ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ରାସ୍ତାରେ କୁନ୍ଦୁଲି ତାତି। ସାରା ରାଜ୍ୟରେ କୁନ୍ଦୁଲି ଘଟଣାକୁ ନେଇ ବିଜେପି ବିକ୍ଷୋଭ କରିବା ପରେ ସୋମବାର ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲା ଏହି ଦଳ। ନବୀନ ନିବାସର ସୁରକ୍ଷା ବଳୟ ଭେଦ କରି ବିଜେପି କର୍ମୀ ନବୀନ ନିବାସ ଗେଟ୍ ସମ୍ମୁଖକୁ ମାଡ଼ି ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
- କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ
- ନବୀନ ନିବାସ ସୁରକ୍ଷା ବଳୟକୁ ଭେଦ କଲେ ବିଜେପି କର୍ମୀ
- ପୋଲିସକୁ ଚକ୍ମା ଦେଖାଇ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କଲେ
- ପୋଲିସ ସହ ଧସ୍ତାଧସ୍ତି
କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ତାତି ଥମୁନି। ସାରା ରାଜ୍ୟରେ ବିକ୍ଷୋଭ ପ୍ରତିବାଦ କରିଥିବା ବିଜେପି ଆଜି ନବୀନ ନିବାସ ସମ୍ମୁଖରେ ପ୍ରତିବାଦ କରିଛି। ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ବିଜେପି କର୍ମୀ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପି କର୍ମୀମାନେ ରାମ ମନ୍ଦିର ଛକରୁ ଶୋଭାଯାତ୍ରାରେ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି କର୍ମୀମାନେ ପ୍ରଥମେ ମାଷ୍ଟର କ୍ୟାଣ୍ଟିନ୍ ଛକକୁ ଯାଇଥିଲେ। ସେଠାରେ ପ୍ରତିବାଦ କରିବା ପରେ ଶିଶୁଭବନ ଛକ ଦେଇ ନବୀନ ନିବାସ ଅଭିମୁଖେ ଅଗ୍ରସର ହେଉଥିଲେ।
ବିଜେପି କର୍ମୀଙ୍କ ପ୍ରତିବାଦ ସମ୍ପର୍କରେ ପୋଲିସ ସୂଚନା ପାଇଁ ଶିଶୁଭବନ ଛକରେ ବ୍ୟାରିକେଡ ତିଆରି କରିଥିଲା। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ବ୍ୟାପକ ପୋଲିସ ନିୟୋଜିତ କରାଯାଇଥିଲା। ହେଲେ ବିଜେପି କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ବାଧା ଦେବାରୁ ବିଜେପି କର୍ମୀ ଫରେଷ୍ଟ ପାର୍କ ଅଭିମୁଖେ ଆସିଥିଲେ।
ପୋଲିସକୁ ଚକ୍ମା ଦେଇ ବିଜେପି କର୍ମୀମାନେ ଫରେଷ୍ଟ ପାର୍କ ଛକରୁ ପୁଣି ୟୁ ଟର୍ଣ୍ଣ ମାରିଥିଲେ। ଶିଶୁଭବନ ଛକକୁ ଯାଇ ପୋଲିସ ସହ ଧସ୍ତାଧସ୍ତି କରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ନବୀନ ନିବାସ ଚାରିପଟେ ଥିବା ସୁରକ୍ଷା ବଳୟକୁ ଭେଦ କରି ମୁଖ୍ୟ ଗେଟ୍ ନିକଟତର ହେବା ବେଳକୁ ବିଜେପି କର୍ମୀ ଓ ନେତାଙ୍କୁ ପୋଲିସ ଗିରଫ କରିଥିଲା।
ବିଜେପି କର୍ମୀମାନେ ଚାରି ପଟୁ ନବୀନ ନିବାସ ଆଡ଼କୁ ଆସିଥିଲେ। ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ବରେ ଏକ ରାଲି ପଳାଶପଲ୍ଲୀରୁ ବାହାରିଥିବା ବେଳେ ସିକନ୍ଦର ଅଲ୍ଲୀଙ୍କ ନେତୃତ୍ବରେ ଏୟାରପୋର୍ଟ ଦିଗରୁ, ଗଙ୍ଗନଗର ପଟୁ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ କର୍ମୀମାନେ ଆସିଥିଲେ।
ଏହା ପୂର୍ବରୁ କୁନ୍ଦୁଲି ଘଟଣାକୁ ନେଇ ବିଜେପି କର୍ମୀମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ। ହେଲେ ପୋଲିସ ସେମାନଙ୍କ ବାଟ ଓଗାଳିବାରୁ ନବୀନ ନିବାସ ସମ୍ମୁଖକୁ ଯାଇ ପାରି ନଥିଲେ ବିଜେପି କର୍ମୀ।
ଏହାସହ ବିଜେପି ମହିଳା ମୋର୍ଚ୍ଚା କୋକେଇ ଶୋଭାଯାତ୍ରା କରିବା ସହ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ।
କୁନ୍ଦୁଲି ଘଟଣାର ବିଚାରବିଭାଗୀୟ ତଦନ୍ତ ଚାଲିଛି। ହେଲେ ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମାଲୋଚନା କରିଥିଲେ।


















