ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ଗଣଦୁଷ୍କର୍ମର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା। ଏହି ମାମଲା ରୁଜୁ କରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ।

କୁନ୍ଦୁଲି ପାଇଁ ହାଇକୋର୍ଟରେ ରୁଜୁ ହୋଇଛି ଆଉ ଏକ ଜନସ୍ୱାର୍ଥ ମାମଲା। ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ପାର୍ଟି ଅଧ୍ୟକ୍ଷ ଖାରବେଳ ସ୍ୱାଇଁ ଏହି ମାମଲା ଦାଏର କରିଛନ୍ତି। ୬ ଜଣଙ୍କୁ ପକ୍ଷଭୁକ୍ତ କରି ଶ୍ରୀ ସ୍ୱାଇଁ ଏହି ମାମଲା ରୁଜୁ କରିଛନ୍ତି। ଏହାସହ କୁନ୍ଦୁଲି ଗଣଦୁଷ୍କର୍ମର ସିବିଆଇ ତଦନ୍ତ ପାଇଁ ଆବେଦନ କରିଛନ୍ତି।

ଜନସ୍ୱାର୍ଥ ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜି, କ୍ରାଇମବ୍ରାଞ୍ଚ, କୋରାପୁଟ୍‌ ଏସ୍‌ପି ଏବଂ ପଟ୍ଟାଙ୍ଗି ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଗତ ଦୁଇଦିନ ତଳେ ହାଇକୋର୍ଟରେ ଆଉ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା। ଏକ ସାମାଜିକ ଅନୁଷ୍ଠାନ ଏହି ମାମଲା ରୁଜୁ କରିଥିଲେ।

ଜାନୁଆରି ୨୨ ତାରିଖରେ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର୍ ଧରିଛି। ବିଜେପି ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କୋକେଇ ଶୋଭାଯାତ୍ରା କରି ରାଜନୀତିକୁ ହୁଲ୍‌ସ୍ତୁଲ୍ କରିଥିଲା।

ବିଜେପି ପୀଡ଼ିତା ପରିବାରକୁ ୧ କୋଟି ଟଙ୍କା ଦେବା ପାଇଁ ଦାବି କରିଥିଲା। ଏହାସହ ଜାତୀୟ ମାନବାଧିକାର କମିଶନ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ପୀଡ଼ିତା କାହିଁକି ଆତ୍ମହତ୍ୟା କଲେ ତାର କାରଣ ଖୋଜିବା ପାଇଁ ତଦନ୍ତ କରିବାକୁ ସ୍ପେଶାଲ ଟିମ୍‌ ଗଠନ କରିଛି। ଏପଟେ ରାଜ୍ୟ ସରକାର ମଧ୍ୟ  ବିଚାର ବିଭାଗୀୟ ତଦନ୍ତ ପରିସର ବୃଦ୍ଧି କରିଛନ୍ତି।

Comment