ଓଡ଼ିଶାଲାଇଭ୍ ବ୍ୟୁରୋ
- ଫେବ୍ରୁଆରି ୭ ହେବ ଗୋ-ସମ୍ବଦ୍ଧର୍ନା ମହୋତ୍ସବ
- ୩.୫ ଏକର ଜାଗାରେ ତିଆରି ହୋଇଛି ଗୋଶାଳା
- ନେପାଳ ରାଜା ଶ୍ରୀ ଜ୍ଞାନେନ୍ଦ୍ର ବିର୍ ବିକ୍ରମ ସିଂହ ଶାହା ଦେବଙ୍କୁ ଦିଆଯିବ ସମ୍ବର୍ଦ୍ଧନା
ଜଟଣୀ ନିକଟବର୍ତ୍ତୀ ରଥିପୁରରେ ଫେବ୍ରୁଆରି ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଗୋ-ସମ୍ବଦ୍ଧର୍ନା ମହୋତ୍ସବ। ଏହାସହ ଏକ ଭବ୍ୟ ଗୋବିନ୍ଦ ଗୋ ମାତା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ନେପାଳ ରାଜା ଶ୍ରୀ ଜ୍ଞାନେନ୍ଦ୍ର ବିର୍ ବିକ୍ରମ ସିଂହ ଶାହା ଦେବ ଏହି ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ହିନ୍ଦୁ ରୀତିନୀତି ତଥା ସଂସ୍କୃତିର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ସମାରୋହକୁ ଶ୍ରୀ ମାର୍ଗ ନାମକ ଏକ ସାମାଜିକ ସଂଗଠନ ଆୟୋଜନ କରିଛି। ସଂଗଠନର ସଚିବ ଶିବାସିସ୍ ଶତପଥୀ ଏବଂ ସଦସ୍ୟ ସମୀର ସାମଲ୍ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
‘‘ଆଧ୍ୟାତ୍ମିକତାର ପ୍ରଚାର କରିବା ପାଇଁ ଆମେ ଯୁବପିଢ଼ିଙ୍କ ସହିତ କାର୍ଯ୍ୟ କରୁଛୁ। ଶ୍ରୀ ମାର୍ଗର ‘ୱାଓ କାଓ’ ମିଶନ ପ୍ରତି ଘରେ ବିଲୁପ୍ତପ୍ରାୟ ଭାରତୀୟ ଦେଶୀ ଗାଈ ରଖିବାର ପରାମ୍ପରାକୁ ପୁଣି ଆଉ ଥରେ ଜୀବିତ କରାଇବ। ଯାହାଫଳରେ ପରବର୍ତ୍ତୀ ସମୟରେ ଏହା ଆମର ଅର୍ଥବ୍ୟବସ୍ଥା, କୃଷି, ତଥା ପୁଷ୍ଟି ବୃଦ୍ଧିରେ ସହାୟକ ହେବ। ହିନ୍ଦୁ ପରମ୍ପରାକୁ ବଜାୟ ରଖିବା ସହ ଧାର୍ମିକ ଭାବନାକୁ ଆହୁରି ମଜବୁତ୍ କରିବା ପାଇଁ ପ୍ରୟାସ୍ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ’’ କହିଛନ୍ତି ଶିବାସିସ୍ ଶତପଥୀ।
ଏହି ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ ୩ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ଯଜ୍ଞ ପୁର୍ଣ୍ଣାହୂତି ଦିନ ନେପାଳ ରାଜାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ସେ ଗୋବିନ୍ଦ ଗୋ ମାତା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ରଥିପୁର ନିକଟରେ ୩.୫ ଏକର ଜାଗାରେ ଆରମ୍ଭ ହୋଇଥିବା ଏକ ଗୋଶାଳା ଏହି ଅବସରରେ ଲୋକର୍ପିତ ହେବ।
ଶ୍ରୀ ମାର୍ଗ ଅନୁଷ୍ଠାନର ସଦସ୍ୟ ସମୀର ସାମଲ କହିଛନ୍ତି, ‘‘ଏହି ପବିତ୍ର କାର୍ଯ୍ୟକ୍ରମରେ ନେପାଳ ରାଜା ଗୋ-ମାତା ପୂଜନ ଉତ୍ସବରେ ଭାଗ ନେବେ। ସମାଜକୁ ଏକ ବାର୍ତ୍ତା ଦେବା ପାଇଁ ଏହା ପ୍ରେରିତ କରିବ।’’


















