ଚ୍ଚା ଭଙ୍ଗାରୁଜା କରିଛି। ପୀଡ଼ିତାଙ୍କ ଭାଇ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛନ୍ତି।









