ଓଡ଼ିଶାଲାଇଭ୍ ବ୍ୟୁରୋ

- ଅଣ୍ଡାମାଡ଼ କରିଥିବା ମହିଳା ଗୁରୁତର
- କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି ହେଲେ ମହିଳା
- ମହିଳାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ଜଳେଶ୍ୱର କୋର୍ଟ
ବାଲେଶ୍ୱରର ତାଳସାରି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ମଞ୍ଚକୁ ଆଣ୍ଡାମାଡ଼ କରିଥିବା ମହିଳାଙ୍କ ଉପରୁ ହଟିଲା ଆଇପିସିର ୩୦୭ ଦଫା। ତାଙ୍କ ବିରୋଧରେ ଲାଗିଥିବା ୩୦୭ ଦଫା ହଟାଇ ନେଇ ପୋଲିସ ୩୫୩, ୩୩୨, ୨୯୪ ଏବଂ ୫୦୬ ଦଫାରେ ମାମଲା ରୁଜୁ କରିଛି।
ବାଲେଶ୍ୱର ଏସ୍ପି ନୀତିଶେଖର କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼ କରିଥିବା ମହିଳା ରାଜେଶ୍ବରୀ କାମିଳାଙ୍କ ଉପରୁ ୩୦୭ ଦଫା ହଟାଇ ନିଆଯାଇଛି। ମହିଳାଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ତେବେ ଘଟଣା ତଦନ୍ତ ଜାରି ରହିଛି।”
ଜାନୁଆରି ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇଥିଲେ। ବାଲେଶ୍ୱରରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ମୁଖ୍ୟମନ୍ତ୍ରୀ ଭୋଗରାଇ ବ୍ଲକ ଯାଇଥିଲେ।
ଭୋଗରାଇ ବ୍ଲକରେ ତାଳସାରି ବେଳାଭୂମି ମହୋତ୍ସବକୁ ଉଦଘାଟନ କରିଥିଲେ। ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଉଥିବା ବେଳେ ଦୁଇଟି ଅଣ୍ଡା ସଭା ମଞ୍ଚ ଉପରେ ଆସି ପଡ଼ିଥିଲା। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା। ଅଣ୍ଡା କେଉଁଠୁ ଆସିଲା ବୋଲି ପୋଲିସ ମହୋତ୍ସବ ସ୍ଥଳରେ ତନାଘନା କରିଥିଲା।
ଫଳରେ ଜଣେ ମହିଳା ଏହି କାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଅଣ୍ଡାମାଡ଼ କରିଥିବା ମହିଳାଙ୍କୁ କାବୁ କରି ନେଇଥିଲା। ତେବେ ମହିଳା ଜଣଙ୍କୁ ଉପସ୍ଥିତ କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ମହିଳା ଜଣକ ଆହତ ହୋଇଥିଲେ।
ଆହତ ମହିଳାଙ୍କୁ ପୋଲିସ ପ୍ରଥମେ ଜଳେଶ୍ୱର ମେଡିକାଲ ଏବଂ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନଆସିବାରୁ ମହିଳାଙ୍କୁ ସୋମବାର କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏସ୍ସିବି ମେଡିକାଲରେ ମହିଳାଙ୍କ ଚିକିତ୍ସା ଚାଲିଛି।
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳାଙ୍କ ନାଁ ରାଜେଶ୍ୱରୀ କମିଳା। ସେ ଭୋଗରାଇର ବିଜେପି କର୍ମୀ ଦିଲ୍ଲୀପ କମିଳାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଥିଲା।
ମୁଖ୍ୟମନ୍ତ୍ରୀଙ୍କ ସଭୋଗରାଇ ଗସ୍ତକୁ ବିଜେପି ବିରୋଧ କରିଥିଲା। କିଛି ଅଘଟଣ ଘଟିବା ଆଶଙ୍କା କରି ଦିଲ୍ଲୀପଙ୍କ ସମେତ କିଛି ବିଜେପି କର୍ମୀଙ୍କୁ ପୋଲିସ ଆଗୁଆ ଅଟକ ରଖିଥିଲା।
ସ୍ୱାମୀ ଦିଲ୍ଲୀପଙ୍କୁ ଅଟକ ରଖାଯାଇଥିବା ପ୍ରତିବାଦରେ ରାଜେଶ୍ୱରୀ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼ କରିଥିବା କୁହାଯାଉଛି।
ଗିରଫ ହୋଇଥିବା ମହିଳାଙ୍କୁ ଶନିବାର ଜଳେଶ୍ୱର କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଫେବୃଆରି ୮ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।


















