ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ କେନ୍ଦ୍ରମନ୍ତ୍ରୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଆସିବେ ବିଜେପୁର। ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ହେଲେ ରମଣଙ୍କ ଆସିବା ଖବର ଜଣାପଡ଼ିବା ପରେ ବିଜେଡି ଓ କଂଗ୍ରେସ କରିଛନ୍ତି ସମାଲୋଚନା।

ବିଜେପୁରରେ ଜମୁଛି ନିର୍ବାଚନ ପ୍ରଚାର। କମ୍ପୁଛି ଗାଁ ଦାଣ୍ଡ। ଘର ଘର ବୁଲି ଭୋଟ ମାଗୁଛନ୍ତି ନେତା। ଏହି ପ୍ରଚାର ମଇଦାନକୁ ଆଉ ଟିକେ ଜମାଇବା ପାଇଁ ବିଜେପି ଆଣୁଛି ଷ୍ଟାର କ୍ୟାମ୍ପେନର୍। ୪ କେନ୍ଦ୍ରମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ବିଜେପୁର ଆଣିବା ପାଇଁ ବିଜେପି ଘୋଷଣା କରିଛି।

ଏହି ୫ ଜଣ ଷ୍ଟାର କ୍ୟାମ୍ପେନରଙ୍କ ଭିତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ରାଧାମୋହନ ସିଂହ, ରାମକ୍ରିପାଲ ଯାଦବ, ସନ୍ତୋଷ ଗଙ୍ଗଓ୍ବାର ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ।

ଏହି ୫ ଜଣଙ୍କ ଭିତରୁ ସ୍ମୃତି ଇରାନି ଏବଂ ରମଣ ସିଂ ପ୍ରଚାର ମଇଦାନରେ ବିଶେଷ ଆକର୍ଷଣ ସାଜିବେ। ଏନେଇ ଏକ ଷ୍ଟାର କ୍ୟାମ୍ପେନର ତାଲିକା ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯିବ ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି।

ରମଣ ସିଂଙ୍କୁ ବିଜେପୁର ଆଣି ବିଜେପି ରାଜ୍ୟ ସରକାରଙ୍କ ପୋଲ୍ ଖୋଲିବାକୁ ଚେଷ୍ଟା କରିବ ବୋଲି ଚର୍ଚ୍ଚା ହେଉଛି।

ଏହାବାବଦ୍‌ ଓଡ଼ିଶା ବିଜେପିର ବହୁ ନେତା ବିଜେପୁରରେ ଡେରା ପକାଇବେ।

ବିଜେପିର ୫ ଷ୍ଟାର କ୍ୟାମ୍ପେନର ଆସିବା ଖବର ପ୍ରଚାରିତ ହେବା ପରେ ବିଜେଡି ସମାଲୋଚନା କରିଛି। କହିଛି, ବିଜେପୁରରେ କୌଣସି ଫରକ୍ ପଡ଼ିବନି।

ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି, “ରମଣ ପ୍ରଚାରରେ ଆସିଲେ ବିଜେପି ପାଇଁ ବୁମେରାଂ ହେବ। ମହାନଦୀକୁ ଶୁଖାଇ ରମଣ ବନ୍ଧ ବାନ୍ଧୁଛନ୍ତି। ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛନ୍ତି। ଏଣୁ ରମଣଙ୍କୁ ବିଜେପୁରରେ ଉଚିତ୍ ଜବାବ ମିଳିବ।”

ବିଜେଡି ଓ କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇନାହିଁ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପ୍ରଚାର ମଇଦାନକୁ ଆସିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ବିଜେପୁର ହେଉଛି ବିଜେଡିର। ବିଜେପୁରବାସୀ ବିଜେଡି ସପକ୍ଷରେ ମତ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନ ବିଜେପୁର ପ୍ରଚାରରେ ଆସିବେ।”

ରମଣ ସିଂହଙ୍କ ଆସିବା ନେଇ କଂଗ୍ରେସ କରିଛି ସମାଲୋଚନା। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବର୍ଷିଛନ୍ତି ବିଜେପି ଉପରେ।

କହିଛନ୍ତି, “ଛତିଶଗଡ଼ରେ ବନ୍ଧ ବାନ୍ଧି ରମଣ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇଛନ୍ତି। ବିଜେପୁର ଆସିଲେ ଏଠାକାର ସଚେତନ ଭୋଟର ତାଙ୍କୁ ଉଚିତ୍ ଜବାବ ଦେବେ।”

Comment