ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୦୯କୁ କଣ୍ଟ କଲେ ସୁପ୍ରିମକୋର୍ଟ
  • ୨୦୦୯ ସୁଦ୍ଧା ଧର୍ମାନୁଷ୍ଠାନ ପାଖରେ ଜମିପଟ୍ଟା ନଥିଲେ ବିଚାର କରିବେ ରାଜ୍ୟ ସରକାର
  • ଜିଲ୍ଲା ସ୍ତରରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ
  • ଅନୁଧ୍ୟାନ କରି ୩ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି

ଓଡ଼ିଶାର ବିଭିନ୍ନ ମନ୍ଦିର ଏବଂ ଧର୍ମାନୁଷ୍ଠାନ ଉଚ୍ଛେଦ ସମ୍ପର୍କୀତ ମାମଲାର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୧୯୮୭ ବଦଳରେ ୨୦୦୯କୁ କଣ୍ଟ କରିଛନ୍ତି ସୁପ୍ରିମକୋର୍ଟ। ୨୦୦୯ ସୁଦ୍ଧା ଯେଉଁ ଧର୍ମାନୁଷ୍ଠାନ ପାଖରେ ଜମିପଟ୍ଟା ନଥିବ ସେ ସମ୍ପର୍କରେ ରାଜ୍ୟ ସରକାର ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ୍ ଅରୁଣ ମିଶ୍ର ଏବଂ ଅନୀତା ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି।

୨୦୧୧ ଜାନୁଆରି ୧୬ରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ୧୯୮୭ ମସିହା ସୁଦ୍ଧା ଯେଉଁ ଧାର୍ମିକ ଅନୁଷ୍ଠାନ ପାଖରେ ଜମି ପଟ୍ଟା ନାହିଁ ସେଗୁଡ଼ିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ୨୦୧୩ରେ ରାଜ୍ୟ ସରକାର ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା ଧର୍ମପୀଠର ତାଲିକା ପ୍ରସ୍ତୁତ କରିଥିଲେ।

କେବଳ କଟକରେ ୨୦୭ଟି ଧର୍ମପୀଠ ଏବଂ ମନ୍ଦିର ଉଚ୍ଛେଦ କରିବାକୁ ତାଲିକା ହୋଇଥିବା ବେଳେ ରାଜ୍ୟରେ ୧ ହଜାରରୁ ଅଧିକ ଧର୍ମପୀଠ ଉଚ୍ଛେଦ ପାଇଁ ତାଲିକା ହୋଇଥିଲା।

ସେହିବର୍ଷ କଟକ ସମେତ ବିଭିନ୍ନ ସ୍ଥାନରେ ବେଆଇନ୍ ଧର୍ମପୀଠକୁ ସରକାର ଭାଙ୍ଗି ଦେଇଥିଲେ। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମେ’ ୨୦୧୩ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୁପ୍ରିମକୋର୍ଟ ଏହି ମାମଲାର ଆଜି ଶୁଣାଣି କରିଛନ୍ତି। ଗୁଜରାଟର ଅନୁରୂପ ମାମଲାର ବିଚାର କରି ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ତାହାକୁ ଓଡ଼ିଶା କ୍ଷେତ୍ରରେ ବଳବତ୍ତର ରଖିଛନ୍ତି।

ଗୁଜରାଟର ଅନୁରୂପ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଥିଲେ ଯେ ୨୦୦୯ ସୁଦ୍ଧା ଯେଉଁ ଧର୍ମ ଅନୁଷ୍ଠାନ ପାଖରେ ଜମି ପଟ୍ଟା ଥିବ ସେମାନଙ୍କ କଥା ରାଜ୍ୟ ସରକାର ବିଚାର କରିବେ। ତେବେ ୨୦୦୯ ପରେ ଯେଉଁ ଧର୍ମପୀଠ ଗଢ଼ା ହୋଇଥିବ ତାହାକୁ ଭାଙ୍ଗିବା ପାଇଁ ସୁପ୍ରିମକୋର୍ଟ କହିଥିଲେ।

ଏଥିପାଇଁ ନୀତି ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ଆଦେଶ ଦେଇଥିଲେ। ଏହି କ୍ରମରେ ଓଡ଼ିଶା ସରକାର ୨୦୧୦ ମାର୍ଚ୍ଚ ୨୭ରେ ନୀତି ନିର୍ଦ୍ଧାରଣ କରିଥିଲେ। ରାଜ୍ୟ ସରକାରଙ୍କ ଏହି ନୀତି ଅନୁଯାୟୀ ଜିଲ୍ଲା ସ୍ତରରେ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ଏହି କମିଟିରେ ଜିଲ୍ଲାପାଳ, ଏସ୍‌ପି, ପ୍ରମୁଖ ସରକାରୀ ଅଧିକାରୀ, ସ୍ଥାନୀୟ ପୌର ଏବଂ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ରହିବେ। ଏହି କମିଟି କେସ୍‌ ଟୁ କେସ୍‌ ବିଚାର କରି କେଉଁ ଧର୍ମପୀଠ ଭଙ୍ଗା ଯିବ ବା ନହେବ ୩ ମାସ ମଧ୍ୟରେ ରିପୋର୍ଟ ଦେବେ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ୩ଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

୧.ଯେଉଁଠି ଧର୍ମାନୁଷ୍ଠାନ ଅଛି ସେଠାରେ କୌଣସି ଟ୍ରାଫିକ ସମସ୍ୟା ଉପୁଜୁ ନଥିବ।

୨. ଆପତ୍ତିଜନକ କାର୍ଯ୍ୟକଳାପର ଅଭିଯୋଗ ନଥିବ

୩. ସଂପୃକ୍ତ ଜମିକୁ ନେଇ କୌଣସି ବିବାଦ ନଥିବ

ଯଦି ଏଭଳି ଅଭିଯୋଗ ଆସେ ତାହାଲେ ରାଜ୍ୟ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସେହିପରି ୨୦୦୯ ମସିହା ପରେ ଯଦି ବେଆଇନ୍ ନିର୍ମାଣ ହୋଇଥିବା ଅଭିଯୋଗ ଆସେ ତାହାଲେ ଭାଙ୍ଗିବା ପାଇଁ ସଂପୃକ୍ତ ଧର୍ମାନୁଷ୍ଠାନକୁ ସରକାର ୨ ମାସ ସମୟ ଦେବେ। ଏହି ସମୟ ମଧ୍ୟରେ ଯଦି ଧର୍ମାନୁଷ୍ଠାନ ନିଜ ତରଫରୁ କିଛି ପଦକ୍ଷେପ ନନିଅନ୍ତି ତାହାଲେ ସରକାର ଉଚ୍ଛେଦ ପାଇଁ ପଦକ୍ଷେପ ନେବେ।

ଧର୍ମାନୁଷ୍ଠାନ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ଏହି ଆଧାରରେ ୨୦୧୩ରେ କଟକରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। କଟକ ସିଡିଏରେ ଥିବା ଗୁଣ୍ଡିଚା ମନ୍ଦିର ସମେତ ୩୬ଟି ବେଆଇନ୍ ନିର୍ମାଣ ଭାଙ୍ଗି ଦିଆଯାଇଥିଲା।

ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଯୁବ ଆଡଭୋକେଟ୍ ପ୍ରସନ୍ନ କୁମାର ନନ୍ଦ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରିଥିଲେ।

Comment